ଡ୍ରଗ୍ସ ପାଇଁ ଶିଶୁପୁତ୍ରକୁ ୪୦ ହଜାରରେ ବିକିଲା ବାପା

ନୂଆଦିଲ୍ଲୀ: ଡ୍ରଗ୍ସ କିଣିବା ପାଇଁ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ମାତ୍ର ୪୦ ହଜାର ଟଙ୍କାରେ ବିକ୍ରି କରିଛି ଜଣେ ନିଶାସକ୍ତ ବାପା। ଘଟଣାଟି ଘଟିଛି ଆସାମର ମୋରିଗାଁ ଜିଲ୍ଲାରେ। ଘଟଣାରୁ ଜଣାପଡ଼ିଛି, ରାଜଧାନୀ ଗୌହାଟୀଠାରୁ ୮୦ କିଲୋମିଟର ଦୂର ମୋରିଗାଁର ଲାହାରିଘାଟ ଗ୍ରାମରେ ରହନ୍ତି ଅମିନୁଲ ଇସ୍‌ଲାମ। ସେ ନିଜ ଶିଶୁପୁତ୍ରକୁ ସାଜିଦା ବେଗମ୍‌ଙ୍କୁ ବିକ୍ରି କରି ଦେଇଥିଲା। ପିଲାଟିର ମାଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉଭୟ ଅମିନୁଲ୍‌ ଓ ସାଜିଦାଙ୍କୁ ଗିରଫ କରିଛି। ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ଗତ କିଛି ମାସ ହେଲା ଅମିନୁଲ୍‌ର ପତ୍ନୀ ରୁକ୍ମିନା ବେଗମ୍‌ ନିଜ ବାପାଙ୍କ ଘରେ ରହୁଥିଲେ।

ଅମିନୁଲ୍‌ ସବୁବେଳେ ଡ୍ରଗ୍ସ ଖାଇଥାଏ। ଦିନେ ହଠାତ୍‌ ସେ ଶଶୁର ଘରକୁ ଯାଇ ଆଧାର କାର୍ଡ ତିଆରି କରିବ ବୋଲି କହି ଶିଶୁପୁତ୍ରକୁ ଧରି ଚାଲି ଆସିଥିଲା। ୩-୪ ଦିନ ପରେ ପୁଅକୁ ଫେରାଇବାକୁ ନ ଆସିବାରୁ ରୁକ୍ମିନାର ସନ୍ଦେହ ହୋଇଥିଲା। ସେ ୫ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ପାଇ ପୁଲିସ ଅମିନୁଲ୍‌କୁ ଗିରଫ କରି ପଚରା ଉଚରା କରିବା ପରେ ଶିଶୁପୁତ୍ରକୁ ବିକ୍ରି କରିଥିବା ସେ ସ୍ବୀକାର କରିଥିଲା। ପୁଲିସ ମୋରିଗାଁକୁ ଯାଇ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ସାଜିଦା ବେଗମ୍‌କୁ ଗିରଫ କରିଥିଲା। ଶିଶୁପୁତ୍ରକୁ ତାର ମା’କୁ ହସ୍ତାନ୍ତର କରି ପୁଲିସ ଉଭୟଙ୍କୁ ଅଦାଲତରେ ହାଜର କରାଇଛି।

ସମ୍ବନ୍ଧିତ ଖବର