ପ୍ରଦୂଷଣ ମୁକାବିଲା ଲାଗି ଏମ୍ଏସ୍‌ଏମ୍‌ଇଙ୍କୁ ରାଜ୍ୟପାଳଙ୍କ ଆହ୍ବାନ

ଧାନରେ ଓଡ଼ିଶା ୨୦-୩୦% ବଳକା ରାଜ୍ୟ

ଭୁବନେଶ୍ବର: ପ୍ରଦୂଷଣ ମୁକାବିଲା ଦିଗରେ କାର୍ଯ୍ୟ କରିବା ଲାଗି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ)କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆହ୍ବାନ ଦେଇଛନ୍ତି। ଇଣ୍ଡିଆନ୍ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଏମ୍ଏସ୍‌ଏମ୍‌ଇ ଆଗ୍ରୋ ସମ୍ପର୍କିତ ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ କରି ସେ ପ୍ରଦୂଷଣର ପ୍ରଭାବ କେତେ ଭୟଙ୍କର ହେବ ସେ ବିଷୟରେ ଆଲୋଚନା କରିଥିଲେ। ଜଙ୍ଗଲ ପୋଡ଼ି ଯୋଗୁଁ ତାପମାତ୍ରା ୬୦ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବା ଏବଂ ଦୁନିଆରେ ଉତ୍କଟ ଜଳ ସଙ୍କଟ ଦେଖାଦେବାର ଆଶଙ୍କା ରହିଥିବା ସେ କହିଛନ୍ତି। ତେଣୁ ଜଳ, ଜମି, ବାୟୁ, ଅଗ୍ନି ଆଦିକୁ ସଠିକ୍ ଦିଗରେ ବ୍ୟବହାର କରିବା ଲାଗି ଯତ୍ନବାନ ରହିବାକୁ ସେ ଉପସ୍ଥିତ ଏମ୍ଏସ୍‌ଏମ୍ଇ ଶିଳ୍ପର ପ୍ରତିନିଧିମାନଙ୍କୁ କହିଛନ୍ତି। ଏହି ଅବସରରେ ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟର କୁପଳତି ଡକ୍ଟର ପୱନ କୁମାର ଅଗ୍ରୱାଲ୍ କହିଛନ୍ତି ଯେ ରାଜ୍ୟର ୬୦ ପ୍ରତିଶତରୁ ଅଧିକ ଜମିରେ ଧାନ ଚାଷ ହେଉଥିବା ବେଳେ ଧାନରେ ଓଡ଼ିଶା ହେଉଛି ୨୦-୩୦% ବଳକା ରାଜ୍ୟ।

ରାଜ୍ୟରେ ୧୦ ପ୍ରକାର ପାଣିପାଗ ସ୍ଥିତି ରହିଥିବାରୁ ତାହା ଫସଲରେ ବିବିଧତା ଆଣିବା ଲାଗି ବଡ଼ ସୁଯୋଗ ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ଅମଳ ପରେ ପନିପରିବା ଓ ଫଳ ଯେଉଁ ପରିମାଣରରେ ନଷ୍ଟ ହେଉଛି ତାହାକୁ ନେଇ ସେ ଚିନ୍ତା ପ୍ରକଟ କରିଥିବା ବେଳେ ପ୍ରାଥମିକ, ମାଧ୍ୟମିକ ଓ ତୃତୀୟକ ପ୍ରକ୍ରିୟାକରଣ ଜରିଆରେ ଏହି ସମସ୍ୟାର ମୁକାବିଲା କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଆଇସିସି ଓଡ଼ିଶାର ସହ ଅଧ୍ୟକ୍ଷ ଏମ୍‌ କେ ଗୁପ୍ତା କହିଥିଲେ ଯେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଲାଗି ବ୍ୟୟବରାଦ ବଢ଼ାଇବାର ଆବଶ୍ୟକତା ରହିଛି।ଅନ୍ୟମାନଙ୍କ ମଧ୍ୟରେ ଆଇସିସି ଓଡ଼ିଶାର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିର ମେଣ୍ଟର ଡକ୍ଟର ପ୍ରଦୀପ୍ତ ମହାନ୍ତି, ସଂଯୋଜକ ଶ୍ରୀରାମ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର