ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନ ଦେଖାଦେବା ପରେ ବିଶ୍ବରେ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉକ୍ତ ଭୂତାଣୁକୁ ଚିନ୍ତାଜନକ ଭୂତାଣୁ ବର୍ଗରେ ତାଲିକାଭୁକ୍ତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି। ପ୍ରାୟ ୨ ଘଣ୍ଟା ଧରି ହୋଇଥିବା ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନୂଆ କରୋନା ଭୂତାଣୁ ଚିହ୍ନଟ ପରିପ୍ରେକ୍ଷୀରେ ଅଧିକ ସତର୍କ ରହିବା ସହିତ ସକ୍ରିୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଲୋକମାନେ ମଧ୍ୟ ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଭାରତକୁ ବିଦେଶରୁ ଆସୁଥିବା ସବୁ ଯାତ୍ରୀଙ୍କ ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ନିର୍ଦ୍ଦେଶାବଳି ଅନୁସାରେ ସେମାନଙ୍କର ଟେଷ୍ଟିଂ କରିବା ପାଇଁ କହିଛନ୍ତି। ବିଶେଷକରି ବିପଦ ବର୍ଗରେ ଥିବା ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀଙ୍କ ଉପରେ ନିର୍ଦ୍ଦିଷ୍ଟ ଭାବେ ଧ୍ୟାନ ଦେବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Advertisment

ଅଧିକାରୀମାନେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ଓ ଅ‌ନ୍ତର୍ଜାତୀୟ ସ୍ତରରେ କରୋନାର ସ୍ଥିତି ଏବଂ ଭାରତର ଟିକାକରଣ ଉପରେ ଅବଗତ କରାଇଛନ୍ତି। ନୂଆ କରୋନା ଭୂତାଣୁ ଚିହ୍ନଟ ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ଭ୍ରମଣ କଟକଣା କୋହଳ ଉପରେ ସମୀକ୍ଷା କରିବା ପାଇଁ କହିଛନ୍ତି। ଏଥିସହିତ ଜିନୋମ ସିକ୍ବେନ୍ସିଂ ସଂଖ୍ୟା ବଢ଼ାଇବା ଏବଂ ଅଧିକ ବ୍ୟାପକ କରିବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି। କରୋନାର ଅଧିକ ସଂକ୍ରମଣ ଯେଉଁ ଅଞ୍ଚଳରେ ଚିହ୍ନଟ ହେଉଛି ସେଠାରେ ଅବରୋଧ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ବଢ଼ାଇବା ଉଚିତ। ବର୍ତ୍ତମାନ ଯେଉଁସବୁ ରାଜ୍ୟରେ ଅଧିକ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି ସେହି ରାଜ୍ୟଗୁଡ଼ିକୁ ବୈଷୟିକ ସହାୟତା ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାୟୁ ଚଳାଚଳ ଏବଂ ବାୟୁ ମାଧ୍ୟମରେ ଭୂତାଣୁ କିଭଳି ଭାବେ ବ୍ୟାପୁଛି ‌ତାହା ଉପରେ ମଧ୍ୟ ଲୋକଙ୍କୁ ସଚେତନ କରାଇବାକୁ ହେବ।

ହର୍‌ ଘର୍‌ ଦସ୍ତକ୍‌ ଅଭିଯାନ ଅଧୀନରେ ଦେଶରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମ ଉପରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଦ୍ବିତୀୟ ଡୋଜ୍ ଟିକା ପ୍ରଦାନ ଉପରେ ଗୁରୁତ୍ବ ଦେଇଛନ୍ତି। ଏଥିସହିତ ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିମାନଙ୍କୁ ଯେଭଳି ଠିକ୍ ସମୟରେ ଦ୍ବିତୀୟ ଡୋଜ୍ ଟିକା ଦିଆଯାଏ ତାହା ନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି। ଆଜିର ‌ସମୀକ୍ଷା ବୈଠକରେ କ୍ୟାବିନେଟ ସଚିବ ରାଜୀବ ଗୌବା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ ନିତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଡାକ୍ତର ଭି କେ ପଲ୍ ପ୍ରମୁଖ ଉପସ୍ଥିତ ଥିଲେ।