ଚିକାଗୋରେ ଥିବା ଉତ୍ତର ଆମେରିକାର ବୃହତ୍ତମ ସଭାକକ୍ଷ ‘ମ୍ୟାକ୍କର୍ମିକ୍ ପ୍ଲେସ୍’ ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। ଗତ ୫ ତାରିଖରେ ଏହାର କାଚ କାନ୍ଥରେ ପିଟି ହୋଇ ଅତି କମ୍ରେ ହଜାରେ ସଂଖ୍ୟକ ପକ୍ଷୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଟେନିସ ଵାର୍ବଲର୍ସ, ହର୍ମିଟ୍ ଥ୍ରସ ଓ ଆମେରିକାନ୍ ଉଡ୍କକ୍ ଆଦି ପକ୍ଷୀ ରହିଛନ୍ତି। ଏହି ପକ୍ଷୀଗୁଡ଼ିକ ସାଧାରଣତଃ କାନାଡାରୁ ଦକ୍ଷିଣ ଓ କେନ୍ଦ୍ରୀୟ ଆମେରିକା ଆଡ଼କୁ ଉଡ଼ି ଯାଉଥିବା ବେଳେ ବାଟରେ ଏହି ଦଶା ଭୋଗିଥିଲେ। ଗୋଟିଏ ଦିନରେ ଏତେ ସଂଖ୍ୟକ ବହିରାଗତ ପକ୍ଷୀଙ୍କର ମୃତ୍ୟୁ ଘଟିବା ଦୁଃଖଦାୟକ ବୋଲି ପକ୍ଷୀ ସଂରକ୍ଷଣ କ୍ଷେତ୍ରରେ କାମ କରୁଥିବା ସ୍ବେଚ୍ଛାସେବୀ ସଂଗଠନ ଚିକାଗୋ ବାର୍ଡ କଲିଜନ୍ ମନିଟର ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି।
ମ୍ୟାକ୍କର୍ମିକ୍ ପ୍ଲେସ୍ର କାନ୍ଥରେ ଲାଗିଥିବା ମୋଟା କାଚଗୁଡ଼ିକ ଅତ୍ୟନ୍ତ ସ୍ବଚ୍ଛ ହୋଇଥିବାରୁ ପକ୍ଷୀମାନେ ତାହାର ଅବସ୍ଥିତି ଠଉରେଇ ପାରିନଥିଲେ। ଫଳରେ ଦ୍ରୁତ ବେଗରେ ଆସି କାଚ କାନ୍ଥରେ ପିଟି ହୋଇ ସେମାନଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ କୋଠାରେ ପୁଣି ଗୋଟିଏ ଦିନରେ ଏତେ ସଂଖ୍ୟକ ପକ୍ଷୀଙ୍କର ଏପରି ଗଣମୃତ୍ୟୁ ସର୍ବାଧିକ ବୋଲି ଜଣାଯାଇଛି। ମୃତ ପକ୍ଷୀଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। କାରଣ କିଛି ପକ୍ଷୀ ଗୁରୁତର ଆହତ ହୋଇ ସୁଦ୍ଧା ଖଣ୍ଡିଉଡ଼ା ଦେଇ ସେଠାରୁ ଖସି ପଳାଇଥିଲେ ଏବଂ ସେମାନଙ୍କର ଅନ୍ୟତ୍ର ମୃତ୍ୟୁ ଘଟିଥିବ ବୋଲି ଆଶଙ୍କା କରାଯାଉଛି। ଚିନ୍ତାର ବିଷୟ ଯେ, ପ୍ରତି ବର୍ଷ ଏପରି ମନୁଷ୍ୟକୃତ କୋଠାରେ ପିଟି ହୋଇ କୋଟି କୋଟି ପକ୍ଷୀଙ୍କର ମୃତ୍ୟୁ ଘଟୁଛି। ବିଶେଷ କରି କାଚ କାନ୍ଥଯୁକ୍ତ କୋଠାରେ ପକ୍ଷୀଙ୍କର ଗଣମୃତ୍ୟୁ ଅଧିକ ହେଉଛି।