କାବୁଲ ବିମାନ ବନ୍ଦରକୁ ଫେରିଲେ ମହିଳା କର୍ମଚାରୀ: ପ୍ରାଣ ଭୟରେ ସଂଗୀତଜ୍ଞ କାବୁଲ ଛାଡ଼ୁଛନ୍ତି

କାବୁଲ୍‌: ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ୍‌କୁ ଦଖଲ କରିବାର ମାସେ ପାଖାପାଖି ହେଲାଣି। କାବୁଲ୍‌ ବିମାନ ବନ୍ଦରରେ କାର୍ଯ୍ୟରତ ୮୦ରୁ ଅଧିକ ମହିଳା କର୍ମଚାରୀମାନଙ୍କ ମଧ୍ୟରୁ ମାତ୍ର ୧୨ ଜଣ କାର୍ଯ୍ୟସ୍ଥଳୀକୁ ଫେରିଛନ୍ତି। ରାଜଧାନୀର ବହୁତ କମ୍‌ ମହିଳାଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ଅନୁମତି ମିଳିଛି। ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ଅନ୍ୟ କୌଣସି ମହିଳା କାର୍ଯ୍ୟ କ୍ଷେତ୍ରକୁ ଫେରି ପାରିବେ ନାହିଁ ବୋଲି ତାଲିବାନ କହିଛି। ଶନିବାର ୬ ଜଣ ମହିଳା କର୍ମଚାରୀ ବିମାନ ବନ୍ଦରର ମୁଖ୍ୟଦ୍ବାରରେ ଡିଉଟି କରିଥିଲେ। ଘରୋଇ ବିମାନରେ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କୁ ସ୍କାନିଂ କରିବା ସହ ଅପେକ୍ଷାରତ ଯାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଅନ୍ୟମାନେ ସେମାନଙ୍କ ପୂର୍ବ କାର୍ଯ୍ୟରେ ନିୟୋଜିତ ଥିଲେ। ତାଲିବାନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି, ନୂଆ ନିୟମ ଅନୁଯାୟୀ ମହିଳାମାନେ ଇସ୍‌ଲାମଙ୍କ ସିଦ୍ଧାନ୍ତ ଅନୁସାରେ କାମ କରିପାରିବେ। ବାସ୍ତବରେ ସେମାନଙ୍କ ଉଦ୍ଦେଶ୍ୟ କ’ଣ ସେ ସମ୍ପର୍କରେ କୌଣସି ବିବରଣୀ ଦିଆଯାଇ ନାହିଁ।

ପ୍ରାଣ ଭୟରେ ସଂଗୀତଜ୍ଞ କାବୁଲ ଛାଡ଼ୁଛନ୍ତି

କାବୁଲ: ଆଫଗାନିସ୍ତାନରେ ତାଲିବାନମାନେ ଶାସନଡୋରି ଧରିବା ପରେ କାବୁଲରେ ଥିବା ସଂଗୀତଜ୍ଞ ଓ କଳାକାରମାନେ ସଂଗୀତ କାର୍ଯ୍ୟକ୍ରମ ସବୁ ବନ୍ଦ କରି କେଉଁଠି ଯାଇ ଲୁଚିଲେଣି କିମ୍ବା ଦେଶ ଛାଡ଼ି ପଳାଇଲେଣି। ଦେଶରେ ଏ ଶିଳ୍ପର ବ୍ୟାପକ କ୍ଷତି ହେବା ସହ ସଂଗୀତ ଶିଳ୍ପ ଏକ ପ୍ରକାର ମୃତ ଅବସ୍ଥାକୁ ଆସିଯାଇଛି। ତାଲିବାନମାନେ ଆଫଗାନିସ୍ତାନକୁ ପୂର୍ଣ୍ଣତଃ ନିଜ କବ୍‌ଜାକୁ ନେବା ପରଠାରୁ କଳାକାରମାନେ ସେମାନଙ୍କ ବାଦ୍ୟଯନ୍ତ୍ର ଓ ସାଜସରଞ୍ଜାମ ଆଦି ଘରକୁ ନେବାରେ ଲାଗିଛନ୍ତି। କେଉଁଠି କେଉଁଠି ସେଗୁଡ଼ିକ ଷ୍ଟୋର ରୁମ୍‌ରେ ଭର୍ତ୍ତି କରି ତାଲା ପକାଇଦେଇଛନ୍ତି। ସେମାନଙ୍କ ଭୟ ତାଲିବାନମାନେ ୨୦ ବର୍ଷ ତଳେ ଯେମିତି କରିଥିଲେ ଏଥର ସେମିତି ନୃତ୍ୟସଂଗୀତକୁ ବେଆଇନ ଘୋଷଣା କରିପାରନ୍ତି। ଜୀବନ ଭୟରେ ଅନେକ ସଂଗୀତଜ୍ଞ ଓ କଳାକାର କାବୁଲ ଛାଡ଼ି ପାକିସ୍ତାନ ପଳାଇଛନ୍ତି।

ସମ୍ବନ୍ଧିତ ଖବର