ନୂଆଦିଲ୍ଲୀ: ଦେଶରେ ଆଜିଠାରୁ ୧୫-୧୮ ବର୍ଷ ପିଲାଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୪୦ ଲକ୍ଷରୁ ଅଧିକ ପିଲା ଟିକା ନେଇଥିବା କୋୱିନ୍ ପୋର୍ଟାଲରୁ ଜଣାପଡ଼ିଛି। ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲ, ସ୍କୁଲ ଓ ଟିକାକରଣ କେନ୍ଦ୍ରରେ ଆଜିଠାରୁ ଏହି ବୟସ ବର୍ଗର ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶାବଳି ଅନୁଯାୟୀ ପିଲାଙ୍କୁ କେବଳ ଭାରତ ବାୟୋଟେକ୍ର କୋଭାକ୍ସିନ୍ ଟିକା ଦିଆଯାଉଛି । ଗତ ୨୫ ତାରିଖରେ ପିଲାଙ୍କୁ ଟିକା ଦେବା ନେଇ ଘୋଷଣା କରାଯାଇଥିଲା। ଉକ୍ତ ବୟସ ବର୍ଗରେ ଦେଶରେ ୭ରୁ ୮ କୋଟି ପିଲା ଅଛନ୍ତି। ନୂଆବର୍ଷର ପ୍ରଥମ ଦିନରେ ଉକ୍ତ ବୟସ ବର୍ଗରେ ଟିକାକରଣ ପାଇଁ ପଂଜୀକରଣ ଆରମ୍ଭ ହୋଇଥିଲା। ଜାନୁଆରି ୨ ସନ୍ଧ୍ୟା ସୁଦ୍ଧା ଟିକାକରଣ ପାଇଁ କୋୱିନ୍ ଆପ୍ରେ ୭.୬ ଲକ୍ଷ ହିତାଧିକାରୀ ପଂଜୀକୃତ ହୋଇଥିଲେ। ସୋମବାର ମଧ୍ୟାହ୍ନ ସୁଦ୍ଧା ୧୨ ଲକ୍ଷ ହିତାଧିକାରୀ ଏବଂ ଅପରାହ୍ନ ୨ଟା ସୁଦ୍ଧା ୩୪ ଲକ୍ଷ ପିଲା ପଂଜୀକୃତ ହୋଇଥିଲେ।
ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ରାଜସ୍ଥାନର କୋଟାରେ ୧୫-୧୮ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ କରିଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ଗାନ୍ଧିନଗର କୋବା ନିକଟସ୍ଥ ଏକ ସ୍କୁଲ୍ରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ କରିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଏହି ବୟସ ବର୍ଗରେ ୧.୪ କୋଟି ପିଲା ଟିକା ନେବେ। ତାମିଲନାଡ଼ୁ ସ୍ବାସ୍ଥ୍ୟ ମନ୍ତ୍ରୀ ଏମ୍ଏ ସୁବ୍ରମଣ୍ୟନ କହିଛନ୍ତି, ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସର ୩୩.୪୫ ଲକ୍ଷ ଶିଶୁ ଅଛନ୍ତି। ଜାନୁଆରି ଶେଷ ସୁଦ୍ଧା ଏହି ବୟସ ବର୍ଗରେ ଶତ ପ୍ରତିଶତ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୫ ତାରିଖରେ ଦେଶରେ ୧୫-୧୮ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/65d4gh6a5d465dag4ag65dagdaggd.jpg)