ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାତୀୟ ଗାଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ତଥା ଶାସକ ମହାୟୁତି ରାଜ୍ୟର ୨୮୮ ବିଧାନସଭା ଆସନରୁ ୨୩୫ ଆସନ ହାସଲ କରି ପୁଣି ଥରେ କ୍ଷମତା ଦଖଲ କରିବାକୁ ଯାଉଛି। ବିରୋଧୀ ଇଣ୍ଡି ମେଣ୍ଟ (ମହାବିକାଶ ଅଘାଡ଼ି) ପାଇଁ ଏହି ନିର୍ବାଚନ ବଡ଼ ବିପର୍ଯ୍ୟୟ ଆଣିଛି ଏବଂ ମେଣ୍ଟ କେବଳ ୪୮ ଆସନରେ ସୀମିତ ରହିଯାଇଛି। ଅନ୍ୟପକ୍ଷରେ ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ଏକଜିଟ୍ ପୋଲ୍ ଆକଳନକୁ ଭୁଲ୍ ପ୍ରମାଣିତ କରି ବଡ଼ ବିଜୟ ହାସଲ କରିଛି ଏବଂ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିଛି। ରାଜ୍ୟର ୮୧ ବିଧାନସଭା ଆସନରୁ ଇଣ୍ଡି ମେଣ୍ଟ ୫୬ ଆସନ ହାସଲ କରି ବିଜେପିର କ୍ଷମତା ଦଖଲ ସ୍ବପ୍ନକୁ ଧୂଳିସାତ୍ କରିଦେଇଛି। ବିଜେପି ନେତୃତ୍ବାଧୀନ ଏନ୍ଡିଏ ଏଠାରେ କେବଳ ୨୪ ଆସନ ପାଇବାକୁ ସମର୍ଥ ହୋଇଛି। ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ସଖ୍ୟା ୪୧ ରହିଥିବା ବେଳେ ମହାରାଷ୍ଟ୍ରରେ ମ୍ୟାଜିକ୍ ନମ୍ବର ହେଉଛି ୧୪୫।
ମହାରାଷ୍ଟ୍ରରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିକୁ ନେଇ ଗଠିତ ଶାସକ ମହାୟୁତି ମେଣ୍ଟ ସରକାର ବିରୋଧୀ ଅସନ୍ତୋଷକୁ ସଫଳତାର ସହ ପ୍ରତିହତ
କରି ବିପୁଳ ବିଜୟ ସୁନିଶ୍ଚିତ କରିଥିବା ବେଳେ ଏମ୍ଭିଏର ସବୁ ରଣନୀତି ଫେଲ୍ ମାରିଛି। ଏମଭିଏ ମେଣ୍ଟ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାପରେ ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ ଏହି ଫଳାଫଳକୁ ‘ଜାଲିଆତି’ ବୋଲି କହିଛନ୍ତି ଏବଂ ଚଳିତ ନିର୍ବାଚନରେ ବିଜେପି ବଡ଼ ଷଡ଼୍ଯନ୍ତ୍ର କରିଛି ବୋଲି କହିବାକୁ ପଛାଇନାହାନ୍ତି। ଏହି ଜନାଦେଶ ଶିଳ୍ପପତି ଆଦାନୀ ଏବଂ ତାଙ୍କ ଗ୍ୟାଙ୍ଗ ଦ୍ୱାରା ପରିଚାଳିତ ବୋଲି ରାଉତ ଦାବି କରିଛନ୍ତି। ଶିବସେନା(ୟୁବିଟି), କଂଗ୍ରେସ ଏବଂ ଏନ୍ସିପି(ଶରଦ ପାୱାର)ର ଅନେକ ତୁଙ୍ଗ ନେତା ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏହି ତିନି ଦଳ ଯଥାକ୍ରମେ ୨୦, ୧୫ ଓ ୧୦ ଆସନରେ ସୀମିତ ରହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ୫୭ ଆସନ ଏବଂ ଅଜିତ ପାୱାରଙ୍କ ଏନ୍ସିପି ୪୧ ଆସନ ହାସଲ କରି ମହାରାଷ୍ଟ୍ର ରାଜନୀତିର ମୋଡ଼ ବଦଳାଇଛନ୍ତି। ଏହି ଦୁଇ ଦଳ ନିଜ ମୂଳ ଦଳରୁ ବିଭାଜିତ ହେବାପରେ ପ୍ରଥମ ଥର ପାଇଁ ବଡ଼ ସଫଳତା ହାସଲ କରିଛନ୍ତି।
ଅନ୍ୟପକ୍ଷରେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ଜେଏମଏମ ୪୩ ଆସନରେ ପ୍ରତିଦ୍ବନ୍ଦ୍ବିତା କରି ୩୪ ଆସନ ହାସଲ କରିଥିବା ବେଳ କଂଗ୍ରେସ ୩୦ ଆସନରେ ପ୍ରାର୍ଥୀ ଦେଇ ୧୬ ଆସନରେ ବିଜୟୀ ହୋଇଛି। ରାଜ୍ୟରେ ଇଣ୍ଡିମେଣ୍ଟର ସହଯୋଗୀ ଦଳ ଆର୍ଜେଡିକୁ ୪ ଆସନ ଏବଂ ସିପିଆଇଏମ୍ଏଲ୍କୁ ୨ ଆସନ ମିଳିଛି। ଝାଡ଼ଖଣ୍ଡରେ ବିଜେପି ୬୮ ଆସନରେ ଲଢ଼ି ମାତ୍ର ୨୧ ଆସନରେ ବିଜୟୀ ହୋଇଛି। ଏହାର ସହଯାଗୀ ଏଜେଏସ୍ୟୁ ୧, ଜେଡିୟୁକୁ ୧ ଏବଂଏଲ୍ଜେପି-ରାମ ବିଳାସକୁ ଗୋଟିଏ ଆସନ ମିଳିଛି। ଝାଡ଼ଖଣ୍ଡରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଆଶ୍ଚର୍ଯ୍ୟଜନକ ଭାବେ ଇଣ୍ଡିମେଣ୍ଟ ପଛରେ ପକାଇ ଦେଇଥିବା ବେଳେ ଏହି ବିପର୍ଯ୍ୟୟ ବିଜେପି ପାଇଁ ବହୁତ ବଡ଼ ଝଟ୍କା ହୋଇଛି।
ସୁଶାସନର ବିଜୟ: ପ୍ରଧାନମନ୍ତ୍ରୀ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ମହାୟୁତି ମେଣ୍ଟର ବିପୁଳ ବିଜୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି- ‘ଏହି ବିଜୟ ବିକାଶ ଓ ସୁଶାସନର ବିଜୟ। ଏକଜୁଟ ହୋଇ ଆମେ ଆହୁରି ଉଚ୍ଚରେ ପହଞ୍ଚିବୁ! ମହାରାଷ୍ଟ୍ରର ଭଉଣୀ ଓ ଭାଇମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ବିଶେଷ କରି ରାଜ୍ୟର ଯୁବକ ଓ ମହିଳାମାନେ ଏନ୍ଡିଏକୁ ଐତିହାସିକ ଜନାଦେଶ ଦେଇଛନ୍ତି। ଏହି ସ୍ନେହ ଓ ଉଷ୍ମତା ଅତୁଳନୀୟ। ଆମ ମେଣ୍ଟ ମହାରାଷ୍ଟ୍ରର ପ୍ରଗତି ପାଇଁ କାମ ଜାରି ରଖିବ। ଜୟ ମହାରାଷ୍ଟ୍ର!’
ପ୍ରଧାନମନ୍ତ୍ରୀ ଚଳିତ ନିର୍ବାଚନରେ କର୍ମୀଙ୍କ ନିଷ୍ଠାପର ପ୍ରୟାସ ଓ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ସଂକ୍ଷିପ୍ତ ଭାବରେ ପୋଷ୍ଟ କରିଛନ୍ତି। ‘ଆମ ପ୍ରତି ସମର୍ଥନ କରିଥିବାରୁ ମୁଁ ଝାଡ଼ଖଣ୍ଡବାସୀଙ୍କୁ ଧନ୍ୟବାଦ ଜଣାଉଛି। ଲୋକଙ୍କ ସମସ୍ୟା ଉଠାଇବା ଓ ରାଜ୍ୟ ପାଇଁ କାମ କରିବାରେ ଆମେ ସବୁବେଳେ ଆଗରେ ରହିବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜେଏମ୍ଏମ୍ ତଥା ଶାସକ ମେଣ୍ଟକୁ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।
ଫଳାଫଳ ଅପ୍ରତ୍ୟାଶିତ: ରାହୁଲ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡ଼ି (ଏମ୍ଭିଏ)ର ବିପର୍ଯ୍ୟୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ଫଳାଫଳ ଅପ୍ରତ୍ୟାଶିତ ଏବଂ ଆମେ ଏହାର ବିସ୍ତୃତ ବିଶ୍ଳେଷଣ କରିବୁ। ଏମ୍ଭିଏକୁ ଦେଇଥିବା ସମର୍ଥନ ପାଇଁ ରାଜ୍ୟର ସମସ୍ତ ଭୋଟର ଭାଇ ଭଉଣୀମାନଙ୍କୁ ଧନ୍ୟବାଦ ଏବଂ କଠିନ ପରିଶ୍ରମ ପାଇଁ ସମସ୍ତ କର୍ମୀଙ୍କୁ ଧନ୍ୟବାଦ ବୋଲି ରାହୁଲ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି। ଏହା ସହିତ ଇଣ୍ଡି ମେଣ୍ଟକୁ ବିପୁଳ ଜନାଦେଶ ଦେଇଥିବାରୁ ରାହୁଲ ଝାଡ଼ଖଣ୍ଡବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଂଗ୍ରେସ ଓ ଜେଏମଏମର ସମସ୍ତ କର୍ମୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ରାଜ୍ୟରେ ମେଣ୍ଟର ଏହି ବିଜୟ ସମ୍ବିଧାନ ସହିତ ଜଳ, ଜଙ୍ଗଲ ଓ ଜମି ସୁରକ୍ଷାର ବିଜୟ ବୋଲି ରାହୁଲ କହିଛନ୍ତି।
ଭୋଟର୍ଙ୍କ ବ୍ୟବହାରରେ ମୁଁ ହତ୍ବାକ: ଉଦ୍ଧବ ଠାକ୍ରେ
ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନରେ ଶିବସେନା (ୟୁବିଟି)ର ବିପର୍ଯ୍ୟୟ ପରେ ଦଳ ମୁଖ୍ୟ ଉଦ୍ଧବ ଠାକ୍ରେ ଆଜି ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଠାକ୍ରେ କହିଛନ୍ତି, ମୁଁ ବିଶ୍ବାସ କରିପାରୁନି ଯେ ‘ମୋ ମହାରାଷ୍ଟ୍ର ଯାହା ପାଇଁ ମୁଁ ସମ୍ପୂର୍ଣ୍ଣ ନିଷ୍ଠାର ସହ କାମ କରିଛି, ମୋତେ ଏମିତି ବ୍ୟବହାର ଦେଖାଇବ।’ କରୋନା ମହାମାରୀ ସମୟରେ ପରିବାରର ମୁଖ୍ୟ ଭଳି ମୋ କଥା ଶୁଣିଥିବା ମହାରାଷ୍ଟ୍ରବାସୀ ମତେ ଏଭଳି ବ୍ୟବହାର ଦେଖାଇବା ମୋତେ ହତ୍ବାକ କରିଦେଇଛି। ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଉଦ୍ଧବ ଠାକ୍ରେ ଏହି ଟିପ୍ପଣୀ ଦେଇଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ଅତ୍ୟନ୍ତ ଅପ୍ରତ୍ୟାଶିତ ଥିବାରୁ ତାଙ୍କ ଦଳ ଏବଂ ମେଣ୍ଟ ଏହି ଫଳାଫଳକୁ ଆକଳନ କରିବ ବୋଲି ସେ କହିଛନ୍ତି। ମହାୟୁତି ମେଣ୍ଟକୁ ଶୁଭେଚ୍ଛା ଜଣାଇବାରେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ଠାକ୍ରେ କହିଛନ୍ତି। ତେବେ ଯେଉଁ ପ୍ରତିଶ୍ରୁତି ଦେଇ ସେମାନେ କ୍ଷମତାକୁ ଆସିଛନ୍ତି, ତାହା ଖୁବ୍ଶୀଘ୍ର କାର୍ଯ୍ୟକାରୀ କରିବା ଉଚିତ ବୋଲି ଠାକ୍ରେ କହିଛନ୍ତି।