ନୂଆଦିଲ୍ଲୀ: ଆସନ୍ତାକାଲି (ସୋମବାର)ଠାରୁ ସଂସଦର ମୌସୁମୀ ତଥା ବଜେଟ୍‌ ଅଧିବେଶନ ଆରମ୍ଭ ହେବ ଏବଂ ଏହା ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ସୁରୁଖୁରୁରେ ସଂପାଦନ ପାଇଁ ଆଜି ସଂସଦ ଭବନରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ବିଜେପି ସମେତ ୪୪ଟି ଦଳର ୫୫ ଜଣ ନେତା ଅଂଶଗ୍ରହଣ କରିଥିଲେ। ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ। କଂଗ୍ରେସ, ଆପ୍, ଜେଡିୟୁ, ବିଜେଡି, ସପା, ଏଆଇଏମ୍ଆଇଏମ୍, ଵାଇଏସ୍ଆର୍‌ସିପି ଓ ଅନ୍ୟ ଦଳମାନେ ଏଥିରେ ସାମିଲ ହୋଇଥିଲେ। ବୈଠକରେ କଂଗ୍ରେସ ଦଳ ଲୋକସଭା ଉପବାଚସ୍ପତି ପଦ ଦାବି କରିଥିବା ବେଳେ ନିଟ୍ ପ୍ରସଙ୍ଗରେ ମଧ୍ୟ ଲୋକସଭାରେ ଆଲୋଚନା ପାଇଁ ଦାବି ଉଠାଇଥିଲା। ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ୟୁପି କାଉଡ଼ିଆ ଯାତ୍ରା ମାର୍ଗରେ ଥିବା ଦୋକାନଗୁଡ଼ିକରେ ନାମଫଳକ ଲଗାଇବା ପ୍ରସଙ୍ଗ ଉଠାଇ ଏହା ଭେଦଭାବପୂର୍ଣ୍ଣ ନିଷ୍ପତ୍ତି ବୋଲି କହିଥିଲେ।

Advertisment

ସର୍ବଦଳୀୟ ବୈଠକରେ ୪୪ ଦଳ ସାମିଲ୍‌
ଉପବାଚସ୍ପତି ପଦ ଦାବି କଲା କଂଗ୍ରେସ
ନିଟ୍, କାଉଡ଼ିଆ ପ୍ରସଙ୍ଗ ମଧ୍ୟ ଉଠିଲା
ସ୍ବତନ୍ତ୍ର ରାଜ୍ୟପାହ୍ୟା ଦ‌ାବି କଲେ ଜେଡିୟୁ, ବିଜେଡି, ୱାଇଏସ୍‌ଆର୍‌ପି

କଂଗ୍ରେସ ନେତା ଜୟରାମ ରମେଶ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ଯେ ସର୍ବଦଳୀୟ ବୈଠକରେ ଜେଡିୟୁ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଥିବା ବେଳେ ୱାଇଏସଆରସିପି ମଧ୍ୟ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ଦାବି କରିଛି। ଅନ୍ୟପକ୍ଷରେ ଓଡ଼ିଶାକୁ ମଧ୍ୟ ସ୍ବତନ୍ତ୍ର ପାହ୍ୟା ଦେବାକୁ ବିଜେଡି ଦାବି କରିଛି। କେନ୍ଦ୍ର ସରକାର ଡାକିଥିବା ଏହି ବୈଠକରେ ମମତା ବାନାର୍ଜୀଙ୍କ ଦଳ ଟିଏମ୍‌ସି ଯୋଗ ଦେଇନଥିଲା। ଦଳର ନେତା ଡେରେକ୍ ଓବ୍ରାଏନ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କୁ ଚିଠି ଲେଖି କହିଥିଲେ ଯେ କୋଲକାତାରେ ଦଳୀୟ କାର୍ଯ୍ୟକ୍ରମ ଦୃଷ୍ଟିରୁ ବୈଠକରେ ତାଙ୍କ ଦଳର ପ୍ରତିନିଧିତ୍ବ ରହିବ ନାହିଁ। ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ବୈଠକରେ ବହୁତ ଉପଯୋଗୀ ଆଲୋଚନା ହୋଇଛି ଏବଂ ଭଲ ପରାମର୍ଶ ଦେଇଥିବା ସମସ୍ତ ଦଳର ନେତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ନିର୍ଦ୍ଧାରିତ ନିୟମ ପାଳନ କରି ସରକାର ସଂସଦରେ ଯେକୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ଆପ୍ ନେତା ସଂଜୟ ସିଂହ କହିଛନ୍ତି ଯେ ସର୍ବଦଳୀୟ ବୈଠକରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକର ଅପବ୍ୟବହାର ପ୍ରସଙ୍ଗ ମଧ୍ୟ ଉଠିଥିଲା।

ପିଏମ୍‌ଏଲଏ ନେଇ ଇଡିକୁ ଦିଆଯାଇଥିବା କ୍ଷମତା ପ୍ରତ୍ୟାହାର କରାଯିବାକୁ ଦାବି ହୋଇଥିଲା। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଅୱେସି କହିଛନ୍ତି ଯେ ବୈଠକରେ ଆମେ କାଉଡ଼ିଆ ମାର୍ଗରେ ଦୋକାନର ନାମଫଳକ ଲଗାଇବା ସଂକ୍ରାନ୍ତ ନିର୍ଦ୍ଦେଶ ପ୍ରସଙ୍ଗ ଉଠାଇଥିଲୁ। ଯଦି କୌଣସି ରାଜ୍ୟ ସରକାର ସମ୍ବିଧାନ ବିରୋଧରେ କୌଣସି ନିର୍ଦ୍ଦେଶନାମା ଜାରି କରନ୍ତି, ତେବେ କେନ୍ଦ୍ର ସରକାର ଏହାକୁ ତୁରନ୍ତ ପ୍ରତ୍ୟାଖ୍ୟାନ କରିବା ଉଚିତ ବୋଲି ସେ କହିଛନ୍ତି।