‘ଟେକେନ୍‌’ ଫିଲ୍ମ ଷ୍ଟାଇଲ୍‌ରେ ଅପହୃତ ଝିଅକୁ ଉଦ୍ଧାର କଲେ ବାପା

ମୁମ୍ବାଇ: ଜଣେ ଦିନ ମଜୁରିଆ ବାପା ତାଙ୍କ ଅପହୃତ ଝିଅକୁ ଉଦ୍ଧାର କରିବା ପାଇଁ ପ୍ରତିକୂଳ ପରିସ୍ଥିତି ଭିତରେ ଯେଭଳି ସଂଘର୍ଷ କରିଛନ୍ତି ଏବଂ ଅପହର୍ତ୍ତା କବଳରୁ ଝିଅକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ତାହା ଆଜି ଚର୍ଚ୍ଚାରେ ରହିଛି। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରୁ ଉକ୍ତ ଶ୍ରମିକଙ୍କ ୧୨ ବର୍ଷର ଝିଅକୁ ଅପହରଣ କରି ଜଣେ ଦୁର୍ବୃତ୍ତ ଉତ୍ତରପ୍ରଦେଶ ନେଇଯାଇଥିଲା। ବାନ୍ଦ୍ରାର ଏକ ପୋଷାକ ତିଆରି ଉଦ୍ୟୋଗରେ କାମ କରୁଥିବା ସାହିଦ ଖାନ (୨୪) ଝିଅଟିକୁ ଅପହରଣ କରି ଗତ ୪ ତାରିଖରେ ପ୍ରଥମେ ବସ୍‌ରେ ସୁରଟ୍‌ ନେଇଥିଲା ଏବଂ ସେଠାରୁ ପୁଣି ଟ୍ରେନ୍‌ରେ ଦିଲ୍ଲୀ ଆଣିଥି‌ଲା। ଦିଲ୍ଲୀରୁ ସେ ଉତ୍ତରପ୍ରଦେଶ ନେଇ ଆଲିଗଡ଼ର ଏକ ଗ୍ରାମରେ ବନ୍ଦୀ କରି ରଖିଥିଲା।

ଝିଅକୁ ଅପହରଣ କରାଯାଇଥିବା ଜଣାପଡ଼ିବା ମାତ୍ରେ ଝିଅର ବାପା ପାଖ ପଡ଼ିଶା ଏବଂ ସ୍ଥାନୀୟ ଲୋକଙ୍କୁ ପଚାରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ ଏବଂ ସେଥିରୁ ଅପହରଣକାରୀ ସଂପର୍କରେ କିଛି ତଥ୍ୟ ପାଇଥିଲେ। ଏହାପରେ ସେ ଅପହରଣକାରୀ କାମ କରୁଥିବା କାରଖାନାର ଠିକଣା ପାଇବା ପରେ ସେଠାରୁ ଅଧିକ ତଥ୍ୟ ସଂଗ୍ରହ କରିଥିଲେ। ଅପହରଣକାରୀ ଅଲିଗଡ଼ ଅଂଚଳର ବୋଲି ଜଣାପଡ଼ିବା ସହ ତା’ ଗ୍ରାମର ଠିକଣା ମଧ୍ୟ ପାଇଥିଲେ। ଏହାପରେ ପୁଲିସ ସହାୟତାରେ ଝିଅର ବାପା ଉକ୍ତ ଗ୍ରାମରେ ପହଞ୍ଚି ଅପହରଣକାରୀ କବଳରୁ ଝିଅକୁ ଉଦ୍ଧାର କରିଥିଲେ। ପ୍ରସିଦ୍ଧ ହଲିଉଡ୍‌ ଚଳଚ୍ଚିତ୍ର ‘ଟେକେନ’ରେ ଲିଆମ ନିସନ ଯେଭଳି ଅପହୃତ ଝିଅକୁ ଉଦ୍ଧାର ପାଇଁ ସଂଘର୍ଷ କରିଥିଲେ ଏବଂ ଅପହରଣକାରୀଙ୍କୁ ଠାବ କରିଥିଲେ ସେଭଳି ସଂଘର୍ଷ କରି ଝିଅକୁ ଉଦ୍ଧାର କିରବାରେ ଜଣେ ଦିନ ମଜୁରିଆ ସକ୍ଷମ ହେବା ବେଶ ଚର୍ଚ୍ଚାରେ ରହିଛି । ନାବାଳିକାକୁ ଅପହରଣକାରୀ ନିଶାଦ୍ରବ୍ୟ ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା‌ ଜଣାପଡ଼ିଛି । ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ପୋକ୍‌ସୋ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ।

ସମ୍ବନ୍ଧିତ ଖବର