ନୂଆଦିଲ୍ଲୀ: ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୩ ଯାନ ଆଜି ଚନ୍ଦ୍ରପୃଷ୍ଠକୁ ଉତ୍କ୍ଷେପଣ କରାଯାଇଛି। ପୃଥିବୀର କକ୍ଷପଥରେ ଏହା ପହଞ୍ଚିବା ପରେ ଇସ୍ରୋର ବୈଜ୍ଞାନିକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ତେବେ ଅଗଷ୍ଟ ମାସ ତୃତୀୟ ସପ୍ତାହରେ ଏହି ଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଯୋଜନା ହୋଇଛି। ଯଦି ସବୁ ଠିକ୍ ରହେ ତାହେଲେ ଚନ୍ଦ୍ରଯାନ-୩ ମିସନ ସଫଳ ହେବ। ତେଣୁ ଚନ୍ଦ୍ରଯାନ -୩ ଉତ୍କ୍ଷେପଣ ଉପରେ ସମସ୍ତଙ୍କ ନଜର ଥିଲେ ମଧ୍ୟ ଚନ୍ଦ୍ରଯାନ-୨ ବିଫଳତା ପରେ ତତ୍କାଳୀନ ଇସ୍ରୋ ମୁଖ୍ୟ କେ ଶିବନ ଭାଙ୍ଗି ପଡ଼ିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ସେ କାନ୍ଦି ପକାଇଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଆଲିଙ୍ଗନ କରିବା ସହିତ ପିଠି ଥାପୁଡ଼େଇ ଶାନ୍ତ୍ବନା ଦେଇଥିଲେ। ସେହି ସମୟର ସ୍ମୃତି ଆଜି ବି ଅନେକଙ୍କ ମନରେ ତାଜା ହୋଇ ରହିଛି। ଏପରିକି ବୈଜ୍ଞାନିକ ଏବଂ ଦେଶବାସୀଙ୍କୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭାବପ୍ରବଣ ହୋଇ ପଡ଼ିଥିଲେ। ଇସ୍ରୋ ବୈଜ୍ଞାନିକମାନଙ୍କୁ ମୋଦୀ କହିଥିଲେ ଆମେ ଯୋଜନା ଅନୁଯାୟୀ, ଚନ୍ଦ୍ରପୃଷ୍ଠରେ ପହଞ୍ଚି ପାରିନାହେଁ। କିନ୍ତୁ ଯଥାସମ୍ଭବ ଚନ୍ଦ୍ରର ଅତି ନିକଟକୁ ଆପଣମାନେ ଯାଇ ପାରିଛନ୍ତି। ଦୃଢ଼ ରୁହନ୍ତୁ ଏବଂ ଆଗକୁ ଦେଖନ୍ତୁ। ମହାକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ସର୍ବୋତ୍କୃଷ୍ଟ ଆସିବାକୁ ଆମେ ଏବେ ବି ଅପେକ୍ଷା କରିଛୁ। ଆମର ମଧ୍ୟ ଦୃଢ଼ ବିଶ୍ବାସ ଆପଣମାନଙ୍କ ଉପରେ ରହିଛି। ଭାଷଣ ପରେ ମୋଦୀ ବୈଜ୍ଞାନିକମାନଙ୍କ ସହ ହାତ ମିଳାଇଥିଲେ। ସେମାନଙ୍କୁ ଉତ୍ସାହିତ କରିଥିଲେ। ଭାଙ୍ଗି ନପଡ଼ି ଆଗକୁ ଦେଖିବା ପାଇଁ ପରାମର୍ଶ ଦେଇଥିଲେ।
ଇସ୍ରୋର ଯୋଜନା ଅନୁଯାୟୀ ଚନ୍ଦ୍ରଯାନ-୨ର ବିକ୍ରମ ମଡ୍ୟୁଲ ଚନ୍ଦ୍ରପୃଷ୍ଠରେ ଧୀର ଭାବେ ଅବତରଣ କରି ପାରି ନଥିଲା। ଚୂଡ଼ାନ୍ତ ଅବତରଣ ସମୟରେ ଲ୍ୟାଣ୍ଡର ବିକ୍ରମ ଭୃପୃଷ୍ଟରେ ଥିବା ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗ ହରାଇଥିଲା। ଏହାର କିଛି ଘଣ୍ଟା ପରେ ଇସ୍ରୋ ପକ୍ଷରୁ ଏ ନେଇ ଲ୍ୟାଣ୍ଡର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ନେଇ ଘୋଷଣା ହୋଇଥିଲା। ତେବେ ଚନ୍ଦ୍ରରେ ଅବତରଣର ସଂକଳ୍ପ ଅଧିକ ସୁଦୃଢ଼ ହୋଇଥିବା କୁହାଯାଇଥିଲା।
କେ ଶିବନ ଏକ ଗରିବ କୃଷକ ପରିବାରରେ ଜନ୍ମ ହୋଇଥିଲେ। କନ୍ୟାକୁମାରୀ ଜିଲ୍ଲାରେ ଏକ ତାମିଲ ମାଧ୍ୟମ ସରକାରୀ ବିଦ୍ୟାଳୟରେ ସେ ପାଠ ପଢ଼ିଥିଲେ ମଧ୍ୟ ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଇସ୍ରୋ ମୁଖ୍ୟ ହୋଇ ପାରିଥିଲେ।