ସ୍ପଷ୍ଟ କଲେ ସରକାର: ୫ଜି ସମ୍ପୂର୍ଣ୍ଣ ସୁରକ୍ଷିତ, ସ୍ବାସ୍ଥ୍ୟ ପ୍ରତି ବିପଦ ସ୍ପଷ୍ଟ ହୋଇପାରିନି

୨୦୧୦, ୨୦୧୪ରେ କମିଟି ଗଠନ ହୋଇଥିଲା

ନୂଆଦିଲ୍ଲୀ: ଦେଶରେ ୫ଜି ମୋବାଇଲ୍ ସେବା ପରୀକ୍ଷଣ ଜୋରସୋରରେ ଆଗେଇ ଚାଲିଥିବା ବେ‌ଳେ ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ ନୁହେଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ମୋବାଇଲ୍‌ ଟାୱାରରୁ ହେଉଥିବା ବୈଦ୍ୟୁତିକ ଓ ଚୁମ୍ବକୀୟ ବିକିରଣ ପାଇଁ କଠୋର ନିୟମ ଲାଗୁ କରାଯାଇଛି। ଇଣ୍ଟରନ୍ୟାସନାଲ୍ କମିସନ ଅନ୍ ନନ୍-ଆୟୋନାଇଜିଂ ରେଡିଏସନ୍ ପ୍ରୋଟେକ୍ସନ (ଆଇସିଏନ୍‌ଆଇଆର୍‌ପି) ତରଫରୁ ବିକିରଣର ଯେଉଁ ସୀମା ଧାର୍ଯ୍ୟ କରାଯାଇଛି, ଭାରତରେ ତା’ଠାରୁ ୧୦ ଗୁଣା ଅଧିକ କଠୋର ନିୟମ ଲାଗୁ କରାଯାଇଛି ବୋଲି ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ କୁହାଯାଇଛି।

୫ଜି ମୋବାଇଲ୍‌ ଟାୱାରର ଚୁମ୍ବକୀୟ ବିକିରଣ ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି ଅଭିଯୋଗ ହେଉଛି। ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱଲା ଏନେଇ କୋର୍ଟରେ ଆବେଦନ କରି ଚର୍ଚ୍ଚା ସୃଷ୍ଟି କରିଥିଲେ। ତେବେ ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ୫ଜିରୁ ହେବାକୁ ଥିବା ବିକିରଣ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି କହିବାର କୌଣସି ଆଧାର ନାହିଁ। ସମଗ୍ର ବିଶ୍ବ‌ରେ ଉପଲବ୍ଧ ଥିବା ସୂଚନା ବିଚାରକୁ ନେଇ ବିଭାଗ ତରଫରୁ ଏହା କୁହାଯାଇଛି। ଏଭଳିକି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ମଧ୍ୟ ଏଭଳି କୌଣସି ଚେତାବନୀ ଦେଇନାହିଁ। କେବଳ ସରକାର ନୁହେଁ ଟେଲିକମ୍ ଶିଳ୍ପର ଅଂଶୀଦାରମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଲୋକମାନଙ୍କ ସ୍ବାସ୍ଥ୍ୟ ପ୍ରତି ୫ଜି ବିକିରଣର କୌଣସି ହାନିକାରକ ପ୍ରଭାବ ନାହିଁ। ନିକଟରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ବରେ ଗଠିତ ସଂସଦୀୟ କମିଟି ସାମ୍ନାରେ ହାଜର ହୋଇଥିବା ଟେଲିକମ୍‌ ଶିଳ୍ପର ପ୍ରତିନିଧିମାନେ ଏହି ଆଶ୍ବାସନା ଦେଇଥିଲେ।

ନିଜ ଆଖପାଖାରେ ଥିବା ୫ଜି ଟାୱାରରୁ କେତେ ବିକିରଣ ହେଉଛି ତାହାକୁ ଲୋକମାନେ ‘ତରଙ୍ଗ ସଞ୍ଚାର’ ପୋର୍ଟାଲ୍‌ ଜରିଆରେ ଜାଣିପାରିବେ। ଅନ୍ୟଥା ଯଦି କୌଣସି ବ୍ୟକ୍ତି ସ୍ବତନ୍ତ୍ର ପରୀକ୍ଷା କରିବାକୁ ଚାହାନ୍ତି ତେବେ ୫୦୦୦ ଟଙ୍କା ଦେଇ ଟେଲିକମ୍ ବିଭାଗ ଜରିଆରେ ପରୀକ୍ଷା କରାଇପାରିବେ। ୧୦୦ କିଲୋହର୍ଜରୁ ୩୦୦ ଗିଗାହର୍ଜ ପର୍ଯ୍ୟନ୍ତ ବ୍ୟାଣ୍ଡ୍‌ ପାଇଁ ଆଇସିଏନ୍‌ଆଇଆର୍‌ପି ଧାର୍ଯ୍ୟ କରିଥିବା ବିକିରଣ ସୀମାକୁ ଭାରତ ସରକାର କଡ଼ାକଡ଼ି ଭାବେ ପାଳନ କରୁଛନ୍ତି। ୫ଜି ମୋବାଇଲ୍ ସେବା, ୱାଇ-ଫାଇ, ବ୍ଲୁ ଟୁଥ୍‌, ମୋବାଇଲ୍‌ ଫୋନ୍ ଏବଂ ବେସ୍‌ ଷ୍ଟେସନ୍ ସବୁ କିଛି ଏହା ଅଧୀନରେ ଆସୁଛି। ୨୦୦୮ରେ ଟେଲିକମ୍ ବିଭାଗ ତରଫରୁ ଆଇସିଏନ୍‌ଆଇଆର୍‌ପିର ଗାଇଡ୍‌ଲାଇନ୍‌କୁ ଗ୍ରହଣ କରାଯାଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏହି ଗାଇଡ୍‌ଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛି।

୨୦୧୦ରେ ମୋବାଇଲ୍‌ ଟାୱାର ବିକିରଣକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିଲା। ଏହା ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି ବିଭିନ୍ନ ମହଲ ଅଭିଯୋଗ କରିଥିଲେ। ବାସ୍ତବ ସତ୍ୟ ଜାଣିବା ଲାଗି ଟେଲିକମ୍ ବିଭାଗ, ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ (ଆଇସିଏମ୍‌ଆର୍‌), ବା‌ୟୋଟେକ୍ନୋଲୋଜି ବିଭାଗ ଏବଂ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନେଇ ଏକ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। କମିଟି ଏହାର ରିପୋର୍ଟରେ ଜଣାଇଥିଲା ଯେ ବିଭିନ୍ନ ପରୀକ୍ଷାଗାରର ଅଧ୍ୟୟନକୁ ଅନୁଧ୍ୟାନ କରିବା ପରେ ସ୍ବାସ୍ଥ୍ୟ ଉପରେ ‌ଟେଲିକମ୍ ଟାୱାର ବିକିରଣର କୌଣସି ସିଧାସଳଖ ପ୍ରଭାବ ଥିବା ପ୍ରମାଣିତ ହୋଇପାରିନାହିଁ। ରେଡିଓ ତରଙ୍ଗ ବିକିରଣ ଓ ସ୍ବାସ୍ଥ୍ୟ ମଧ୍ୟରେ ରହିଥିବା ସମ୍ପର୍କକୁ ମଧ୍ୟ ବୈଜ୍ଞାନିକ ଅଧ୍ୟୟନରେ ସ୍ପଷ୍ଟ କରାଯାଇପାରିନାହିଁ। ୨୦୧୪ରେ ପୁଣି ଥରେ ମୋବାଇଲ୍‌ ଟାୱାର ବିକିରଣକୁ ନେଇ ଧାର୍ଯ୍ୟ କରାଯାଇଥିବା ସୀମାର ସମୀକ୍ଷା କରାଯାଇଥିଲା। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠଙ୍କ ନିର୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଥିଲା। ସେହି କମିଟି ମଧ୍ୟ ଏହାର ରିପୋର୍ଟ‌ରେ ଜଣାଇଥିଲା ଯେ ମୋବାଇଲ୍ ଟାୱାର ବିକିରଣର ସ୍ବାସ୍ଥ୍ୟ ଉପରେ କୌଣସି ସିଧାସଳଖ ପ୍ରଭାବ ନାହିଁ।

ସମ୍ବନ୍ଧିତ ଖବର