ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ଲାଗି ରହିଛି। ଦିଲ୍ଲୀର ଶାହିନ୍ ବାଗରେ ଗତ ଏକ ମାସ ହେଲାଣି ମହିଳାମାନେ ଏହି ଆଇନକୁ ବିରୋଧ କରି ଧାରଣାରେ ବସିଛନ୍ତି। ପୂର୍ବରୁ ଅନେକ ବଲିଉଡ୍ କଳାକାର ଓ ରାଜନେତା ଏହାକୁ ବିରୋଧ କରି ନିଜର ପ୍ରତିକ୍ରିୟା ରଖି ସାରିଥିବା ବେଳେ ଏହାକୁ ସମର୍ଥନ ଜଣାଇଛନ୍ତି ରେସଲର ଦୀଲିପ ସିଂହ ରାଣା ଓରଫ ଦି ଗ୍ରେଟ୍ ଖଲି। ସେ କହିଛନ୍ତି, ପାକିସ୍ତାନ-ବାଂଲାଦେଶରୁ ଲୋକ ଭାରତକୁ ଆସି ଏଠାରେ ୧୫-୧୫ଟା ପିଲା ଜନ୍ମ କରନ୍ତୁ, ଏହା ଠିକ୍ ନୁହେଁ। ତାଙ୍କର ଏଭଳି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ହିମାଚଳ ପ୍ରଦେଶର କାଙ୍ଗଡାରେ ରେସଲର ଦି ଗ୍ରେଟ୍ ଖଲି ଏଭଳି ବୟାନ ଦେଇଛନ୍ତି। ତାଙ୍କ କହିବା ମୁତାବକ, ମୁଁ ନାଗରିକତା ସଂଶୋଧନ ଆଇନର ସମର୍ଥନ କରୁଛି। ଆମ ଦେଶରେ ପୂର୍ବରୁ ଲୋକେ ବେରୋଜଗାର ଥିବା ସହ ଖାଇବାକୁ ପାଉ ନାହାନ୍ତି। ଏଭଳି ପରିସ୍ଥିତିରେ ଲୋକେ ବେଆଇନ ଭାବେ ଭାରତକୁ ପ୍ରବେଶ କରି ରହିବା ଆରମ୍ଭ କଲେ ଦେଶର ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଯିବ। ପଡ଼ୋଶୀ ଦେଶରେ ଯେଉଁ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରାଯାଉଛି, ସେମାନଙ୍କ ପାଇଁ ଏହି ଆଇନ ତିଆରି କରାଯାଇଛି। ସାରା ବିଶ୍ବ ଜାଣିଛି କି ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ରହୁଥିବା ଅଳ୍ପସଂଖ୍ୟକଙ୍କ ଉପରେ କିଭଳି ଅତ୍ୟାଚାର କରାଯାଉଛି। ସେମାନଙ୍କୁ ଯଦି ଏହି ଆଇନ ଅନୁସାରେ ଭାରତୀୟ ନାଗରିକତା ମିଳୁଛି ତେବେ ଏହାଠାରୁ ଭଲ କଥା ଆଉ କିଛି ହେବ ନାହିଁ ବୋଲି କହିଥିଲେ ଦି ଗ୍ରେଟ୍ ଖଲି। ଏହା ସହ ସେ କହିଥିଲେ, ଯଦି ପାକିସ୍ତାନ ବା ବାଂଲାଦେଶରୁ ଲୋକେ ଆସି ଭାରତରେ ୧୫-୧୫ଟା ପିଲା ଜନ୍ମ କରିବେ, ତେବେ ତାହା ଭାରତ ପାଇଁ ଠିକ୍ ନୁହେଁ। ଏହା ଭାରତର ଅର୍ଥନୀତି ଉପରେ ପ୍ରଭାବ ପକାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/q-8.jpg)