ମିଜୋରାମ ମନ୍ତ୍ରୀଙ୍କ ମହାନତା, ଶ୍ରମିକ ସାଜି ପଡ଼ୋଶୀଙ୍କୁ ସାହାଯ୍ୟ କଲେ

ଗୌହାଟି: ମିଜୋରାମ ରାଜଧାନୀ ଆଇଜଲ ସନ୍ନିକଟ ଚିଟେଭେଙ୍ଗ ଅଞ୍ଚଳରେ ଜଣେ ନିରୁପାୟ ପଡ଼ୋଶୀଙ୍କ ଘର ତୋଳିବା ପାଇଁ ମନ୍ତ୍ରୀ ରବର୍ଟ ରୋମାଵିଆ ରୋୟତେ ଶ୍ରମିକ ସାଜି ପାହାଡ଼ ତଳୁ ପଥର ବୋହିବା ଘଟଣା ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛି। ସୂଚନାନୁଯାୟୀ, ଚିଟେଭେଙ୍ଗର ଗ୍ରାମ୍ୟନେତା ଲାଲଙ୍ଗହିହ୍ଲୋଭା ନିଜର ଭୁଶୁଡ଼ିପଡ଼ିଥିବା କଚ୍ଚାଘରକୁ କେମିତି ସଜାଡ଼ିବେ ବୋଲି ହତୋତ୍ସାହିତ ହୋଇପଡ଼ିଥିଲେ। ହାତରେ ନା ଥିଲା ଅର୍ଥବଳ ନା ଲୋକବଳ! ତେବେ ସପ୍ତାହକ ତଳେ ଜଣେ ଅଜଣା ବ୍ୟକ୍ତିଙ୍କ ଆର୍ଥିକ ସହାୟତା ତାଙ୍କ ଅର୍ଥ ଚିନ୍ତାକୁ ସିନା ଦୂର କରିଦେଇଥିଲା, ମାତ୍ର କେମିତି ଲୋକ ଆଣି ଘର ତୋଳିବେ ବୋଲି ସେ ବିବ୍ରତ ହୋଇପଡ଼ିଥିଲେ।

ବିଶେଷ କରି କୋଭିଡ୍ ଯୋଗୁଁ ମିଜୋରାମ ସରକାର ଲକ୍‌ଡାଉନ୍ ଅବଧିକୁ ଜୁନ୍ ୯ରୁ ଆଉ ଦୁଇ ସପ୍ତାହ ପାଇଁ ବୃଦ୍ଧି କରିବା ହିଁ ସେଠାରେ ନିର୍ମାଣ ଶ୍ରମିକ ନମିଳିବା ଆଶଙ୍କାରେ ସେ ଭାଙ୍ଗିପଡ଼ିଥିଲେ। ତେବେ ନିଜ ସମ୍ପ୍ରଦାୟ ପାଇଁ ସେବା କରିବା ଲାଗି ତାଙ୍କ ପଡ଼ୋଶୀମାନେ ଆଗେଇ ଆସି ପାହାଡ଼ ତଳେ ଗଦା ହୋଇଥିବା ପଥର ସବୁ ଧୀରେ ଧୀରେ ବୋହିଆଣିବାକୁ ନିଷ୍ପତ୍ତି ନେଇଥିଲେ। ଅପରପକ୍ଷେ, କୋଭିଡ୍ କଟକଣା ଯୋଗୁଁ ଏକକାଳୀନ ଅଧିକ ଲୋକ ମଧ୍ୟ ଶ୍ରମଦାନ କରିବା ପାଇଁ ସେଠାରେ ଏକତ୍ରିତ ହୋଇପାରିଲେନି। ଫଳରେ ୬୦ମିଟର ତଳୁ ବିରାଟ ବିରାଟ ପଥର ଖଣ୍ଡ ଉପରକୁ ଉଠାଇ ଆଣିବା କଷ୍ଟକର ହୋଇପଡ଼ିଥିଲା। ଏ ଭଳି ପରିସ୍ଥିତିରେ ରାଜ୍ୟ କ୍ରୀଡ଼ା ଓ ପର୍ଯ୍ୟଟନ ମନ୍ତ୍ରୀ ୫୩ ବର୍ଷୀୟ ରବର୍ଟ ରୋୟତେ ନିଜ ପଡ଼ୋଶୀଙ୍କ ପାଇଁ ଅଣ୍ଟା ଭିଡ଼ିଥିଲେ। ଅନ୍ୟମାନଙ୍କୁ ଚକିତ କରି ସେ ମଧ୍ୟ କାନ୍ଧରେ ପଥର ବୋହିଥିଲେ। ଅନ୍ୟ ଶ୍ରମିକଙ୍କ ସହ ଲାଲଙ୍ଗହିହ୍ଲୋଭାଙ୍କ ଘର ପାଇଁ ଆବଶ୍ୟକ ନିର୍ମାଣ ସାମଗ୍ରୀକୁ ରୋୟତେ ରବିବାର ଓ ସୋମବାର ଦୁଇଦିନ ଧରି ବୋହିଥିଲେ। ଜଣେ ଫୁଟବଲ୍ ଖେଳାଳିରୁ ମନ୍ତ୍ରୀ ହୋଇଥିବା ରୋୟତେଙ୍କୁ ଅଞ୍ଚଳବାସୀ ଜଣେ ରାଜନେତା ହିସାବରେ ଜାଣନ୍ତି ସିନା, ତେବେ ଜଣେ ନେତାଙ୍କୁ ନିଜର କିଛି ଉଦାହରଣ ଦ୍ବାରା ଲୋକେ ଜାଣିବା ଦରକାର ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର