ସରକାରଙ୍କ ଟାର୍ଗେଟ୍‌ରେ ଇ-କମର୍ସ କଂପାନି, ଯଦି କିଛି ଭୁଲ୍ କରୁନ ତେବେ ତଦନ୍ତକୁ ଡର କାହିଁକି?

ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି: କେନ୍ଦ୍ରମନ୍ତ୍ରୀ ଗୋୟଲ୍‌

ନୂଆଦିଲ୍ଲୀ: ଇ-କମର୍ସ କଂପାନିଗୁଡ଼ିକୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସବୁ ଇ-କମର୍ସ କଂପାନି ଦେଶର ନିୟମ ପାଳନ କରିବା ଦରକାର। ଭାରତର ସ୍ବାର୍ଥ ହାନି ଲାଗି ଅର୍ଥ କିମ୍ବା ବାହୁବଳର ପ୍ରୟୋଗ ନକରିବା ଲାଗି ସେ କଂପାନିଗୁଡ଼ିକୁ କହିଛନ୍ତି। ଅନେକ ବଡ଼ ଇ-କମର୍ସ କଂପାନି ଭାରତକୁ ଆସି ଦେଶର ନିୟମକୁ ଏକାଧିକ ଉପାୟରେ ଉଲ୍ଲଂଘନ କରୁଥିବା ‌ଶ୍ରୀ ଗୋୟଲ କହିଛନ୍ତି।

ଇ-କମର୍ସ କଂପାନିଗୁଡ଼ିକ ଯେଉଁ ଭଳି ବ୍ୟବସାୟ କରୁଛନ୍ତି ତାହା ଗ୍ରାହକଙ୍କ ସ୍ବାର୍ଥ ବିରୋଧୀ। ଏହି ବ୍ୟବସ୍ଥା ଉପରେ ରୋକ ଲଗାଇବା ଲାଗି ନିକଟରେ ସରକାର ଚିଠା ନୀତି ଜାରି କରିଛନ୍ତି। ଭାରତରେ କାରବାର କରୁଥିବା ସବୁ ପ୍ରକାର ଇ-କମର୍ସ କଂପାନି ଏହି ନିୟମ ଲାଗୁ କରାଯିବ। ‌ଗ୍ରାହକଙ୍କ ସ୍ବାର୍ଥ ରକ୍ଷା କରିବା ଲାଗି ଏହି ନିୟମ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ଗୋୟଲ କହିଛନ୍ତି। ସେ କହିଛନ୍ତି ଯେ ଭାରତ ଏକ ବହୁତ ବଡ଼ ବଜାର। ଆମେ ସବୁ କଂପାନିକୁ ଆମନ୍ତ୍ରଣ କରୁଛୁ। କିନ୍ତୁ ସେମାନଙ୍କୁ ଦେଶର ନିୟମ ଭିତରେ ରହି କାରବାର କରିବାକୁ ପଡ଼ିବ। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଅନେକ ବଡ଼ ଇ-କମର୍ସ କଂପାନି ଭାରତ ଆସିଛନ୍ତି ଓ ଦେଶର ନିୟମକୁ ଖୋ‌ଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି।

ବଡ଼ ଇ-କମର୍ସ ସଂସ୍ଥା ବିଶେଷ କରି ଆମେରିକୀୟ କଂପାନିଗୁଡ଼ିକ ସହ ଗୋୟଲ ଆଲୋଚନା କରିଥିଲେ। ବହୁତ ବଡ଼ ହୋଇଥିବାରୁ ସେମାନଙ୍କ ଭିତରେ ଅହଂକାର ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ବିପୁଳ ପୁଞ୍ଜିନିବେଶ କରି ସେମାନେ ଭାରତୀୟ ବଜାରକୁ ହାତେଇବାକୁ ଉଦ୍ୟମ କରିଛନ୍ତି। ସେମାନେ ବଜାରର ବଡ଼ ଭାଗ ନିଜ ଅକ୍ତିଆରକୁ ନେଇଥିବାରୁ ଦେଶରେ ଥିବା ପାରମ୍ପରିକ ଖୁଚୁରା ଦୋକାନଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ଯେହେତୁ ସେମାନେ ବଡ଼ ଓ ତାଙ୍କ ପାଖରେ ଅର୍ଥ ବଳ ରହିଛି ତାହାକୁ ବ୍ୟବହାର କରି ସେମାନେ ଦେଶର ଗ୍ରାହକଙ୍କ ସ୍ବାର୍ଥକୁ ପ୍ରଭାବିତ କରିପାରିବେ ନାହିଁ ବୋଲି ଗୋୟଲ କହିଛନ୍ତି।

ଆମେରିକୀୟ ଇ-କମର୍ସ କଂପାନି ଆମାଜନ୍‌କୁ ୨୦୨୦ ଜାନୁଆରିରେ ଗୋୟଲ କଡ଼ା ସମାଲୋଚନା କରିଥିଲେ। ଏହି ସଂସ୍ଥା ଭାରତରେ ୧୦୦ କୋଟି ଡଲାର ନିବେଶ କରି କୌଣସି ଅନୁଗ୍ରହ ପ୍ରଦର୍ଶନ କରୁନାହିଁ ବୋଲି ସେ କହିଛନ୍ତି। କଂପାନି କ୍ଷତି ସହୁଥିବା ଜାଣି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଇ-କମର୍ସ କଂପାନିଗୁଡ଼ିକ ଏଥିପାଇଁ ମୋଟା ଅଙ୍କର ନିବେଶ କରୁଛନ୍ତି କାରଣ ସେମାନେ କିଛି ଉତ୍ପାଦ ଉପରେ ବଡ଼ ଧରଣର ରିହାତି ଦେଇ ସେହି ବଜାରର ସିଂହ ଭାଗ ନିଜ ଅକ୍ତିଆରକୁ ଆଣୁଛନ୍ତି। ଏହା ଦ୍ବାରା ଦୀର୍ଘ ଦିନରୁ ଦୋକାନ ଖୋଲି ସେହି ଉତ୍ପାଦ ବିକ୍ରି କରୁଥିବା ବ୍ୟବସାୟୀମାନେ ଘୋର କ୍ଷତି ସହୁଛନ୍ତି। ଆମାଜନ୍ ଓ ଫ୍ଲିପ୍‌କାର୍ଟ ଭଳି ବଡ଼ ଇ-କମର୍ସ କଂପାନି ବିରୋଧରେ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ତଦନ୍ତ କରୁଛି। ଏହାକୁ ଏହି ଦୁଇ କଂପାନି କୋର୍ଟରେ ଚ୍ୟାଲେଞ୍ଜ୍‌ କରିଛନ୍ତି। କିନ୍ତୁ ରହିତାଦେଶ ଦେବାକୁ କୋର୍ଟ ମନା କରିଛନ୍ତି।

ଏ ସମ୍ପର୍କରେ ଗୋୟଲ କହିଛନ୍ତି ଯେ ଯଦି ତୁମେମାନେ ନିଷ୍ଠାର ସହ ବ୍ୟବସାୟ କରୁଛ ତେବେ ତଦନ୍ତରେ କାହିଁକି ସହଯୋଗ କରୁନାହଁ? ସତ କଥା ହେଉଛି ସେମାନେ ଏହାକୁ ଏଡ଼ଇବାକୁ ଚାହୁଛନ୍ତି। ସିସିଆଇ ତଦନ୍ତରେ ସେମାନଙ୍କ ସତ ଧରାପଡ଼ିଯିବ ବୋଲି ସେମାନେ ଡରୁଛନ୍ତି। ଶ୍ରୀ ଗୋୟଲ କହିଛନ୍ତି ଯେ ଭାରତ ବିଶ୍ବର ଏକମାତ୍ର ଦେଶ ନୁହେଁ ଯାହା ଇ-କମର୍ସ କଂପାନିଗୁଡ଼ିକର କାରବାରକୁ ନେଇ ଆପତ୍ତି ଉଠାଇଛନ୍ତି। ଆମେରିକାରେ ଇ-କମର୍ସ କଂପାନିଗୁଡ଼ିକ ପାଇଁ ସ୍ବତନ୍ତ୍ର ନୀତି ଘୋଷଣା କରାଯାଇଛି। ବ୍ରିଟେନ୍‌ରେ ମଧ୍ୟ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର