ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି (ସୋମବାର) ସକାଳେ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

Advertisment

ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଉତ୍ତରପ୍ରଦେଶର କନୌଜ ନିର୍ବାଚନ ମଣ୍ଡଳୀରୁ ଲଢ଼ୁଥିବା ବେଳେ ଆଜି ତାଙ୍କର ଭାଗ୍ୟ ପରୀକ୍ଷା ହେଉଛି। ସେହିଭଳି ପଶ୍ଚିମବଙ୍ଗର କୃଷ୍ଣନଗରରୁ ବିଜେପି ପ୍ରାର୍ଥୀ ଅମୃତା ରାୟଙ୍କ ବିପକ୍ଷରେ ଲଢ଼ୁଥିବା ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ଭାଗ୍ୟ ମଧ୍ୟ ଆଜି  ଇଭିଏମ୍‌ରେ ବନ୍ଦ ହେଉଛି । ଟିଏମ୍‌ସି ପ୍ରାର୍ଥୀ ତଥା ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ ଏବଂ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର ବହରାମପୁର ଆସନରୁ ପରସ୍ପର ବିରୋଧରେ ଲଢ଼ୁଛନ୍ତି। ଏହି ଆସନରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେଉଥିବା ବେଳେ ଏଠାରେ ମତଦାନ ଉପରେ ସମସ୍ତଙ୍କ ନଜର ରହିଛି। ବିଜେପି ଏହି ଆସନରୁ ନିର୍ମଳ କୁମାରଙ୍କୁ ପ୍ରାର୍ଥୀ କରିଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ବିହାରର ବେଗୁସରାଇରୁ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କର ମଧ୍ୟ ଭାଗ୍ୟ ଫଏସଲା ବି ଆଜି ହେବ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍ ଶର୍ମିଲା କଂଗ୍ରେସ ଟିକେଟରେ ଆନ୍ଧ୍ରର କଡ଼ପ୍ପାରୁ ନିର୍ବାଚନ ଲଢ଼ୁଛନ୍ତି।

କେନ୍ଦ୍ରମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଖୁଣ୍ଟି ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଲଢ଼ୁଥିବା ବେଳେ ପଶ୍ଚିମବଙ୍ଗର ଆସାନସୋଲରୁ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଟିଏମ୍‌ସି ପ୍ରାର୍ଥୀ କରିଛି। ତେଲେଙ୍ଗାନାର ହାଇଦ୍ରାବାଦରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ମାଧବୀ ଲତା। ସେ ଏଆଇଏମ୍‌ଆଇଏମ୍‌ ସୁପ୍ରିମୋ ଅସଉଦ୍ଦିନ ଅୱେସୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ହାଇଦ୍ରାବାଦ ଆସନ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ଏହି ଆସନରେ  ମତଦାନ ଚାଲିଛି ଓ  ଏହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।  ସୁରୁଖୁରୁରେ ମତଦାନ ପରିଚାଳନା କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି।

ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଆସନ ଏବଂ ତେଲେଙ୍ଗାନାର ୧୭ଟି ଆସନରେ ମତଦାନ ହେଉଛି। ସେହିପରି ଉତ୍ତରପ୍ରଦେଶର ୧୩ଟି, ମହାରାଷ୍ଟ୍ରର ୧୧ଟି, ପଶ୍ଚିମବଙ୍ଗର ୮ଟି, ମଧ୍ୟପ୍ରଦେଶର ୮ଟି, ବିହାରର ୫ଟି, ଝାଡ଼ଖଣ୍ଡ ଓ ଓଡ଼ିଶାର ୪ଟି ଲେଖାଏଁ ଆସନ ସହ ଜମ୍ମୁ-କାଶ୍ମୀରର ଗୋଟିଏ ଆସନରେ ମତଦାନ ଜାରି ରହିଛି।