ସମ୍ବଲପୁର: ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯିବାର ଲୋମହର୍ଷଣକାରୀ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସମ୍ଭବତଃ ଯୁବତୀ ଜଣକ କୌଣସି ନାଳକୁ ଗାଧୋଇ ଯାଇଥିବା ସମୟରେ ତାଙ୍କୁ ନିକଟସ୍ଥ ଜଂଗଲକୁ ଟେକି ନିଆଯାଇଛି। 

Advertisment

ଯୁବତୀଙ୍କୁ ଉଲଗ୍ନ କରି ଭିଡିଓ ଉତ୍ତୋଳନ କରୁଛନ୍ତି। ମୁହଁରେ ଗାମୁଛା ଘୋଡ଼େଇ ହୋଇଥିବା ଜଣେ ଯୁବକ ପଛପଟୁ ଯୁବତୀଙ୍କୁ ଭିଡ଼ି ଧରିଥିବା ବେଳେ ଅନ୍ୟ ୨ ଜଣ ଯୁବତୀଙ୍କୁ ଉଲଗ୍ନ କରିବା ଏବଂ ଜଣେ ଯୁବକ  ମୋବାଇଲ ଫୋନ୍‌ରେ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳୁଛି। ମୋବାଇଲ ଫୋନ୍‌ରେ ଭିଡିଓ ଉତ୍ତୋଳନ କରୁଥିବା ଜଣେ ଯୁବକଙ୍କ ଚିତ୍ର ଏଥିରେ ରହିଥିବାରୁ ଅନ୍ୟ ଜଣେ ଯୁବକ ଭିଡିଓ କରୁଥିବା ଏବଂ ଏହି ଅମାନବୀୟ ଘଟଣାରେ ଅନ୍ୟୂନ ୫ ଜଣ ଯୁବକ ସାମିଲ ଥିବା ଅନୁମାନ କରାଯାଉଛି। ଅସହାୟ ଯୁବତୀଜଣକ ରକ୍ଷା ପାଇବା ପାଇଁ ଚିତ୍କାର କରୁଥିବା ଶୁଣିବାକୁ ମିଳିଛି।

ଯେହେତୁ, ଜଣେ ଯୁବକ ମୁହଁରେ ଗାମୁଛା ‌ଘୋଡ଼େଇ ହୋଇଛି, ସେ ଯୁବତୀଙ୍କ ପରିଚିତ ହୋଇଥିବା ଏବଂ ଯୋଜନାବଦ୍ଧ ଭାବେ ଏସବୁ କରାଯାଉଥିବା ସନ୍ଦେହ ହେଉଛି। ଭିଡିଓଟି କିଛିଦିନ ତଳେ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ ହୋଇଥିଲା। ଏବେ ଗୋଟିଏ ‌ମୋବାଇଲ ଫୋନ୍‌ରୁ ଅନ୍ୟ ମୋବାଇଲ୍‌ ଫୋନ୍ ଘୂରି ବୁଲୁଛି। ଭିଡିଓ କରୁଥିବା ସମୟରେ ଯୁବକମାନଙ୍କ କଥାବାର୍ତ୍ତା ଏବଂ  ଯୁବତୀ ଜଣକ ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ସମ୍ବଲପୁରୀ ଭାଷାରେ ଚିତ୍କାର କରୁଥିବାରୁ ଘଟଣାଟି ସମ୍ବଲପୁର କିମ୍ବା ପଶ୍ଚିମ ଓଡ଼ିଶାର କୌଣସି  ଅଂଚଳର ହୋଇଥିବା ସନ୍ଦେହ କରାଯାଉଛି। ଏ ସଂକ୍ରାନ୍ତରେ ସମ୍ବଲପୁର ଏସ୍‌ପି ମୁକେଶ ଭାମୁଙ୍କୁ ପଚାରିବାରୁ ସେ କହିଲେ, ଏହି ଘଟଣାକୁ ଗୁରୁତ୍ବର ସହିତ ନିଆଯାଉଛି। ଏହାର ତଦନ୍ତ ଆରମ୍ଭ ହୋଇଛି, ଶୀଘ୍ର ଅଭିଯୁକ୍ତମାନେ ଧରାପଡ଼ିବେ।