ନ୍ୟୁୟର୍କ, ୨୨/୮: ସାନ ଫ୍ରାନସିସ୍କୋରେ ଜଣେ ପୁଅ ପିଲାର ଗୁପ୍ତାଙ୍ଗ ଫୁଲିଥିଲା ଏବଂ ସେହି ପିଲା ଏଥିପାଇଁ କଷ୍ଟ ପାଉଥିଲା। ପିଲାର ସେବାଯତ୍ନ କରୁଥିବା ବାପା ଏହା ଜାଣି ପାରିଥିଲେ। ଡାକ୍ତରଙ୍କ ପରାମର୍ଶ ଓ ଚିକିତ୍ସା ପାଇଁ ସେ ପୁଅର ନଗ୍ନ ଫଟୋ ଆଣ୍ଡ୍ରଏଡ ଫୋନରେ ଉଠାଇଥିଲେ। ଆଗାମୀ ଦିନରେ ସେହି ରୋଗ କିଭଳି ରୂପ ନେଉଛି ତାହା ଜାଣିବା ଏବଂ ତଥ୍ୟ ସାଇତି ରଖିବା ପାଇଁ ଫଟୋ ଉଠାଇଥିଲେ।
ସୂଚନା ଅନୁଯାୟୀ, ୨୦୨୧ ଫେବ୍ରୁଆରି ମାସର ଏକ ଶୁକ୍ରବାରରେ ସଂପୃକ୍ତ ପିଲାର ମାଆ ଜଣେ ନର୍ସଙ୍କୁ ଘରକୁ ଡାକି ଆଣି ଡାକ୍ତରଙ୍କ ଦ୍ବାରା ଚିକିତ୍ସା ପାଇଁ ପରାମର୍ଶ ନେବା ସମୟର ବ୍ୟବସ୍ଥା କରିଥିଲେ। ସେତେବେଳେ ମହାମାରୀ ଚାଲିଥିବାରୁ ଭିଡିଓ ଦ୍ବାରା ଡାକ୍ତରଙ୍କ ଦ୍ବାରା ରୋଗୀ ଦେଖାଇବାର ବ୍ୟବସ୍ଥା ଏହାର ଉଦ୍ଦେଶ୍ୟ ଥିଲା। ସେହି ଫଟୋକୁ ଡାକ୍ତରଙ୍କ ନିକଟକୁ ପଠାଇଲେ ସେ ଆଗୁଆ ତାହାର ଅନୁଧ୍ୟାନ କରିପାରିବେ ବୋଲି ନର୍ସ ପରାମର୍ଶ ଦେଇଥିଲେ। ଏହାପରେ ବାପାମାଆ ସେହି ଫଟୋକୁ କ୍ଲାଉଡରେ ଅପଲୋଡ଼ କରିବା ସହିତ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ସେୟାର କରିଥିଲେ। ଡାକ୍ତର ଏହି ଫଟୋ ଦେଖିବା ପରେ ରୋଗ ଚିହ୍ନଟ କରି ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ମାର୍କ ନାମକ ସେହି ବ୍ୟକ୍ତିଙ୍କ ପାଇଁ ଏହା ବଡ଼ ଧରଣର ଅସୁବିଧା ସୃଷ୍ଟି କରିଛି। ତାଙ୍କ ଛୋଟ ପୁଅର ନଗ୍ନ ଫଟୋ ଉଠାଇଥିବାରୁ ପୁଲିସ ତଦନ୍ତର ସାମ୍ନା କରିଛନ୍ତି। କେବଳ ମାର୍କ ନାମରେ ପରିଚିତ ହେବାକୁ ଅନୁମତି ଦେଇଥିବା ସଂପୃକ୍ତ ବ୍ୟକ୍ତିଜଣକ ଶିଶୁଙ୍କ ଯୌନ ଫଟୋର ଅପବ୍ୟବହାରକୁ ଜଗିବା ପାଇଁ ରହିଥିବା ଆଲଗରିଦିମ୍ର ଜାଲରେ ସେ ପଡ଼ିଥିଲେ। କାରଣ ପ୍ରଯୁକ୍ତି କମ୍ପାନିଗୁଡ଼ିକ ଏସବୁ ତଥ୍ୟ ସଂଗ୍ରହ କରିଥାନ୍ତି। ଅପରାଧକୁ ରୋକିବା ପାଇଁ ସେମାନେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିଥାନ୍ତି। ଶିଶୁ ସୁରକ୍ଷା ପାଇଁ ଲଢ଼ୁଥିବା ବ୍ୟକ୍ତିମାନଙ୍କର ମତ ହେଲା ଅନଲାଇନରେ ଶିଶୁଙ୍କ ଯୌନ ସମ୍ବଳିତ ଫଟୋର ବ୍ୟାପକ ପ୍ରସାରକୁ ରୋକାଯିବା ଆବଶ୍ୟକ। କିନ୍ତୁ ପିଲାର ବାପା ମାର୍କଙ୍କ କହିବାନୁଯାୟୀ ସେ କିଛି ଭୁଲ କରିନାହାନ୍ତି। ପୁଲିସ ମଧ୍ୟ ମାର୍କଙ୍କ କଥାରେ ରାଜି ହୋଇଛି। ତେବେ ଗୁଗୁଲ୍ ରାଜିନୁହେଁ। ଫଟୋ ଉଠାଇବାର ଦୁଇଦିନ ପରେ ତାଙ୍କ ଫୋନକୁ ଏକ ନୋଟିସ ଆସିଥିଲା। ହାନିକାରକ ବିଷୟ (ବେଆଇନ ହୋଇପାରେ) ଥିବାରୁ ତାଙ୍କ ଆକାଉଣ୍ଟକୁ ନିଷ୍କ୍ରିୟ କରି ଦିଆଯାଇଥିଲା। ଲର୍ନ ମୋର ଲିଙ୍କ୍କୁ ଯିବାପରେ ଶିଶୁ ଯୌନ ଅପବ୍ୟବହାର ସମେତ ଅନେକ ସମ୍ଭାବ୍ୟ କାରଣ ସେଥିରେ ତାଙ୍କୁ ଦର୍ଶାଯାଇଥିଲା।
ପ୍ରଥମେ ମାର୍କ କିଛି ବୁଝି ନପାରି ଦ୍ବନ୍ଦ୍ବରେ ପଡ଼ିଥିଲେ। କିନ୍ତୁ ପରେ ପୁଅର ସଂକ୍ରମଣ ଫଟୋ କଥା ତାଙ୍କର ମନେ ପଡ଼ିଥିଲା। ଗୁଗୁଲ୍ ନେଇଥିବା ଏ ପ୍ରକାର ନିଷ୍ପତ୍ତିର ସମୀକ୍ଷା ପାଇଁ ସେ କମ୍ପାନିକୁ ଏକ ଫର୍ମ ପୂରଣ କରି ପଠାଇଥିଲେ। ସେଥିରେ ସେ ପୁଅର ସଂକ୍ରମଣ ବିଷୟ ଉଲ୍ଲେଖ କରିଥିଲେ। କିଛିଦିନ ପୂର୍ବେ ଗୁଗୁଲ୍ ଏହାର ଉତ୍ତର ଦେଇଛି। ଆକାଉଣ୍ଟକୁ ପୁଣିଥରେ ସକ୍ରିୟ କରିବ ନାହିଁ ବୋଲି ଧାଡ଼ିକିଆ ଉତ୍ତର ଦେଇଛି। ଏଭଳି ସ୍ଥିତିରେ ମାର୍କ ତାଙ୍କର ଗୁଗୁଲ୍ ଆକାଉଣ୍ଟରେ ଥିବା ସମସ୍ତ ଡାଟା ହରାଇଛନ୍ତି।
ଗୁଗୁଲ୍ କହିଛି, ଶିଶୁ ଯୌନ ଅପବ୍ୟବହାର ସମ୍ବଳିତ ବିଷୟବସ୍ତୁ ବହୁଳମାତ୍ରାରେ ଆସୁଛି। ତେଣୁ ଆମେ ତାହାକୁ ରୋକିବା ପାଇଁ ପ୍ରତିଶ୍ରୁତିବଦ୍ଧ। ମାର୍କ କିନ୍ତୁ ଏ ବିଷୟରେ ଜାଣି ନଥିଲେ। ତେବେ ଗୁଗୁଲ୍ର ସମୀକ୍ଷା ଟିମ୍ ତଦନ୍ତକାରୀ ପୁଲିସକୁ ଏହି ସୂଚନା ଦେଇଥିଲେ। ୨୦୨୧ ଡିସେମ୍ବରରେ ମାର୍କ ପୁଲିସ ଠାରୁ ଏକ ଚିଠି ମଧ୍ୟ ପାଇଥିଲେ। ତେବେ ଏଥିରେ କୌଣସି ଅପରାଧ ହୋଇ ନଥିବା ବିଷୟ ଜାଣିବା ପରେ ପୁଲିସ ସେହି ମାମଲାକୁ ବନ୍ଦ କରିଦେଇଥିଲା। ମାର୍କ ପୁଲିସର ସେହି ରିପୋର୍ଟକୁ ଗୁଗୁଲ୍କୁ ପ୍ରଦାନ କରିଥିଲା। କିନ୍ତୁ ଆକାଉଣ୍ଟ ସକ୍ରିୟ କରିବା ନେଇ କୌଣସି ସୁଫଳ ମିଳି ନଥିଲା।