ଡେରାଡୁନ୍‌-ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ : ଡେରାଡୁନ୍‌-ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ୍‌ର ଏକ ବଗିରେ ଆଜି ନିଆଁ ଲାଗିଯାଇଥିଲା। ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଆଜି ମଧ୍ୟାହ୍ନ ୧୨ଟା ସମୟରେ ଡେରାଡୁନ୍‌-ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ୍‌ର ୮ ନମ୍ବର ବଗିରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଥିଲା। ଏହି ବଗିରେ ଥିବା ୩୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ବଗିକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ନିଆଁ ଲାଗିଥିବା ବଗିଟିକୁ ଟ୍ରେନ୍‌ରୁ ଅଲଗା କରାଯାଇଥିଲା। ଉତ୍ତରାଖଣ୍ଡ ପୁଲିସ ମୁଖ୍ୟ ଅଶୋକ କୁମାର କହିଛନ୍ତି, ଟ୍ରେନ୍‌ଟି ଦିଲ୍ଲୀରୁ ଡେରାଡୁନ୍‌ ଆସୁଥିବା ବେଳେ କସ୍‌ରୋ ରେଳ ଷ୍ଟେସନ୍‌ ନିକଟରେ ବଗିରେ ନିଆଁ ଲାଗିଥିଲା। ଡେରାଡୁନ୍‌-ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ୍‌ ଗସ୍ତବ୍ୟସ୍ଥଳ ଡେରାଡୁନ୍‌ରେ ପହଞ୍ଚିବାପରେ ସମସ୍ତ ଯାତ୍ରୀମାନଙ୍କୁ ଆବଶ୍ୟକ ସହଯୋଗ ପ୍ରଦାନ କରାଯାଇଛି। ଡେରାଡୁନ୍‌-ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ୍‌ରେ ମୋଟ୍‌ ୧୨ଟି ବଗି ଅଛି ଏବଂ ଯାତ୍ରା ସମୟରେ ଟ୍ରେନ୍‌ରେ ମୋଟ୍‌ ୩୧୬ ଯାତ୍ରୀ ଥିଲେ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର