କିବ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆଜି ରୁଷ୍ ଏବଂ ଆମେରିକା ମଧ୍ୟରେ ପ୍ରଥମ ଉଚ୍ଚସ୍ତରୀୟ କଥାବାର୍ତ୍ତା ହୋଇଛି। ଆମେରିକା ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍ଏସଏ) ଜ୍ୟାକ୍ ସୁଲ୍ଲିଭାନ ଏବଂ ରୁଷ୍ ସୁରକ୍ଷା ପରିଷଦ ସଚିବ ନିକୋଲାଇ ପାଟ୍ରୁଶେବଙ୍କ ମଧ୍ୟରେ ଆଜି କଥାବାର୍ତ୍ତା ହୋଇଛି। ହ୍ବାଇଟ୍ ହାଉସ୍ ପକ୍ଷରୁ ଆଜି ଏକ ବିବୃତି ଜାରି କରି ଏହି ସୂଚନା ଦିଆଯାଇଛି। ସୁଲ୍ଲିଭାନ ପାଟ୍ରୁଶେବଙ୍କୁ କହିଛନ୍ତି, ଯଦି ରୁଷ୍ କୂଟନୀତିକୁ ଗୁରୁତ୍ବ ଦେଉଛି ତେବେ ଏହା ପ୍ରଥମେ ୟୁକ୍ରେନ୍ର ସହର ଉପରେ ଆକ୍ରମଣ ବନ୍ଦ କରୁ। ୟୁକ୍ରେନରେ ଯଦି କୌଣସି ପ୍ରକାର ରସାୟନିକ କିମ୍ବା ଜୈବିକ ଅସ୍ତ୍ର ବ୍ୟବହାର ପାଇଁ ରୁଷ୍ ନିଷ୍ପତ୍ତି ନେଇଥାଏ ତେବେ ସେଥିପାଇଁ ଏହାକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସୁଲ୍ଲିଭାନ ଚେତାବନୀ ଦେଇଛନ୍ତି।
ରୁଷ୍ ୟୁକ୍ରେନ୍ ଅକ୍ତିଆର କରିବାକୁ ଚାହେନା: ପୁଟିନ
ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ୟୁକ୍ରେନ୍ରେ ସାମରିକ ଅପରେସନ୍ ସଫଳ ହୋଇଛି ଏବଂ ଏହି ରାଷ୍ଟ୍ରକୁ ଅକ୍ତିଆର କରିବାକୁ ଆମେ କଦାପି ଚାହିବୁ ନାହିଁ। ରୁଷ୍ ବିରୋଧରେ ପଶ୍ଚିମ ରାଷ୍ଟ୍ରମାନେ ଲଗାଇଥିବା କଟକଣା ବିଫଳ ହୋଇଛି ବୋଲି ପୁଟିନ୍ ଦାବି କରିଛନ୍ତି। ପୁଟିନ କହିଛନ୍ତି, ୟୁକ୍ରେନ୍ରେ ସ୍ବତନ୍ତ୍ର ସାମରିକ ଅପରେସନ୍ କରିବା ଛଡ଼ା ଆମ ପାଖରେ ଅନ୍ୟ କିଛି ବାଟ ନଥିଲା। ଆତ୍ମରକ୍ଷା ପାଇଁ ରୁଷ୍ ୟୁକ୍ରେନ୍ରେ ସ୍ବତନ୍ତ୍ର ସାମରିକ ଅପରେସନ୍ କରିଛି ବୋଲି ପୁଟିନ କହିଛନ୍ତି। ତେବେ ଅପରେସନ୍ ଆରମ୍ଭରୁ କିବ୍ କର୍ତ୍ତୃପକ୍ଷମାନଙ୍କୁ ପ୍ରଥମେ ଡୋନବାସରୁ ସୈନ୍ୟ ପ୍ରତ୍ୟାହାର ପାଇଁ କୁହାଯାଇଥିଲା। କିନ୍ତୁ ସେମାନେ କଲେନାହିଁ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରାସ୍ତା ଖୋଲିଦେଲେ।