ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତୀୟ ବନ ସେବା ସଂଘ ଦ୍ବାରା ଦେଶର ୨୮୪ ଜଣ ମହିଳା ବନ ଅଧିକାରୀଙ୍କ ବିବରଣୀ ସମ୍ବଳିତ ପୁସ୍ତକ ‘ଦ ଗ୍ରିନ୍ କୁଇନ୍ସ ଅଫ ଇଣ୍ଡିଆ: ନେସନ୍ସ ପ୍ରାଇଡ’ ପ୍ରକାଶ କରାଯାଇଛି। ପୁସ୍ତକରେ ଗତ ୪୦ ବର୍ଷରେ ଦେଶରେ ୨୮୪ ଜଣ ମହିଳା ଭାରତୀୟ ବନ ସେବାର ଅଧିକାରୀ ରୂପେ ନିଯୁକ୍ତି ପାଇଥିବାର ଦର୍ଶାଯାଇଛି। ପୁସ୍ତକରେ ମହିଳା ବନ ଅଧିକାରୀମାନଙ୍କର ଉପଲବ୍ଧିକୁ ମଧ୍ୟ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏହି ପୁସ୍ତକରେ ଓଡ଼ିଶା କ୍ୟାଡରର ୭ ଜଣ ମହିଳା ବନ ଅଧିକାରୀମାନଙ୍କ ସଂପର୍କରେ ବିବରଣୀ ପ୍ରଦାନ କରାଯାଇଛି।
୧୯୮୪ ବ୍ୟାଚ୍ର ଏକମାତ୍ର ମହିଳା ବନ ଅଧିକାରୀ ରେବିକା ନାୟରଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା ଏବଂ ସେ ପିସିସିଏଫ୍ ରୂପେ କାର୍ଯ୍ୟ କରି ଅବସର ନେଇଥିଲେ ବୋଲି ଉଲ୍ଲେଖ ଅଛି। ପୁସ୍ତକରେ ତାଙ୍କୁ ବନ ସେବାର ମାର୍ଗଦର୍ଶିକା ବୋଲି ଦର୍ଶାଯାଇଛି। ସେ ଜଙ୍ଗଲ ବିଭାଗର ସମସ୍ତ ୱିଂଗରେ କାର୍ଯ୍ୟ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ବୋଲି ପୁସ୍ତକରେ ପ୍ରକାଶ ପାଇଛି। ସେହିଭଳି ପୁସ୍ତକରେ ୧୯୮୮ ବ୍ୟାଚ୍ର ଡଃ ମିତା ବିଶ୍ବାଳ ଓ ପୁସା ଜେଡ୍ ମେକ୍ରୋ, ୧୯୯୩ ବ୍ୟାଚ୍ର ଉମା ନନ୍ଦୁରି, ୨୦୧୩ ବ୍ୟାଚ୍ର ରିଙ୍କୁ କୁମାରୀ, ୨୦୧୪ ବ୍ୟାଚ୍ର ପୂର୍ଣ୍ଣିମା ପଣ୍ଡିଆନ ଓ ୨୦୧୮ ବ୍ୟାଚ୍ର ଜ୍ୟୋତି କଟାଲଙ୍କ ସଂପର୍କରେ ଉଲ୍ଲେଖ କରାଯାଇଥିବା ବେଳେ ରିଙ୍କୁ କୁମାରୀଙ୍କୁ ସଫଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନେଇ ପ୍ରସ୍ତକରେ ପ୍ରଶଂସା କରାଯାଇଛି। ଜଣେ ଯୁବ ଭାରତୀୟ ବନ ସେବାର ଅଧିକାରୀ ରୂପେ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଜ୍ୟୋତି କଟାଲ କାର୍ଯ୍ୟ କରିଛନ୍ତି ବୋଲି ପୁସ୍ତକରେ ଉଲ୍ଲେଖ ରହିଛି। ଏହି ପୁସ୍ତକକୁ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଦେକର ମହିଳା ସଶକ୍ତିକରଣ ସଂପର୍କିତ ଏକ ବିଶେଷ କାର୍ଯ୍ୟକ୍ରମରେ ଉନ୍ନୋଚନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Odishas-7-Women-in-Green-Queen_Thumbnail.jpg)