ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସୁଡ଼ଙ୍ଗରେ ୧୭ ଦିନ ଧରି ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାରକାରୀ ଦଳ ଗତକାଲି ସନ୍ଧ୍ୟାରେ ଉଦ୍ଧାର କରିବା ପରେ ସେମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା। ଶ୍ରମିକମାନେ ଟନେଲ ଭିତରେ ଥିବା ସମୟରେ ସେମାନଙ୍କୁ ଯଥେଷ୍ଟ ପରିମାଣରେ ଖାଦ୍ୟ ଦିଆଯାଉଥିଲା। ଏବେ ବି ଟନେଲ ଭିତରେ ଆଉ ୨୫ ଦିନର ଖାଦ୍ୟ ବଳକା ଅଛି ବୋଲି କହିଛନ୍ତି ଉଦ୍ଧାର ପାଇଥିବା ଜଣେ ଶ୍ରମିକ। ଅଖିଳେଶ ସିଂହ ଗଣମାଧ୍ୟମକୁ କହିଛନ୍ତି, ମୋ ସାମ୍ନାରେ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିଥିଲା ଏବଂ ପ୍ରବଳ ଶବ୍ଦରେ ଆମେ ଥରି ଉଠିଥିଲୁ। ୧୮ ଘଣ୍ଟା ପର୍ଯ୍ୟନ୍ତ ଆମର ବାହ୍ୟ ଜଗତ ସହ କୌଣସି ଯୋଗାଯୋଗ ହୋଇନଥିଲା ଏବଂ ଏହା ଆମକୁ ବିଚଳିତ କରୁଥିଲା।

Advertisment

ତାଲିମ ଅନୁଯାୟୀ, ଆମେ ଫସିଯିବା ପରେ ଏକ ପାଣି ପାଇପ୍ ଖୋଲିଲୁ। ଯେତେବେଳେ ପାଣି ଖସିବାକୁ ଲାଗିଲା, ବାହାରେ ଥିବା ଲୋକମାନେ ବୁଝିଲେ ଯେ ସେଠାରେ ଲୋକମାନେ ଫସି ରହିଛନ୍ତି ଏବଂ ସେହି ପାଇପ୍ ମାଧ୍ୟମରେ ଆମକୁ ଅମ୍ଳଜାନ ପଠାଇବା ଆରମ୍ଭ କରିଥିଲେ। ଅମ୍ଳଜାନ ଆସିବା ପରେ ଆମେ ଆଶ୍ବସ୍ତ ହେଲୁ ଏବଂ ଉଦ୍ଧାରକାରୀମାନେ ଆବର୍ଜନା ଭିତର ଦେଇ ଏକ ଷ୍ଟିଲ୍ ପାଇପ୍ ପକାଇବାରେ ସଫଳ ହେବା ପରେ ପର୍ଯ୍ୟାପ୍ତ ଖାଦ୍ୟ ପଠାଯାଇଥିଲା। ଏବେ ବି ଟନେଲରେ ୨୫ ଦିନ ପାଇଁ ଖାଦ୍ୟ ରହିଛି। ଶ୍ରୀ ସିଂହ କହିଛନ୍ତି ଯେ ସେ ଏବେ ଘରକୁ ଯାଇ ଅତି କମ୍‌ରେ ମାସେ ଦୁଇମାସ ବିଶ୍ରାମ ନେବାକୁ ଯୋଜନା କରିଛନ୍ତି।