ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷର ପ୍ରଥମ ବାର୍ଡଫ୍ଲୁ ମୃତ୍ୟୁ ହୋଇଛି। ଜଣେ ୧୧ ବର୍ଷୀୟ ବାଳକ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗତ ୨ ତାରିଖରୁ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କର ବାର୍ଡଫ୍ଲୁ ଯୋଗୁଁ ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ ହୋଇଛି। ତାଙ୍କ ସଂସ୍ପର୍ଶରେ ଅନ୍ୟ ଯେଉଁମାନେ ଆସିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ମିଳିଥିବା ସୂଚନାନୁଯାୟୀ ହରିୟାଣାର ଏହି ବାଳକ ଜୁଲାଇ ୨ରେ ପ୍ରବଳ ଜ୍ବର ଏବଂ କାଶ ଯୋଗୁଁ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପ୍ରଥମେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ କୋଭିଡ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିବାପରେ ତାଙ୍କର ଅନ୍ୟାନ୍ୟ ଟେଷ୍ଟ୍ କରାଯାଇଥିଲା ଏବଂ ସେ ଇନଫ୍ଲୁଏଞ୍ଜା ଭାଇରସ୍ରେ ସଂକ୍ରମିତ ବୋଲି ଜଣାପଡ଼ିଲା।
ଉଲ୍ଲେଖଯୋଗ୍ୟ, ଗତ ୧୫ ବର୍ଷ ଧରି ଭାରତରେ କେବଳ କୁକୁଡ଼ାଙ୍କୁ ବାର୍ଡଫ୍ଲୁ ହେଉଥିବା ଦେଖାଯାଇଛି। ବାର୍ଡଫ୍ଲୁ ଯୋଗୁଁ ଦେଶରେ ପୂର୍ବରୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନଥିଲା। ବାର୍ଡଫ୍ଲୁରେ ମୃତ୍ୟୁ ହୋଇଥିବା ବାଳକଙ୍କୁ ଯେଉଁ ଡାକ୍ତର, ନର୍ସ୍ ଚିକିତ୍ସା କରିଥିଲେ ସେମାନଙ୍କୁ ଆଇସୋଲେସନ୍ରେ ରଖାଯାଇଛି। ଅନ୍ୟମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଜଣେ ଏମ୍ସ ଡାକ୍ତର କହିଛନ୍ତି, ଇନଫ୍ଲୁଏଞ୍ଜା ଭାଇରସ୍ର କେଉଁ ପ୍ରଜାତିରେ ସେ ସଂକ୍ରମିତ ହୋଇଥିଲେ ତାହା ଜାଣିବାପାଇଁ ଉଦ୍ୟମ ଜାରି ରହିଛି।