ନୂଆଦିଲ୍ଲୀ: ଗାଜା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଜାତିସଂଘରେ ଚାଲିଥିବା ‘ଦ୍ବି-ରାଷ୍ଟ୍ର ସମାଧାନ’ (ପାଲେଷ୍ଟାଇନ-ଇସ୍ରାଏଲ) ସମ୍ମିଳନୀରୁ ଆମେରିକା ନିଜକୁ ଦୂରେଇ ରଖିଥିବା ବେଳେ ଭାରତକୁ ନିଜର ଆପତ୍ତି ଜଣାଇଛି। ଆମେରିକା ଏହାକୁ ଗାଜାରେ ଯୁଦ୍ଧ ଶେଷ କରିବା ଓ ବନ୍ଦୀମାନଙ୍କୁ ମୁକ୍ତ କରିବାର ପ୍ରୟାସ ପ୍ରତି ପ୍ରତିବନ୍ଧକ ଭାବେ ଦେଖୁଛି। ଉଭୟ ଆମେରିକା ଓ ଇସ୍ରାଏଲ ଦ୍ୱାରା ପ୍ରତ୍ୟାଖ୍ୟାତ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ପ୍ରାୟ ୧୨୦ଟି ଦେଶ ଓ ଏଜେନ୍ସି ମଧ୍ୟରେ ଭାରତ ମଧ୍ୟ ରହିଛି।
ଏହି ସମ୍ମିଳନୀରେ ଅଂଶଗ୍ରହଣ ନ କରିବାକୁ ଆମେରିକା କୂଟନୈତିକ ଚ୍ୟାନେଲ ଜରିଆରେ ବିଦେଶୀ ସରକାରମାନଙ୍କୁ ଅନୁରୋଧ କରିଥିଲା। ଏହି ସମ୍ମିଳନୀ ସମ୍ପର୍କରେ ଭାରତ ସହ ମଧ୍ୟ କୌଣସି ଯୋଗାଯୋଗ ହୋଇଛି କି ବୋଲି ପଚରାଯିବାରୁ ଆମେରିକୀୟ ଦୂତାବାସର ଜଣେ ମୁଖପାତ୍ର କହିଛନ୍ତି ଯେ ୱାସିଂଟନ ଭାରତ ସହ ନିଜର ମତାମତ ବାଣ୍ଟିଛି। ନ୍ୟୁୟର୍କ ସହରରେ ଦୁଇ-ରାଷ୍ଟ୍ର ସମାଧାନ ଉପରେ ହେଉଥିବା ନିରର୍ଥକ ସମ୍ମିଳନୀରେ ଆମେରିକା ଅଂଶଗ୍ରହଣ କରିବ ନାହିଁ। ଲଢ଼େଇର ଅନ୍ତ ଘଟାଇ ସ୍ଥାୟୀ ଶାନ୍ତି ପ୍ରଦାନ ପାଇଁ ଆମେରିକା ବାସ୍ତବ ଦୁନିଆର ପ୍ରୟାସର ନେତୃତ୍ୱ ନେବା ଜାରି ରଖିବ। ଏହି ସମ୍ମିଳନୀ ସମ୍ପର୍କରେ ଆମେ ଭାରତ ସରକାରଙ୍କ ସହ ଆମର ମତାମତ ବାଣ୍ଟିଛୁ ବୋଲି ମୁଖପାତ୍ର କହିଛନ୍ତି।
ଶାନ୍ତିକୁ ପ୍ରୋତ୍ସାହନ ଦେବା ଦୂରର କଥା, ଏହି ସମ୍ମିଳନୀ ଯୁଦ୍ଧକୁ ଲମ୍ବା କରିବ, ହମାସକୁ ଉତ୍ସାହିତ କରିବ ଏବଂ ଶାନ୍ତି ହାସଲ ପାଇଁ ଜାରି ରହିଥିବା ପ୍ରୟାସକୁ ଦୁର୍ବଳ କରିବ ବୋଲି ମୁଖପାତ୍ର ଟାମି ବ୍ରୁସ୍ କହିଛନ୍ତି। ଏହି ସମ୍ମିଳନୀ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ପାଲେଷ୍ଟାଇନ ରାଷ୍ଟ୍ରକୁ ସ୍ୱୀକୃତି ଦେବା ଘୋଷଣାକୁ ହମାସ ସ୍ୱାଗତ କରିଛି ବୋଲି ବ୍ରୁସ୍ ଉଲ୍ଲେଖ କରିଛନ୍ତି। ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପି ହରିଶ ଗତ ସପ୍ତାହରେ ନିରାପତ୍ତା ପରିଷଦରେ ଏକ ବିବୃତିରେ ଅସ୍ତ୍ରବିରତି ଲାଗୁ କରିବାକୁ ଦୃଢ଼ ଆହ୍ୱାନ ଦେବା ସହ ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ତୁରନ୍ତ ଓ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ ଜୁନ୍ ମାସରେ ୟୁଏନ୍ଜିଏ ପ୍ରସ୍ତାବ ଉପରେ ମତଦାନରୁ ଦୂରେଇ ରହିଥିବା ୧୯ଟି ଦେଶ ମଧ୍ୟରୁ ଭାରତ ୮ଟି କାର୍ଯ୍ୟକାରୀ ଗୋଷ୍ଠୀ ସହ ଯୋଗାଯୋଗରେ ରହିଛି ଏବଂ ଏହି ସମ୍ମିଳନୀରେ ‘ଦୁଇ ରାଷ୍ଟ୍ର ସମାଧାନ’ ଉପରେ ନିଜର ମତାମତ ପ୍ରଦାନ କରିବ ବୋଲି ଆଶା କରାଯାଉଛି।