ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଚାଷୀଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ବର୍ଗର ଲୋକଙ୍କୁ ଡିଜିଟାଲ୍ ବିପ୍ଳବରେ ସାମିଲ କରିବା ଲାଗି ଏଥର ବଜେଟ୍ରେ ନକ୍ସା ପ୍ରସ୍ତୁତ କରାଯାଇଛି। ଡିଜିଟାଲ୍ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା, ଚାଷ କାର୍ଯ୍ୟରେ ଡ୍ରୋନ୍ର ବ୍ୟବହାର, ଦେଶରେ ଡିଜିଟାଲ୍ ମୁଦ୍ରା ପ୍ରଚଳନ କରିବା, ଇ-ପାସ୍ପୋର୍ଟ ଜାରି କରିବା ଓ ଦେଶରେ ଶୀଘ୍ର ୫ଜି ମୋବାଇଲ୍ ସେବା ଆରମ୍ଭ କରିବା ବିଷୟରେ ବଜେଟ୍ରେ ଘୋଷଣା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିଜର୍ଭ ବ୍ୟାଙ୍କ ଆଣିବ ଡିଜିଟାଲ୍ ମୁଦ୍ରା
୨୦୨୨-୨୩ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଣିବ ଡିଜିଟାଲ୍ ମୁଦ୍ରା। ଏହା ଡିଜିଟାଲ୍ ଅର୍ଥନୀତିକୁ ସୁଦୃଢ଼ କରିବ। ଏହା ଦ୍ବାରା ମୁଦ୍ରା ପରିଚାଳନା ସୁଲଭ ମୂଲ୍ୟରେ ହୋଇପାରିବ। ବ୍ଲକ୍ଚେନ୍ ଓ ଅନ୍ୟାନ୍ୟ ପ୍ରଯୁକ୍ତିକୁ ଏହି ଡିଜିଟାଲ୍ ମୁଦ୍ରା ବ୍ୟବହାର କରିବ। ଭାରତ ସ୍ବାଧୀନ ହେବାର ୭୫ତମ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ଦେଶର ୭୫ଟି ଜିଲ୍ଲାରେ ୭୫ ଡିଜିଟାଲ୍ ବ୍ୟାଙ୍କିଙ୍ଗ ୟୁନିଟ୍କୁ ସିଡ୍ୟୁଲ୍ଡ ବାଣିଜ୍ୟିକ ବ୍ୟାଙ୍କ ସ୍ଥାପନ କରିବେ। ଦେଶରେ ଡିଜିଟାଲ୍ ପେମେଣ୍ଟ୍ର ଗ୍ରହଣୀୟତା ବଢ଼ାଇବା ଲାଗି ସରକାର ପ୍ରୋତ୍ସାହନ ଜାରି ରଖିବେ। ସୁଲଭ ମୂଲ୍ୟ ଯେଭଳି ସହଜରେ ଡିଜିଟାଲ୍ ପେମେଣ୍ଟ୍କୁ ଲୋକମାନେ ବ୍ୟବହାର କରିପାରିବେ ସେଥିପ୍ରତି ସରକାର ଗୁରୁତ୍ବ ଦେବେ।
ସବୁ ଡାକଘରେ ସିବିଏସ୍
ଏହା ହେଉଛି ଚଳିତ ବର୍ଷ ବଜେଟ୍ର ଆଉ ଏକ ବଡ଼ ଘୋଷଣା। ୨୦୨୨ରେ ଦେଶରେ ଥିବା ସମସ୍ତ ୧.୫ ଲକ୍ଷ ଡାକ ଘରରେ କୋର୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଲାଗୁ ହେବ। ଫଳରେ ଗ୍ରାହକମାନେ ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ବ୍ୟାଙ୍କିଙ୍ଗ, ଏଟି,ମ୍ ଭଳି ସୁବିଧା ପାଇପାରିବେ। ଡାକ ଘରୁ ବ୍ୟାଙ୍କ ଖାତାକୁ ପାଣ୍ଠି ସ୍ଥାନାନ୍ତର କରିବ। ଏହା ଦ୍ବାରା ଗ୍ରାମାଞ୍ଚଳରେ ବାସ କରୁଥିବା ଚାଷୀ ଓ ବରିଷ୍ଠ ନାଗରିକମାନେ ଉପକୃତ ହେବେ।
ଚିପ୍ ଲାଗିଥିବା ଇ-ପାସ୍ପୋର୍ଟ ଜାରି ହେବ
ଏଥର ବଜେଟ୍ରେ ଆସନ୍ତା ୨୫ ବର୍ଷ ପାଇଁ ସ୍ବପ୍ନ ଦେଖାଇଛନ୍ତି ସରକାର। ଏହାର ନାମ ରଖାଯାଇଛି ଅମୃତ କାଳ। ୭୫ ବର୍ଷର ସ୍ବାଧୀନ ଭାରତ ୧୦୦ ବର୍ଷରେ ପଦାର୍ପଣ କରିବା ସମୟରେ ଦେଶର ସ୍ଥିତି କିଭଳି ରହିଥିବ ସେବିଷୟରେ ଏହି ଅଧ୍ୟାୟରେ ଆଲୋଚନା କରାଯାଇଛି। ଲୋକମାନଙ୍କ ଜୀବନ ଧାରଣ ମାନକୁ ଆହୁରି ସହଜ କରିବା ଲାଗି ଏଥିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟଗୁଡ଼ିକର ପ୍ରତ୍ୟକ୍ଷ ସଂପୃକ୍ତି ରହିବ। ବର୍ତ୍ତମାନ ମାନୁଆଲ୍ ପଦ୍ଧତିରେ ହେଉଥିବା କାମଗୁଡ଼ିକୁ ଡିଜିଟାଲ୍ କରାଯିବ। ସୂଚନା ପ୍ରଯୁକ୍ତିକୁ ବ୍ୟବହାର କରି କେନ୍ଦ୍ର ଓ ରାଜ୍ୟ ସ୍ତରର ବ୍ୟବସ୍ଥାଗୁଡ଼ିକର ସମନ୍ବୟ କରାଯିବ। ସରକାର ଚିପ୍ ଲାଗିଥିବା ଇ-ପାର୍ସପୋର୍ଟ ଜାରି କରିବେ। ୨୦୨୨-୨୩ ସୁଦ୍ଧା ଏହାକୁ ଜାରି କରାଯିବ। କୋଠା ନିୟମର ଆଧୁନିକୀକରଣ କରାଯିବ, ଟାଉନ୍ ପ୍ଲାନିଂ ସ୍କିମ୍ ଲାଗୁ ହେବ ଏବଂ ପରିବହନ ଭିତ୍ତିକ ବିକାଶ ଉପରେ ଧ୍ୟାନ ଦିଆଯିବ। ସହରାଞ୍ଚଳ ଯୋଜନା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ। ସେଥିପାଇଁ ବଜେଟ୍ରେ ୨୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସହରାଞ୍ଚଳରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବା ଲାଗି ବିକଳ୍ପ ଭାବେ ବ୍ୟାଟେରିଂ ସ୍ବାପିଂ ନୀତି ଆସିବ।
ଚାଷ କାମରେ ଡ୍ରୋନ୍ ବ୍ୟବହାର ହେବ
ଚାଷ କାର୍ଯ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର ବଢ଼ାଇବା ଲାଗି ବଜେଟ୍ରେ ବ୍ୟବସ୍ଥା କରାଯାଇଛି। ଫସଲ ଆକଳନ କରିବା, ଜମି ରେକର୍ଡର ଡିଜିଟାଲ୍କରଣ, କିଟ ଓ ପୁଷ୍ଟି ଉପରେ ନଜର ରଖିବା ପାଇଁ ‘କିସାନ ଡ୍ରୋନ୍’ ବ୍ୟବହାର କରାଯିବ। ଡ୍ରୋନ୍କୁ ଏକ ସେବା ଭାବେ ବିକଶିତ କରିବା ଲାଗି ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକୁ ଉତ୍ସାହିତ କରାଯିବ। ‘ଡ୍ରେନ୍ ଶକ୍ତି’ ବିକଶିତ କରିବାକୁ ସେମାନଙ୍କୁ କୁହାଯାଇଛି। ଏଥିପାଇଁ ସବୁ ରାଜ୍ୟରେ କିଛି ନିର୍ଦିଷ୍ଟ ଆଇଟିଆଇରେ କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯିବ। ବଜେଟ୍ରେ କୁହାଯାଇଛି ଯେ ଦେଶରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଜିଓସ୍ପାଟିଆଲ୍ ସିଷ୍ଟମ୍, ଡ୍ରୋନ୍ ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି। ଏହା ଯୁବପିଢ଼ିଙ୍କୁ ନିଯୁକ୍ତି ପ୍ରଦାନ କରିବ ଏବଂ ଭାରତୀୟ ଶିଳ୍ପକୁ ବିଶ୍ବସ୍ତରରେ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କରିପାରିବ।
୨୦୨୩ ସୁଦ୍ଧା ୫ଜି, ଚଳିତ ବର୍ଷ ସ୍ପେକ୍ଟ୍ରମ୍ ନିଲାମ
ଆସନ୍ତା ଆର୍ଥିକ ବର୍ଷ (୨୦୨୨-୨୩) ସୁଦ୍ଧା ଦେଶରେ ୫ଜି ଟେଲିକମ୍ ସେବା ଆରମ୍ଭ ହେବ। ଏଥିପାଇଁ ଚଳିତ ବର୍ଷ ସ୍ପେକ୍ଟ୍ରମ୍ ନିଲାମ କରାଯିବ ବୋଲି ଆଜି ବଜେଟ୍ରେ ଘୋଷଣା କରାଯାଇଛି। ଦେଶର ପ୍ରମୁଖ ଟେଲିକମ୍ କଂପାନିଗୁଡ଼ିକ ସେମାନଙ୍କ ପ୍ରଯୁକ୍ତି ଜ୍ଞାନକୌଶଳ ପ୍ରଦାନକାରୀମାନଙ୍କ ସହ ମିଶି ଦେଶରେ ୫ଜି ପରୀକ୍ଷଣ ଜାରି ରଖିଛନ୍ତି। ଭାରତୀ ଏୟାରଟେଲ୍, ରିଲାଏନ୍ସ ଜିଓ ଭଳି ସଂସ୍ଥ ପକ୍ଷରୁ ୫ଜି ପରୀକ୍ଷଣ କରାଯାଉଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ୫ଜି ସେବା ଆରମ୍ଭ ହେଲେ ତାହା ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଦେଶ ଦୂରାନ୍ତ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ସୁଲଭ ମୂଲ୍ୟର ବ୍ରଡ୍ବ୍ୟାଣ୍ଡ୍ ସେବା ଏବଂ ମୋବାଇଲ୍ ସେବା ପହଞ୍ଚାଇବା ଲାଗି ୟୁଏସ୍ଏଫ୍ଓରେ ସଂଗ୍ରହ କରାଯାଉଥିବା ୫% ରାଶି ଆବଣ୍ଟନ କରାଯିବ। ଦେଶର ପ୍ରତିଟି ଗ୍ରାମରେ ଅପ୍ଟିକାଲ୍ ଫାଇବର୍ ପହଞ୍ଚାଇବା ଲାଗି ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍ରେ କାର୍ଯ୍ୟ କରାଯିବ। ୨୦୨୫ ସୁଦ୍ଧା ଅପ୍ଟିକାଲ୍ ଫାଇବର୍ ବିଛାଇବା କାର୍ଯ୍ୟ ଶେଷ ହେବ।
ଟେଲି ମାନସିକ ସ୍ବାସ୍ଥ୍ୟ କେନ୍ଦ୍ର, ଡିଜିଟାଲ୍ ସ୍ବାସ୍ଥ୍ୟ ବ୍ୟବସ୍ଥା
ମହାମାରୀ ବ୍ୟାପିବା ପରେ ପ୍ରାୟ ସବୁ ବୟସ ବର୍ଗର ଲୋକମାନେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ଏହି ବିଷୟକୁ ଅଣଦେଖା ନକରି ସେଥିପାଇଁ ବଜେଟ୍ରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଏଥିପାଇଁ ଜାତୀୟ ଟେଲି ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏହା ଜରିଆରେ ଲୋକମାନଙ୍କୁ ଗୁଣାତ୍ମକ ମାନସିକ ସ୍ବାସ୍ଥ୍ୟ ପାଇଁ କାଉନ୍ସେଲିଂ ଓ ସେବା ପ୍ରଦାନ କରାଯିବ। ନିମ୍ହାନ୍ସ ସହିତ ମିଶି ୨୩ଟି ଟେଲି-ମାନସିକ ସ୍ବାସ୍ଥ୍ୟ ଉତ୍କର୍ଷ କେନ୍ଦ୍ରର ନେଟ୍ୱର୍କ ସ୍ଥାପନ କରାଯିବ। ନିମ୍ହାନ୍ସ ଏହାର ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏଥିପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ଇନ୍ଫର୍ମେସନ୍ ଟେକ୍ନୋଲୋଜି-ବାଙ୍ଗାଲୋର ପ୍ରଯୁକ୍ତି ଜ୍ଞାନକୌଶଳ ପ୍ରଦାନ କରିବ। ଏହା ବ୍ୟତୀତ ବଜେଟ୍ରେ ଜାତୀୟ ଡିଜିଟାଲ୍ ସ୍ବାସ୍ଥ୍ୟ ବ୍ୟବସ୍ଥା ବିଷୟରେ ମଧ୍ୟ ଘୋଷଣା କରାଯାଇଛି। ଏଥିରେ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ବ୍ୟବସ୍ଥାଗୁଡ଼ିକର ଡିଜିଟାଲ୍ ରେଜିଷ୍ଟ୍ରି, ସ୍ବତନ୍ତ୍ର ସ୍ବାସ୍ଥ୍ୟ ପରିଚୟ, ଅନୁମତି ଫ୍ରେମ୍ୱର୍କ ଆଦି ସୁବିଧା ରହିବ।