ନୂଆଦିଲ୍ଲୀ: ଆଜି ମାସର ଶେଷ ରବିବାର ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ୧୦୯ତମ ମନ୍ କୀ ବାତ୍। ୨୦୨୪ର ଏହି ପ୍ରଥମ ‘ମନ୍ କୀ ବାତ୍’ରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ରାମମନ୍ଦିରର ଏକତ୍ରୀକରଣ ଶକ୍ତି ଉପରେ ଆଲୋକପାତ କରିବା ସହ ଦେଶକୁ ଏକାଠି କରିବାରେ ଏହାର ଗୁରୁତ୍ୱ ଉପରେ ବର୍ଣ୍ଣନା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହ କିପରି ଦେଶର ବିବିଧ ନାଗରିକଙ୍କୁ ଏକଜୁଟ କରିପାରିଛି ସେ ବିଷୟରେ କହିଥିଲେ। ସାମ୍ବିଧାନିକ ଦିଗ ଉପରେ ଆଲୋକପାତ କରି ସେ କହିଛନ୍ତି, ଭାରତର ସମ୍ବିଧାନ ଏତେ ଗଭୀର ବିଚାରବିମର୍ଶ କରି ପ୍ରସ୍ତୁତ କରାଯାଇଛି ଯେ ଏହାକୁ ଅନେକ ସମୟରେ ଜୀବନ୍ତ ଦସ୍ତାବିଜ ବୋଲି କୁହାଯାଏ। ତୃତୀୟ ଅଧ୍ୟାୟର ପ୍ରାରମ୍ଭରେ ଭଗବାନ ରାମ, ମାତା ସୀତା ଓ ଲକ୍ଷ୍ମଣଙ୍କ ଚିତ୍ର ସନ୍ନିବେଶିତ କରାଯିବା ସହ ସମ୍ବିଧାନ ପ୍ରଣୟନରେ ଭଗବାନ ରାମଙ୍କ ଶାସନରୁ ମିଳିଥିବା ପ୍ରେରଣା ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାଣପ୍ରତିଷ୍ଠା ସମାରୋହ ନାଗରିକମାନଙ୍କୁ ଏକସୂତ୍ରରେ ବାନ୍ଧିଛି ଏବଂ ଜାତୀୟ ଏକତାକୁ ପ୍ରୋତ୍ସାହିତ କରିଛି। ପ୍ରତ୍ୟେକ ହୃଦୟରେ ରାମଙ୍କ ନାମ ଓ ଛ ବି ପ୍ରତିଫଳିତ ହେବା ସହ ସମସ୍ତେ ଭକ୍ତିଭାବରେ ନିମଜ୍ଜିତ ହୋଇଥିଲେ। ଜାନୁଆରି ୨୨ ତାରିଖ ସନ୍ଧ୍ୟାରେ ଦେଶବ୍ୟାପୀ ରାମ ଭଜନ ଗାନ ସହ ପ୍ରତ୍ୟେକ ଘରେ ରାମଜ୍ୟୋତି ସହିତ ସାମୂହିକ ଦୀପାବଳି ପାଳନ କରାଯାଇଥିଲା। ଏହା ଏକତା ଓ ଉତ୍ସବର ଭାବନା ସୃଷ୍ଟି କରିଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ମନ୍ କୀ ବାତ୍ର ୧୦୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ସାଧାରଣତନ୍ତ୍ର ଦିବସ ପରେଡ୍, ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା, ପଦ୍ମ ପୁରସ୍କାର ଏବଂ ଜାନୁଆରି ୨୫ରେ ଜାତୀୟ ଭୋଟର ଦିବସ ପାଳନ ସମେତ ଅନ୍ୟ ପ୍ରମୁଖ ଜାତୀୟ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ଅଭିଭାଷଣରେ ଦେଶର ସାଂସ୍କୃତିକ, ସାମାଜିକ ଏବଂ ଗଣତାନ୍ତ୍ରିକ ଢାଞ୍ଚାରେ ଯୋଗଦାନ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp