ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଇଥିବା ଦାମୀ ଉପହାରଗୁଡ଼ିକୁ ବିକ୍ରି କରିବା ପାଇଁ ୨୦୧୯ରୁ ୨୦୨୧ ଭିତରେ ତିନିଥର ନିଲାମ ହୋଇଛି ଏବଂ ଏଥିରୁ ମିଳିଥିବା ୨୨.୫ କୋଟି ଟଙ୍କା ନମାମି ଗଙ୍ଗେ ପ୍ରକଳ୍ପକୁ ଦାନ କରିଦିଆଯାଇଛି। ନ୍ୟାସନାଲ ଗ୍ୟାଲେରି ଅଫ୍ ମଡର୍ଣ୍ଣ ଆର୍ଟ (ଏନ୍ଜିଏମ୍ଏ) ପକ୍ଷରୁ ଏକ ସୂଚନା ଅଧିକାର (ଆର୍ଟିଆଇ) ଉତ୍ତରରେ ଏହା କୁହାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ମୋଟ ୫,୯୨୫ଟି ଉପହାରକୁ ତିନୋଟି ପର୍ଯ୍ୟାୟ - ଜାନୁଆରି-ଫେବ୍ରୁଆରି ୨୦୧୯, ସେପ୍ଟେମ୍ବର-ଅକ୍ଟୋବର ୨୦୧୯ ଓ ସେପ୍ଟେମ୍ବର-ଅକ୍ଟୋବର ୨୦୨୧ରେ ନିଲାମ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଉପହାରଗୁଡ଼ିକୁ ଭାରତୀୟମାନେ ଦେଇଥିଲେ ଏବଂ ଏଗୁଡ଼ିକୁ ସେ କୌଣସି ବିଦେଶୀ ପଦାଧିକାରୀଙ୍କଠାରୁ ପାଇ ନ ଥିଲେ।
ମେ ୨୦ରେ ମିଳିଥିବା ଆର୍ଟିଆଇ ଉତ୍ତର ଅନୁସାରେ ୪,୬୮୨ଟି ଉପହାରକୁ ସଫଳଭାବେ ନିଲାମ କରାଯାଇପାରିଛି। କିନ୍ତୁ ୧,୨୪୩ଟି ବା ୨୦.୯୭% ଉପହାର ନିଲାମରେ ବିକ୍ରି ହୋଇପାରି ନାହିଁ। ନିଲାମରୁ ପ୍ରଥମ ପର୍ଯ୍ୟାୟରେ ୩.୧ କୋଟି, ଦ୍ବିତୀୟରେ ୩.୬ କୋଟି ଏବଂ ତୃତୀୟ ପର୍ଯ୍ୟାୟରେ ୧୫.୮ କୋଟି ଟଙ୍କା ମିଳିଥିଲା। ତିନୋଟି ନିଲାମରୁ ମିଳିଥିବା ସମସ୍ତ ଟଙ୍କାକୁ ନମାମି ଗଙ୍ଗେ ପ୍ରକଳ୍ପକୁ ଦିଆଯାଇଛି ବୋଲି ଏନ୍ଜିଏମ୍ଏ ପକ୍ଷରୁ କୁହାଯାଇଛି। ଆର୍ଟିଆଇ ଉତ୍ତରରେ ଆହୁରି କୁହାଯାଇଛି ଯେ ନିଲାମ ପରିଚାଳନା ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏନ୍ଜିଏମ୍ଏ, ନୂଆଦିଲ୍ଲୀକୁ ଦାୟିତ୍ବ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/gdgdgjgj564gdj65gjd654gjd65.jpg)