ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପ୍ରଥମ ଭାରତୀୟ ଶୈଳୀର ହିନ୍ଦୁ ମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି। ଏକଦା ଏହି ଦେଶରେ ଏକ ମନ୍ଦିର ହେବା ଅସମ୍ଭବ ଥିଲା, କିନ୍ତୁ ବର୍ତ୍ତମାନ ଆମେ ଆମ ମନ୍ଦିରକୁ ଯିବୁ ଏବଂ ଘଣ୍ଟି ବଜାଇବୁ ବୋଲି କହିଛନ୍ତି ଜଣେ ଭକ୍ତ। ନୂଆଦିଲ୍ଲୀଠାରୁ ପ୍ରାୟ ୨୨୦୦ କିଲୋମିଟର ଦୂର, ଆରବ ମରୁଭୂମିରେ ଅବସ୍ଥିତ ଆବୁଧାବିରେ ଥିବା ବିଏପିଏସ୍ ହିନ୍ଦୁ ମନ୍ଦିରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଫେବ୍ରୁଆରି ୧୪) ଉଦ୍‌ଘାଟନ କରିବେ। ମରୁଭୂମିରେ ନିର୍ମିତ ଏହି ମନ୍ଦିର ଅନନ୍ୟ। ଏହା ମଧ୍ୟପ୍ରାଚ୍ୟର ପ୍ରଥମ ପାରମ୍ପରିକ ‘ହିନ୍ଦୁ ପଥର ମନ୍ଦିର’। ମଧ୍ୟପ୍ରାଚ୍ୟରେ ଆହୁରି କିଛି ହିନ୍ଦୁ ଓ ଶିଖ୍ ମନ୍ଦିର ଅଛି। କିନ୍ତୁ ସେଗୁଡ଼ିକ ପାରମ୍ପରିକ ହିନ୍ଦୁ ମନ୍ଦିର ଶୈଳୀର ନୁହେଁ ବରଂ ଭିଲ୍ଲା ପରି। ସେଥିପାଇଁ ୟୁଏଇର ରାଜଧାନୀ ଆବୁଧାବିର ଉତ୍ତର-ପୂର୍ବ ଦିଗରେ ଏକ ବାଲିପାହାଡ଼ ଉପରେ ନିର୍ମିତ ନୂତନ ବିଏପିଏସ୍ ହିନ୍ଦୁ ମନ୍ଦିରକୁ ଆରବୀ ଦେଶର ସାଂସ୍କୃତିକ ସୌହାର୍ଦ୍ଦ୍ୟର ପ୍ରମାଣର ଏକ ମାଇଲଖୁଣ୍ଟ ଭାବରେ ପ୍ରଶଂସା କରାଯାଉଛି। କେବଳ ଏକ ସାଂସ୍କୃତିକ ମାଇଲଖୁଣ୍ଟ ନୁହେଁ, ବିଏପିଏସ୍ ହିନ୍ଦୁ ମନ୍ଦିର ମଧ୍ୟ ଭାରତ ଓ ୟୁଏଇ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ।

Advertisment

୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ଦାୟିତ୍ୱ ଗ୍ରହଣ କରିବାର କିଛିଦିନ ପରେ ବିଏପିଏସ୍ ହିନ୍ଦୁ ମନ୍ଦିର ନିର୍ମାଣର ପରିକଳ୍ପନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୧୫ ଗସ୍ତ ପରେ ୟୁଏଇ ସରକାର ଏକ ରାଜକୀୟ ନିର୍ଦ୍ଦେଶ ମାଧ୍ୟମରେ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ୧୩.୫ ଏକର ଜମି ଉପହାର ଦେଇଥିଲେ। ଏହାବ୍ୟତୀତ ୨୦୧୯ ‘ସହନଶୀଳତା ବର୍ଷ’ରେ ଆଉ ୧୩.୫ ଏକର ଜମି ଆବଣ୍ଟନ କରିଥିଲେ। ଫଳରେ ମନ୍ଦିର ପାଇଁ ସମୁଦାୟ ୨୭ ଏକର ଜମି ମିଳିଥିଲା। ୨୦୧୮ରେ ଆରବ ଦେଶକୁ ତାଙ୍କର ଦ୍ୱିତୀୟ ରାଷ୍ଟ୍ରୀୟ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦୁବାଇ ଅପେରା ହାଉସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଏପିଏସ୍ ହିନ୍ଦୁ ମନ୍ଦିରର ଶିଳାନ୍ୟାସ କରିଥିଲେ। ୨୦୧୫ ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ୬ ଥର ୟୁଏଇ ଯାଇଛନ୍ତି ଏବଂ ଚଳିତ ଗସ୍ତ ତାଙ୍କର ସପ୍ତମ ଗସ୍ତ।