ଚେନ୍ନାଇ: ତାମିଲନାଡ଼ୁ ସରକାରଙ୍କ ସହିତ ରାଜ୍ୟପାଳଙ୍କର ରହିଥିବା ବିବାଦ ପୁଣି ସାମ୍ନାକୁ ଆସିଛି। ରାଜ୍ୟପାଳ ଆର୍‌ଏନ୍ ରବି ସୋମବାର ବିଧାନସଭା ଅଧିବେଶନରେ ‘କ୍ଷୁଦ୍ରତମ’ ଭାଷଣ ଦେଇଛନ୍ତି। ଏପରିକି ଭାଷଣ ବନ୍ଦ କରି ଜାତୀୟ ସଙ୍ଗୀତ ବୋଲାହେବା ପୂର୍ବରୁ ଗୃହରୁ ବାହାରି ଯାଇଛନ୍ତି। କିନ୍ତୁ ବିଜେପି ସମେତ ଶାସକ ଓ ବିରୋଧୀ ଦଳର ସମସ୍ତ ସଦସ୍ୟ ଦିନର କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ବସି ରହିଥିଲେ। ପରେ ଗୃହରେ କେବଳ ଇଂରାଜୀ ଓ ତାମିଲ ଭାଷାରେ ଲିଖିତ ରାଜ୍ୟପାଳଙ୍କ ଅଭିଭାଷଣକୁ ରେକର୍ଡ କରିବା ପାଇଁ ଦୁରିମୁରୁଗାନଙ୍କ ଦ୍ୱାରା ଆଗତ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏଥିରେ ରାଜ୍ୟପାଳଙ୍କ ଉଦ୍‌ବୋଧନ ବ୍ୟତୀତ ଅନ୍ୟ କୌଣସି ମନ୍ତବ୍ୟ ରେକର୍ଡରେ ରହିବ ନାହିଁ ବୋଲି କୁହାଯାଇଥିଲା। ତାମିଲନାଡୁ ରାଜ୍ୟପାଳ ୪ ମିନିଟ୍‌ରେ ତାଙ୍କ ଅଭିଭାଷଣ ଶେଷ କରିଥିଲେ।

Advertisment

ସୂଚନାଯୋଗ୍ୟ, ନିକଟରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ମଧ୍ୟ ଶେଷ ପାରାଗ୍ରାଫ୍‌ଟି ପଢ଼ି ନିଜର ଅଭିଭାଷଣ ଶେଷ କରିଥିଲେ। ଗତବର୍ଷ ରାଜ୍ୟପାଳ ରବି ପାରମ୍ପରିକ ନୀତିରେ ଅଭିଭାଷଣ ନ ଦେଇ ଜାତୀୟ ସଙ୍ଗୀତ ବାଜିବା ପୂର୍ବରୁ ଚାଲିଯାଇଥିଲେ। ତାହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଆଜି ରାଜ୍ୟପାଳ ତାଙ୍କ କ୍ଷୁଦ୍ରତମ ଭାଷଣରେ ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ତିରୁକୁରାଳରୁ ଏକ ପଂକ୍ତି ଆବୃତ୍ତି କରି ରାଜ୍ୟର ସୁଖ-ସମୃଦ୍ଧି କାମନା କରିଥିଲେ। ତା’ପରେ ସେ ହଠାତ୍ ତାଙ୍କ ଆଗରେ ରଖାଯାଇଥିବା ଟ୍ୟାବଲେଟ୍‌ରୁ ଲିଖିତ ଭାଷଣ ପଢ଼ିବା ବନ୍ଦ କରି ନିଜ ଆସନରୁ ଓହ୍ଲାଇ ଚାଲିଯାଇଥିଲେ। ଏହି ସମୟରେ ବରିଷ୍ଠ ମନ୍ତ୍ରୀ ଦୁରାଇମୁରୁଗାନ୍ ଉଠି କିଛି କହିବାବେଳେ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍ ବାଚସ୍ପତି ଏମ୍ ଆପ୍ପାଭୁଙ୍କ ନିକଟରେ ମାଇକ୍ରୋଫୋନ୍ ରଖିବାକୁ କର୍ମଚାରୀଙ୍କୁ ସଙ୍କେତ ଦେଇଥିଲେ। ରାଜ୍ୟପାଳଙ୍କ ଅଭିଭାଷଣର ତାମିଲ ଅନୁବାଦକୁ ସମ୍ପୂର୍ଣ୍ଣ ଭାବେ ପଢ଼ିବା ପାଇଁ ଆପ୍ପାଭୁ ନିଜର ଇଚ୍ଛା ପ୍ରକାଶ କରିଥିଲେ ଏବଂ ତାହା ପଢ଼ିଥିଲେ।