ନୂଆ ସଂସଦ ଭବନର ଶିଳାନ୍ୟାସ, ନୂତନ ଭବନ ଆତ୍ମନିର୍ଭର ଭାରତ ନିର୍ମାଣର ସାକ୍ଷୀ ହେବ: ମୋଦୀ

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ‘ଆତ୍ମନିର୍ଭର ଭାରତ’ ନିର୍ମାଣର ସାକ୍ଷୀ ହୋଇ ରହିବ ଏବଂ ଏହା ଭାରତୀୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ପାଲଟିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ଦିଲ୍ଲୀରେ ନୂତନ ସଂସଦ ଭବନର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଆଜିର ଦିନକୁ ଐତିହାସିକ ଦିନ ଭାବେ ବର୍ଣ୍ଣନା କରିଛନ୍ତି। ୧୩ ଏକର ଜମିରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଚାରି ମହଲାବିଶିଷ୍ଟ ଏହି ନୂଆ ସଂସଦ ଭବନ ନୂଆ ଭାରତକୁ ଦିଗ ଦେଖାଇବ। ପୁରୁଣା ସଂସଦ ଭବନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଭାରତକୁ ଏକ ଆକାର ଦେବାରେ ସହାୟକ ହୋଇପାରିଛି। ସଂସଦ ମଧ୍ୟକୁ ପ୍ରବେଶ କରିବାର ପ୍ରଥମ ଦିନକୁ ସେ କେବେ ଭୁଲି ପାରିବେ ନାହିଁ ବୋଲି ମୋଦୀ କହିଛନ୍ତି। ଶହେ ବର୍ଷ ତଳେ ନିର୍ମିତ ପୁରୁଣା ସଂସଦ ଭବନର ଧାରଣ କ୍ଷମତା କମ୍‌ ହେବାରୁ ନୂଆ ସଂସଦ ଭବନର ଆବଶ୍ୟକତା ଜରୁରୀ ହୋଇପଡ଼ିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଜିର ଶିଳାନ୍ୟାସ ଉତ୍ସବରେ କର୍ଣ୍ଣାଟକର ଶ୍ରୀଙ୍ଗେରି ମଠର ପୂଜକ ଉପସ୍ଥିତ ରହି ନୂତନ ସଂସଦ ଭବନର ଭୂମି ପୂଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହପୁରି, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ‘ସର୍ବ ଧର୍ମ ପ୍ରାର୍ଥନା‌’ର ଆୟୋଜନ କରାଯାଇଥିଲା। ଶିଳାନ୍ୟାସ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ, ସାଂସଦ, ବିଦେଶ ପ୍ରତିନିଧି, ଧାର୍ମିକ ନେତା, ଶିଳ୍ପପତି ରତନ ଟାଟା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରତନ ଟାଟାଙ୍କ ‘ଟାଟା ପ୍ରକଳ୍ପ’ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ କରିବ। ଏହି ନୂତନ ସଂସଦ ଭବନର ଲୋକସଭାରେ ୮୮୮ ଜଣ ସଦସ୍ୟ ବସିବା କ୍ଷମତା ରହିବ। ରାଜ୍ୟସଭାରେ ୩୮୪ ଜଣ ସଦସ୍ୟ ବସିପାରିବେ। ସେହିଭଳି ସଂସଦର ମିଳିତ ଅଧିବେଶନ ସମୟରେ ସର୍ବାଧିକ ୧,୨୨୪ ଜଣ ବସିପାରିବେ। ସଂସଦରେ ପ୍ରତି ସଦସ୍ୟଙ୍କୁ ୪୦ ବର୍ଗ ମିଟର ସ୍ଥାନ ଅଫିସ ପାଇଁ ଯୋଗାଇ ଦିଆଯିବ। ଅପରପକ୍ଷେ, ଏହି ସେଣ୍ଟ୍ରାଲ ଭିଷ୍ଟା ଯୋଜନାକୁ ନେଇ ସୁପ୍ରିମ୍‌ କୋର୍ଟରେ ମାମଲା ରୁଜୁ ହୋଇଛି। ସୁପ୍ରିମ୍‌ କୋର୍ଟ କେବଳ ନୂଆ ସଂସଦ ଭବନର ଶିଳାନ୍ୟାସ ପାଇଁ ଅନୁମତି ଦେଇଥିବାବେଳେ ନିର୍ମାଣ ପାଇଁ ଅନୁମତି ଦେଇ ନାହାନ୍ତି। ସେଣ୍ଟ୍ରାଲ ଭିଷ୍ଟା ଅଞ୍ଚଳରେ କୌଣସି ଗଛ କଟାଯାଇ ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର