କିବ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ଆଜି ୧୨ ଦିନ ପୂରିଥିବାବେଳେ ଲଢ଼େଇ ଜୋରଦାର ହୋଇଛି। ୟୁକ୍ରେନର ପ୍ରମୁଖ ସହରମାନଙ୍କରେ ରୁଷ୍ ଘମାଘୋଟ ଲଢ଼େଇ ଜାରି ରଖିଛି। ଘନ ଘନ ବିମାନ ଆକ୍ରମଣ ସାଙ୍ଗକୁ ରକେଟ୍ ମାଡ଼ ଅନେକ ଜୀବନ ନେଲାଣି। ଇତି ମଧ୍ୟରେ ରୁଷ୍ ଆଜି ୟୁକ୍ରେନ୍ ରାଜଧାନୀ କିବ୍ରେ ପ୍ରଥମ ଥର ପାଇଁ ଯୁଦ୍ଧବିରତି ଘୋଷଣା କରିଛି। କିବ୍ ସମେତ ଅନ୍ୟ ୩ଟି ସହର ମରିପଲ, ଖାରକିଭ ଏବଂ ସୁମିରେ ମଧ୍ୟ ରୁଷ୍ ଯୁଦ୍ଧବିରତି ଘୋଷଣା ହୋଇଛି। ଉକ୍ତ ୪ ସହରରୁ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ରୁଷ୍ ଯୁଦ୍ଧବିରତି ଘୋଷଣା କରିଛି। ମସ୍କୋ ସମୟ ସକାଳ ୧୦ଟାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଅନୁରୋଧ କ୍ରମେ ରୁଷ୍ ମାନବୀୟ କରିଡର ଖୋଲିବ ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛନ୍ତି। ୩ଟି ସହରରୁ ମାନବୀୟ କରିଡର ଖୋଲିବାକୁ ରୁଷ୍ ଯୋଜନା କରିଛି।
ମିଳିଥିବା ସୂଚନାନୁଯାୟୀ କିବ୍ରୁ ଖୋଲିବାକୁ ଥିବା ମାନବୀୟ କରିଡର୍ ଦ୍ବାରା ନାଗରିକମାନେ ବେଲାରୁଷ୍ ଯିବେ ଏବଂ ଖାର୍କିଭରୁ ନାଗରିକମାନେ ସିଧାସଳଖ ରୁଷ୍ ଯିବେ। କିନ୍ତୁ ୟୁକ୍ରେନ୍ ରୁଷ୍ର ଏପ୍ରକାର ମାନବୀୟ କରିଡର୍କୁ ସମାଲୋଚନା କରିଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ମୁଖପାତ୍ର ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଅନୈତିକ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଶନିବାର ଦିନ ମଧ୍ୟ ରୁଷ୍ ମରିପଲ୍ ଏବଂ ବଲନୋବଖାରେ ଯୁଦ୍ଧବିରତି ଘୋଷଣା କରିଥିଲା। ୟୁକ୍ରେନ୍ର ଦାବି ଅନୁଯାୟୀ ରୁଷ୍ ମାନବୀୟ କରିଡର ପ୍ରଦାନ କରୁଥିବା କହିଥିଲେ ସୁଦ୍ଧା ଉପରୋକ୍ତ ୪ଟି ସହରରେ ଏହା ଆକ୍ରମଣ ଜାରି ରଖିଛି। ଶନିବାର ଏବଂ ରବିବାର ମଧ୍ୟ ରୁଷ୍ କିଛି ସହରରେ ଯୁଦ୍ଧବିରତି ଘୋଷଣା କରିଥିଲା। କିନ୍ତୁ ଏହା ସତ୍ତ୍ବେ ଉଦ୍ଧାରସ୍ଥଳ ନିକଟରେ ଗୁଳିଗୋଳା ମାଡ଼ ହୋଇଥିବା ୟୁକ୍ରେନ୍ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି।