ନୂଆଦିଲ୍ଲୀ: ସରକାର ଓ ଚାଷୀଙ୍କ ମଧ୍ୟରେ ଏବେ ବିଶ୍ବାସର ସଙ୍କଟ ସୃଷ୍ଟି ହୋଇଛି। ଏଭଳି ସ୍ଥିତିର ଅବସାନ ପାଇଁ ପଞ୍ଜାବ ଓ ହରିୟାଣା ସରକାର ଚାଷୀଙ୍କ ସହ ଆଲୋଚନା ନିମନ୍ତେ ଏକ କମିଟି ଗଠନ କରିବାକୁ ସୁପ୍ରିମ୍‌କୋର୍ଟ ବୁଧବାର ପ୍ରସ୍ତାବ ଦେଇଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ, ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ଉଜ୍ଜଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶ ବିରୋଧରେ ହରିୟାଣା ସରକାରଙ୍କ ପକ୍ଷରୁ ଦାଏର ଆବେଦନର ଶୁଣାଣି କରି ଏଭଳି ପ୍ରସ୍ତାବ ରଖିଛନ୍ତି। ସୂଚନାଯୋଗ୍ୟ ଶମ୍ଭୁ ସୀମାକୁ କୃଷକମାନେ ଦୀର୍ଘଦିନ ଧରି ଅବରୋଧ କରି ରଖିଥିବାରୁ ଏହି ଅବରୋଧ ହଟାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଫେବ୍ରୁଆରି ମାସରେ ପଞ୍ଜାବରୁ ହରିୟାଣାକୁ ଆନ୍ଦୋଳନରତ କୃଷକଙ୍କ ଗମନାଗମନକୁ ରୋକିବା ପାଇଁ ସୀମା ବନ୍ଦ କରାଯାଇଥିଲା। ଶୁଣାଣି ସମୟରେ ଖଣ୍ଡପୀଠ ସରକାରକୁ ପ୍ରଶ୍ନ କରିଥିଲେ, ଚାଷୀଙ୍କ ସହ ବୁଝାମଣା କରିବା ପାଇଁ ଆପଣ କୌଣସି ପଦକ୍ଷେପ ନେଇଛନ୍ତି କି? ଆପଣଙ୍କ ମନ୍ତ୍ରୀମାନେ ସ୍ଥାନୀୟ ସମସ୍ୟାକୁ ଦୃଷ୍ଟିରେ ରଖି କୃଷକଙ୍କ ପାଖକୁ ଯାଇପାରିଥାନ୍ତେ। ବିଶ୍ୱାସର ଅଭାବ ରହିଥିବାରୁ ଏଭଳି ସ୍ଥିତି ଲାଗି ରହୁଛି ଏବଂ ବିଶ୍ୱାସ ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି।

Advertisment

ଆନ୍ଦୋଳନକୁ ନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ
ଚାଷୀଙ୍କୁ ବିତ୍ପାତ ସୃଷ୍ଟି ପାଇଁ ଅନୁମତି ଦିଆନଯାଉ: ସରକାର

ଆସନ୍ତା ସପ୍ତାହରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯିବା ସହ କୋର୍ଟ ଉଭୟ ରାଜ୍ୟକୁ ଆନ୍ଦୋଳନ ସ୍ଥଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜନସାଧାରଣଙ୍କ ଅସୁବିଧାକୁ ରୋକିବା ପାଇଁ ଶମ୍ଭୁ ସୀମାରେ ଥିବା ବ୍ୟାରିକେଡ୍ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ ବୋଲି କହିଛନ୍ତି। ପଞ୍ଜାବ ଓ ହରିୟାଣା ସରକାର ଚାଷୀଙ୍କ ସହ ଆଲୋଚନା ପାଇଁ କମିଟି ଗଠନ ନିମନ୍ତେ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ କହିଥିଲେ, ୫୦୦ରୁ ୬୦୦ରୁ ଅଧିକ ‘ଟ୍ୟାଙ୍କ’ ଭଳି ଯାନ ସହ ଚାଷୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଯଦି ସେମାନଙ୍କୁ ଦିଲ୍ଲୀ ଆସିବାକୁ ଅନୁମତି ଦିଆଯାଏ, ତେବେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିପାରେ। ଏହାର ଜବାବରେ ଖଣ୍ଡପୀଠ କହିଥିଲେ ଯେ ଆପଣଙ୍କୁ କିଛି ପ୍ରୟାସ କରିବାକୁ ପଡ଼ିବ ଏବଂ ସମସ୍ୟା ଭିତରେ ବି ଚାଷୀଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ। ଅନ୍ୟଥା ଚାଷୀମାନେ ଦିଲ୍ଲୀ ଆସିବେ ବୋଲି ଖଣ୍ଡପୀଠ କହିଥିଲେ। ଏହାର ଜବାବରେ ମେହେଟ୍ଟା କହିଥିଲେ, ଚାଷୀମାନେ ଦିଲ୍ଲୀ ଆସିପାରନ୍ତି, କିନ୍ତୁ ଟ୍ୟାଙ୍କର କିମ୍ବା ଜେସିବିରେ ନୁହେଁ। ଗଠନମୂଳକ ଆଲୋଚନା ପାଇଁ ସର୍ବଦା ଦ୍ବାର ଉନ୍ମୁକ୍ତ ରହିବା ଆବଶ୍ୟକ ବୋଲି ସେ କହିଥିଲେ।

ମେହେଟ୍ଟା ଆହୁରି ଯୁକ୍ତି ବାଢ଼ିଥିଲେ ଯେ, ଏକ କଲ୍ୟାଣକାରୀ ରାଷ୍ଟ୍ର ଭାବରେ ଆମେ କୌଣସି ଅପ୍ରୀତିକର ଘଟଣାକୁ ସହ୍ୟ କରିପାରିବୁ ନାହିଁ। ଜାତୀୟ ରାଜପଥରେ ସେମାନଙ୍କୁ ବାରଣ କରାଯାଇଛି। ଜେସିବି ଓ ଅନ୍ୟ ଟ୍ୟାଙ୍କରକୁ ଯୁଦ୍ଧଯାନରେ ପରିଣତ କରାଯାଇଛି। ସେମାନେ ବିତ୍ପାତ ସୃଷ୍ଟି କରିବା ପାଇଁ ଯେଉଁସବୁ ବ୍ୟବସ୍ଥା କରିଛନ୍ତି ତାହା ଉପରେ ଆପଣ ନଜର ପକାନ୍ତୁ ବୋଲି ମେହେଟ୍ଟା କହିଥିଲେ। ସୂଚନାଯୋଗ୍ୟ, କେତେକ ଫସଲପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ନେଇ ଚାଷୀମାନେ ଶମ୍ଭୁ ସୀମା ଅଭିମୁଖେ ପଦଯାତ୍ରା କରିବାକୁ ଯୋଜନା କରୁଛନ୍ତି।