ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ପ୍ରାର୍ଥୀମାନଙ୍କୁ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ନିଯୁକ୍ତି ମିଳିଛି। ନବନିଯୁକ୍ତମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବକଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାରଙ୍କ ଅଭିଯାନ କ୍ରମାଗତ ଭାବେ ଆଗେଇ ଚାଲିଛି। ନିଯୁକ୍ତି ପତ୍ର ନବନିଯୁକ୍ତ ପ୍ରାର୍ଥୀଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟର ଫଳ ବୋଲି ସେ ଦର୍ଶାଇଥିଲେ। ଏହି ଅବସରରେ ନୂତନ ନିଯୁକ୍ତି ପାଇଥିବା ପ୍ରାର୍ଥୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ଜନସାଧାରଣଙ୍କ ସହିତ ସିଧାସଳଖ କାରବାର କରୁଥିବା ବ୍ୟବସ୍ଥାର ଏକ ଅଂଶ ହେବାକୁ ଯାଉଛନ୍ତି । ଜଣେ ସରକାରୀ କର୍ମଚାରୀ ଭାବରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ସାଧାରଣ ଲୋକଙ୍କ ସହଜ ଜୀବନଯାପନ ପ୍ରତି ସେମାନେ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ୍।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ବହୁ ଦଶନ୍ଧି ଧରି ଅବହେଳିତ ହୋଇ ରହିଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ସରକାରଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଫଳରେ ଆଜି ଯେଉଁ ଅଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳୁଛି ତାହା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମଲାତନ୍ତ୍ର, ଜନସାଧାରଣ ଏବଂ ଫାଇଲ ବ୍ୟବସ୍ଥା ସମାନ ରହିଥିଲେ ମଧ୍ୟ ଗରିବ ଏବଂ ମଧ୍ୟବିତ୍ତଙ୍କ ବିକାଶକୁ ପ୍ରାଥମିକତା ଦେଇ ସମଗ୍ର ବ୍ୟବସ୍ଥାର କାର୍ଯ୍ୟ ପ୍ରଣାଳୀ ଏବଂ ଶୈଳୀରେ ସାମଗ୍ରିକ ପରିବର୍ତ୍ତନ ଆସିଛି । ଏହା ସାଧାରଣ ଲୋକଙ୍କ କଲ୍ୟାଣର ସକାରାତ୍ମକ ଫଳାଫଳକୁ ସାମ୍ନାକୁ ଆଣିଛି ବୋଲି ସେ କହିଛନ୍ତି। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ୧୩ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏହା ସରକାରୀ ଯୋଜନାର ପ୍ରଭାବ ଗରିବଙ୍କ ପାଖରେ ପହଞ୍ଚିବାର ପ୍ରମାଣ ବୋଲି ସେ କହିଛନ୍ତି। ସରକାରୀ ଯୋଜନାଗୁଡ଼ିକୁ ସାଧାରଣ ନାଗରିକଙ୍କ ଘର ପାଖରେ ପହଞ୍ଚାଉଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ନିଯୁକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କ ସମୟକୁ ଲୋକଙ୍କ ସେବାରେ ଉପଯୋଗ କରିବାକୁ ଅନୁରୋଧ କରିଥିଲେ।