ରଣନୀତି ଜାରି କଲେ ସରକାର, ୨ରେ ଦେଶବ୍ୟାପୀ କୋଭିଡ୍‌ ଟିକାର ଡ୍ରାଏରନ୍‌

ଲୋକଙ୍କ ସହ ସଂପର୍କ ସ୍ଥାପନ ପାଇଁ ବ୍ୟାପକ ଯୋଜନା

ନୂଆଦିଲ୍ଲୀ : ୪ ରାଜ୍ୟରେ କୋଭିଡ୍‌ ଟିକାର ଡ୍ରାଏରନ୍ କାର୍ଯ୍ୟକ୍ରମ ସଫଳତ‌ାର ସହ ସମ୍ପନ୍ନ ହେବାପରେ ଆଗାମୀ ଜାନୁଆରି ୨ ତାରିଖରେ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍‌ ଟିକାର ଡ୍ରାଏରନ୍‌ ହେବ। ସବୁ ରାଜ୍ୟ ରାଜଧାନୀର ୩ଟି ସ୍ବତନ୍ତ୍ର କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ହେବ। ମହାରାଷ୍ଟ୍ର ଏବଂ କେରଳ ପରି ରାଜ୍ୟଗୁଡ଼ିକରେ ରାଜଧାନୀ ସହ ଅନ୍ୟ ପ୍ରମୁଖ ସହରମାନଙ୍କରେ ମଧ୍ୟ ଟିକାକରଣର ଡ୍ରାଏରନ୍‌ ହେବ। କେନ୍ଦ୍ର ସରକାର ମଧ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିଡ୍‌ ଟିକାକରଣ ପାଇଁ ସମସ୍ତ ପ୍ରକାର ଆଗୁଆ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରମୁଖ ସ୍ବାସ୍ଥ୍ୟ ସଚିବମାନଙ୍କ ସହ ଆଜି ଭିଡିଓ କନଫରେନ୍ସ ମା‌ଧ୍ୟମରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ଗତ ଡିସେମ୍ବର ୨୦ରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଜାରି ଅପରେସନାଲ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଟିକାକରଣ ଆରମ୍ଭ ପାଇଁ ଯୋଜନା ହେବ। ତେବେ ସମସ୍ତ କାର୍ଯ୍ୟକୁ ଭଲଭାବେ ସମୀକ୍ଷା କରିବାପରେ ରାଜ୍ୟ ଟାସ୍କ ଫୋର୍ସ‌୍ ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ମନ୍ତ୍ରାଳୟଙ୍କୁ ଅବଗତ କରିବେ। ଉଲ୍ଲେଖଯୋଗ୍ୟ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଏବଂ ପଂଜାବରେ ଗତ ୨୮-୨୯ ତାରିଖରେ ପ୍ରଥମ ରାଉଣ୍ଡ୍‌ ଡ୍ରାଏରନ୍‌ ହୋଇଥିଲା।

ଏହା ସହିତ ଆଜି କେନ୍ଦ୍ର ସରକାର ଟିକାକରଣ ନେଇ ରଣନୀତି ମଧ୍ୟ ଜାରି କରିଛନ୍ତି। ଟିକା ବାବଦରେ ଲୋକଙ୍କୁ ସଠିକ୍‌ ତଥ୍ୟ ପହଞ୍ଚାଇବା, ଟିକାର ସଂରକ୍ଷଣ, ପରିବହନ, ଜନସଂପୃକ୍ତି ଆଦି ନେଇ ସରକାର ୮୮ ପୃଷ୍ଠାର ଏକ ଦସ୍ତାବିଜ ଜାରି କରିଛନ୍ତି। ଲେ ସମସ୍ତ ସୋସିଆଲ୍‌ ମିଡିଆ ଫ୍ଲାଟଫର୍ମ ସମେତ ଗ୍ରାମସଭା, ଗୋଷ୍ଠୀସଭା, ସ୍କୁଲ ପରିଚାଳନା କମିଟି, ଏନ୍‌ଏସ୍‌ଏସ୍‌, ସ୍କାଉଟ୍‌ସ ଆଣ୍ଡ୍‌ ଗାଇଡ୍‌ସକୁ ଏଥିରେ ନିୟୋଜିତ କରିବାକୁ ଯୋଜନା ରହିଛି। ଏହା ସହିତ ସେଲିବ୍ରିଟି, ରାଜନେତା, ସୋସିଆଲ ମିଡିଆରେ ପ୍ରଭାବ ଥିବା ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ଅଭିଯାନ ବାବଦରେ ସଚେତନତା ସୃଷ୍ଟି ପାଇଁ କୁହାଯିବ ବୋଲି ଜଣାପଡ଼ିଛି। ଏହା ସହିତ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଆବାସିକ କଲ୍ୟାଣ ସଂଗଠନ (ଆର୍‌ଡବ୍ଲୁଏ)ଗୁଡ଼ିକର ହ୍ବାଟ୍‌ସ ଗ୍ରୁପ୍‌ଗୁଡ଼ିକୁ ମଧ୍ୟ ସରକାରଙ୍କ ବାର୍ତ୍ତା ପହାଞ୍ଚାଇବା ଦିଗରେ ମଧ୍ୟ ସହାୟତା ପାଇଁ କୁହାଯିବ।

ସମ୍ବନ୍ଧିତ ଖବର