ରନ୍‌ୱେ ଉପରେ ବିମାନ, ଟେକ୍‌ଅପ୍‌ ପାଇଁ ପ୍ରସ୍ତୁତି ବେଳେ ଅଚାନକ ଦିଶିଲା ଧୂଆଁ: ଯାତ୍ରୀ ଆତଙ୍କିତ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଇଣ୍ଡିଗୋର ଦିଲ୍ଲୀ-ବେଙ୍ଗାଲୁରୁ ଫ୍ଲାଇଟ୍‌ ଇଂଜିନରେ ଶୁକ୍ରବାର ଦିନ ଉଡ଼ାଣ ଆରମ୍ଭ ସମୟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା‌। ଏହି ଘଟଣାରେ ବିମାନ ଭିତରେ ଥିବା ଯାତ୍ରୀମାନେ ଖୁବ୍‌ ଭୟଭୀତ ହୋଇ ଯାଇଥିଲେ। ସେହି ଯାତ୍ରୀମାନଙ୍କ ମଧ୍ୟରୁ ପ୍ରିୟଙ୍କା ନାମକ ଜଣେ ଯାତ୍ରୀ ଗଣମାଧ୍ୟମ ସଂସ୍ଥାକୁ ନିଜର ବୟାନ ଦେଇ କହିଛନ୍ତି, ‘ବିମାନ ରନ୍‌ୱେ ଉପରେ ଥିଲା। ମାତ୍ର ଅଳ୍ପ ସମୟ ମଧ୍ୟରେ ଟେକ୍‌-ଅଫ୍‌ ହୋଇଥାନ୍ତ‌ା। ସେତେବେଳେ ମୁଁ ମୋର ଝରକା ପଟେ ଦେଖିଲି ଯେ ବିମାନର ୱିଙ୍ଗ୍‌ ପାଖରୁ ଧୂଆଁ ବାହାରୁଛି। ତାପରେ କିଛି ସମୟ ମଧ୍ୟରେ ନିଆଁ ସ୍ପଷ୍ଟ ଦେଖିପାରିଲି। ଏହାପରେ ଆମେ ପାଇଲଟଙ୍କୁ ଜଣାଇଲୁ। ପାଇଲଟ୍‌ ସୂଚନା ଦେଲେ ଯେ କିଛି ବୈଷୟିକ କାରଣ ହେତୁ ଏପରି ଘଟିଛି। ସେହି କାରଣରୁ ବିମାନକୁ ରୋକି ଦିଆଗଲା।’

Oneindia

ଦିଲ୍ଲୀ ବିମାନ ବନ୍ଦରରୁ ବିମାନଟି ଉଡ଼ାଣ ଆରମ୍ଭ କରିବା ମାତ୍ରେ ଇଂଜିନରେ ନିଆଁ ଝୁଲ ଦେଖିବାକୁ ମିଳବାରୁ ଏହାକୁ ତୁରନ୍ତ ନିୟନ୍ତ୍ରଣ କରି ଅଟକାଇ ଦିଆଯାଇଥିଲା। ବିମାନ ବନ୍ଦରରେ ପୂର୍ଣ୍ଣ ଜରୁରୀ ପରିସ୍ଥିତି ଘୋଷଣା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା। ଏହି ଘଟଣାରେ କେହି ହତାହତ ହୋଇଥିବା ସୂଚନା ନାହିଁ। ଇଣ୍ଡିଗୋ ବିମାନ ୬ଇ-୨୧୩୧ର ଇଂଜିନରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲୋ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ୍‌ ୧୯ ତାରିଖରେ ପାଟନାରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍‌ଜେଟ୍‌ର ଏକ ବିମାନରେ ଉଡ଼ାଣ ଆରମ୍ଭର କିଛି ସମୟ ପରେ ନିଆଁ ଲାଗିଯାଇଥିଲା। ଏହାପରେ ବିମାନକୁ ଜରୁରୀ ସ୍ଥିତିରେ ପାଟନା ବିମାନ ବନ୍ଦରରେ ଅବତରଣ କରାଯାଇଥିଲା। ଗତ କିଛି ମାସ ମଧ୍ୟରେ ଇଣ୍ଡିଗୋ ଏବଂ ସ୍ପାଇସ୍‌ଜେଟ୍‌ ବିମାନରେ ଅନେକ ତ୍ରୁଟି ସାମ୍ନାକୁ ଆସିଥିବାରୁ ଏହା ଚିନ୍ତା ବଢ଼ାଇଛି।

 

ସମ୍ବନ୍ଧିତ ଖବର