ପାଟନା: ବିହାରରେ ସରକାର ଗଠନ ହେବାର ୨ ଦିନ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ଦୁର୍ନୀତି ଅଭିଯୁକ୍ତ ଜେଡିୟୁ ବିଧାୟକ ମେୱାଲାଲ୍ ଚୌଧୁରୀ ଶିକ୍ଷା ମନ୍ତ୍ରୀ ହୋଇଥିବାରୁ ଏହାକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଆର୍ଜେଡି ଏହି ପ୍ରସଙ୍ଗରେ ଶାସକ ଏନ୍ଡିଏ ମେଣ୍ଟକୁ ପ୍ରଶ୍ନ କରିଛି। ସଂଖ୍ୟାଲଘୁ ସମ୍ପ୍ରଦାୟର ବିଧାୟକଙ୍କୁ ଅଣଦେଖା କରି ଜଣେ ଦାଗୀ ନେତାଙ୍କୁ ପଦୋନ୍ନତି ଦେବା ନିଷ୍ପତ୍ତି ସଂକ୍ରାନ୍ତରେ ଆର୍ଜେଡି ପ୍ରଶ୍ନ ଉଠାଇଛି। ତେବେ ଶିକ୍ଷାମନ୍ତ୍ରୀ ଚୌଧୁରୀ ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। କୃଷି ବିଶ୍ବବିଦ୍ୟାଳୟ କୁଳପତି ଥିବା ବେଳେ ତାଙ୍କ ବିରୋଧରେ କୋଠା ନିର୍ମାଣରେ ଦୁର୍ନୀତି ଏବଂ କେତେକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା। ଚୌଧୁରୀ ଭାଗଲପୁର କୃଷି ବିଶ୍ବବିଦ୍ୟାଳୟର କୁଳପତି ଥିବା ସମୟରେ ୨୦୧୭ରେ ବଡ଼ ଧରଣର ଦୁର୍ନୀତି ଓ ଅନିୟମିତତା ସାମ୍ନାକୁ ଆସିଥିଲା। ଆର୍ଜେଡି ନେତା ତେଜସ୍ବୀ ଯାଦବ ଆଜି ଟ୍ବିଟ୍ କରି କହିଛନ୍ତି, ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ କୁମାର କ୍ଷମତାରେ ରହିବାପାଇଁ ଅପରାଧୀଙ୍କୁ ମନ୍ତ୍ରୀ ନିଯୁକ୍ତ କରିଛନ୍ତି। ଆର୍ଜେଡି ମୁଖ୍ୟ ଲାଲୁ ଯାଦବ ମଧ୍ୟ ଜେଲ୍ରେ ରହି ଏହି ପ୍ରସଙ୍ଗରେ ବିଜେପି ଓ ଜେଡିୟୁକୁ ଟାର୍ଗେଟ୍ କରିଛନ୍ତି। କେବଳ ମେୱାଲାଲ୍ ନୁହନ୍ତି ଏଡିଆର୍ ରିପୋର୍ଟ ଅନୁଯାୟୀ ନୀତୀଶ କ୍ୟାବିନେଟ୍ରେ ନୂଆ ୧୪ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଏବଂ ୬ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ଏହି ୮ ଜଣଙ୍କ ମଧ୍ୟରୁ ବିଜେପିର ୪, ଜେଡିୟୁର ୨ ଏବଂ ହାମ୍ସ ଓ ଭିଆଇପି ଦଳରୁ ଜଣେ ଲେଖାଏଁ ଅଛନ୍ତି।
ନୀତୀଶଙ୍କ ନୂଆ କାର୍ଯ୍ୟକାଳରେ ପ୍ରଥମ ବିବାଦ: ଦାଗୀ ନେତା ହେଲେ ଶିକ୍ଷା ମନ୍ତ୍ରୀ
ନୀତୀଶ କ୍ୟାବିନେଟ୍ରେ ୮ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା
/sambad/media/post_attachments/wp-content/uploads/2020/11/Nitish_Kumar_PTI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)