ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରଥମ ଲହରର ଶୀର୍ଷ ସଂକ୍ରମଣକୁ ଦ୍ବିତୀୟ ଲହର ଟପିଯାଇଛି। ଦ୍ବିତୀୟ ଲହର ସଂକ୍ରମଣ ଅତ୍ୟନ୍ତ ଚିନ୍ତାଜନକ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଦେଶରେ ୮୯.୫୧ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହେଲେଣି। ୧.୨୫ ପ୍ରତିଶତ କରୋନାରେ ପ୍ରାଣ ହାରିଛନ୍ତି ଏବଂ ୯.୨୪ ପ୍ରତିଶତ ସକ୍ରିୟ ମାମଲା ରହିଛି ବୋଲି ଭୂଷଣ କହିଛନ୍ତି। ନୂଆ ମାମଲା ଅନୁଧ୍ୟାନ ଜଣାପଡ଼ିଛି ଯେ, ପ୍ରଥମ ଲହରର ଶୀର୍ଷ ସଂକ୍ରମଣ ଦ୍ବିତୀୟ ଲହରରେ ଅତିକ୍ରମ ହୋଇସାରିଛି ।
ସ୍ବାସ୍ଥ୍ୟ ସଚିବ କହିଛନ୍ତି, ଛତିଶଗଡ଼ ଏବଂ ଉତ୍ତରପ୍ରଦେଶରେ ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ରହିଛି। ଏହି ୨ଟି ରାଜ୍ୟରେ ଲଗାତାର ସଂକ୍ରମଣ ବଢ଼ୁଛି। ଛତିଶଗଡ଼ରେ ସାପ୍ତାହିକ ପଜିଟିଭ୍ ହାର ଦେଢ଼ ପ୍ରତିଶତରୁ ୨୭.୯ ପ୍ରତିଶତକୁ ବୃଦ୍ଧି ହୋଇଛି। ଉଲ୍ଳେଖଯୋଗ୍ୟ, ଫେବ୍ରୁଆରି ମଧ୍ୟଭାଗରେ ଛତିଶଗଡ଼ରେ ଦୈନିକ ମାମଲା ପ୍ରାୟ ୨୦୦ ରହୁଥିଲା। କିନ୍ତୁ ଏବେ ଏହା ୧୧,୫୦୪କୁ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ଦୈନିକ ସଂକ୍ରମଣ ମାମଲା ଆଜି ୧୮ ହଜାରରୁ ଅଧିକ ରହିଛି। ତେବେ ଦ୍ବିତୀୟ ଲହରରେ ସଂକ୍ରମଣ ସହ ଆଗକୁ ମୃତ୍ୟୁ ମଧ୍ୟ ବଢ଼ିବ ବୋଲି ଆଶଙ୍କା କରାଯାଉଛି । ପ୍ରଥମ ଲହରରେ ସର୍ବାଧିକ କରୋନା ମୃତ୍ୟୁ ୧୧୧୪ ଥିଲା ଏବଂ ଏବେ ଏହା ୮୭୯ ରହିଛି। ତେବେ ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ହଁ ବିପଦ ବଢ଼ାଉଛି। ରାଜେଶ ଭୂଷଣ ପୁଣିଥରେ ଦେଶରେ ଟିକା ଅଭାବଜନିତ ସମସ୍ୟା କିଛି ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ଟିକା ଅଭାବ ନାହିଁ ବରଂ ସଠିକ୍ ଯୋଜନା ହୋଇପାରିନି। ଦେଶରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ୧.୬୭ କୋଟି କୋଭିଡ୍ ଟିକା ଡୋଜ୍ ଉପଲବ୍ଧ ଅଛି ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ ପ୍ରସଙ୍ଗରେ ରାଜେଶ ଭୂଷଣ କହିଛନ୍ତି, ଦୈନିକ ଉତ୍ତରପ୍ରଦେଶରେ ହାରାହାରି ୮୯ ମାମଲା ଚିହ୍ନଟ ହେଉଥିଲା, କିନ୍ତୁ ଏବେ ଏହା ୧୦ ହଜାରକୁ ବୃଦ୍ଧି ପାଇଛି।