ମମତାଙ୍କ ପାଦ ତଳୁ ମାଟି ଖସୁଛି

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ଆଉ ୫ ମାସ ପରେ ପଶ୍ଚିମ ବଙ୍ଗ‌େରେ ହେବାକୁ ଯାଉଛି ବିଧାନସଭା ନିର୍ବ‌ାଚନ। କେନ୍ଦ୍ରରେ କ୍ଷମତାସୀନ ବିଜେପିର ସବୁଠାରୁ କଡ଼ା ବିରୋଧୀ ରୂପେ ପରିଚିତ ମମତା ବାନାର୍ଜୀ ୧୦ ବର୍ଷ ଧରି ଶାସନ କରୁଛନ୍ତି। ତାଙ୍କୁ ହଟାଇ ପଶ୍ଚିମ ବଙ୍ଗ ଦଖଲ କରିବା ଲାଗି ବିଜେପି ଜୋରଦାର ପ୍ରସ୍ତୁତି ଚଳାଇଛି। ବିଧାନସଭା ଲାଗି ନିର୍ବାଚନ ତାରିଖ ଘେ‌ାଷଣା ହୋଇନଥିଲେ ମଧ୍ୟ ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡା ଓ ଅମିତ ଶାହଙ୍କ ସମେତ ଅନେକ ବରିଷ୍ଠ ନେତା ରାଜ୍ୟରେ ପ୍ରଚାର ଅଭିଯାନ ଆରମ୍ଭ କରିସାରିଲେଣି। ଯେ‌କୌଣସି ଉପାୟରେ ହେଉ ପଛେ ପଶ୍ଚିମ ବଙ୍ଗ ଦରକାର। ଏଭଳି ରଣନୀତି ନେଇ ବିଜେପି ମଇଦାନକୁ ଓହ୍ଲାଇଥିବା ବେଳେ ଏହାର ମୁକାବିଲା ଲାଗି ମମତାଙ୍କ ତୃଣମୂଳ କଂଗ୍ରେସ ମଧ୍ୟ ସମସ୍ତ ଶକ୍ତି ଖଟାଇବ ଲାଗି ପ୍ରସ୍ତୁତି ଚଳାଇଛି। କିନ୍ତୁ ଦଳ ଭିତରେ ବିଦ୍ରୋହ ଉଗ୍ର ରୂପ ଧାରଣ କରୁଥିବାରୁ ଟିଏମ୍‌ସି ଅଡ଼ୁଆରେ ପଡ଼ିଯାଇଛି। ‌ଜଣେ ପରେ ଜଣେ ନେତା ଦଳ ଛାଡ଼ି ବିଜେପି ଆଡ଼କୁ ମୁହାଁଉଛନ୍ତି।

ଅତୀତରେ ମୁକୁଲ ରାୟ ଭଳି ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କର କିଛି ଖାସ୍ ଲୋକ ତାଙ୍କୁ ଛାଡ଼ି ବିଜେପିରେ ଯୋଗ ଦେଇଥିବା ବେଳେ ଏବେ ଆଉ କିଛି ନେତା ମଧ୍ୟ ତାଙ୍କ ହାତ ଛାଡ଼ିବାକୁ ବସିଲେଣି। ଏଥିରେ ତାଙ୍କୁ ସବୁଠାରୁ ବଡ଼ ଝଟକା ଦେଇଛନ୍ତି ତାଙ୍କର ଅନ୍ୟତମ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀ। ପ୍ରଥମେ ବିଧାୟକ ତଥା ଦଳର ସଭ୍ୟପଦରୁ ଇସ୍ତଫା ଦେଲେ। ପୂର୍ବରୁ ସେ ପରିବହନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ତାଙ୍କର ଅସନ୍ତୋଷ ଜଣାଇଥିଲେ। ତାଙ୍କୁ ମନାଇବା ଲାଗି ମମତାଙ୍କର ସବୁ ଉଦ୍ୟମ ଫେଲ୍ ମାରିଛି। ଶେଷରେ ଡିସେମ୍ବର ୧୯ ତାରିଖ ଦିନ ‌େସ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଟିଏମସିର ଜଣେ ସାଂସଦ ଏବଂ ଅନ୍ୟ ୫ ଜଣ ବିଧାୟକ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି। ଯେଉଁ ନନ୍ଦିଗ୍ରାମ ଆନ୍ଦୋଳନ ଯୋଗୁଁ ମମତ‌ା ବାମପନ୍ଥୀଙ୍କ ୩୪ ବର୍ଷ ଶାସନର ଅବସାନ ଘଟାଇ ୨୦୧୧ରେ କ୍ଷମତାକୁ ଆସିଥିଲେ, ସେହି ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଶୁଭେନ୍ଦୁ ଅଧିକାରୀ। ପୂର୍ବ ମେଦିନିପୁର ଜିଲ୍ଲା ସମେତ ୪ଟି ଜିଲ୍ଲାରେ ତାଙ୍କର ପ୍ରଭାବ ରହିଛି। ଏହିସବୁ ଜିଲ୍ଲାରେ ଲୋକସଭାର ୯ଟି ଆସନ ଥିବା ବେଳେ ୬୩ଟି ବିଧାନସଭା ଆସନ ରହିଛି। ତେବେ ଅତିକମ୍‌ରେ ୩୦ରୁ ୪୦ଟି ବିଧାନସଭା ଆସନର ଫଳାଫଳକୁ ସେ ପ୍ରଭାବିତ କରିପାରନ୍ତି ବୋଲି କୁହାଯାଉଛି। ଶୁଭେନ୍ଦୁଙ୍କ ପିତା ଶିଶିର ଅଧିକାରୀ ଏବଂ ଭାଇ ମଧ୍ୟ ଏବେ ଟିଏମ୍‌ସିର ଲୋକସଭା ସାଂସଦ ଅଛନ୍ତି।

ମମତାଙ୍କ ବିରୋଧରେ ଏଭଳି ବିଦ୍ରୋହୀ ନେତାଙ୍କର ‌େଯତେ ଅସନ୍ତୋଷ ନାହିଁ, ବେଶି ଅସନ୍ତୋଷ ରହିଛି ତାଙ୍କର ପୁତୁରା ଅଭିଷେକ ବାନାର୍ଜୀ ଏବଂ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ବିରୋଧରେ। ଅଭିଷେକ ଏବଂ ପ୍ରଶାନ୍ତଙ୍କ କାର୍ଯ୍ୟଶୈଳୀ ସେମାନଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ସେମାନଙ୍କୁ ଆଉ ପୂର୍ବଭଳି ଗୁରୁତ୍ବ ମିଳୁନାହିଁ ବୋଲି ଏହି ନେତାମାନେ ଅଭିଯୋଗ କରିଛନ୍ତି। ନିର୍ବାଚନ ପୂର୍ବରୁ ଆହୁରି ଅନେକ ବିଧାୟକ ଓ ନେତା ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଲାଣି। ଗତ ଲୋକସଭା ନିର୍ବାଚନରେ ରାଜ୍ୟରେ ୧୮ଟି ଆସନ ହାସଲ କରିବା ସହିତ ହାଇଦ୍ରାବାଦ ପୌର ନିର୍ବାଚନରେ ଉଲ୍ଲେଖନୀୟ ସଫଳତାକୁ ନେଇ ଉତ୍ସାହିତ ଥିବା ବିଜେପି ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ମମତାଙ୍କ ବିରୋଧରେ ବିଦ୍ରୋହରୁ ଭରପୂର ଫାଇଦା ଉଠାଇବ ବିଜେପି। ଏହା ସହିତ ରାଜ୍ୟରେ ବୃଦ୍ଧି ପାଉଥିବା ମୋଦୀଙ୍କର ଲୋକପ୍ରିୟତା ମମତାଙ୍କ ପାଇଁ ବିପଦ ସୃଷ୍ଟି କରିବାକୁ ଯାଉଛି। ଏହାକୁ ବୁଝିବାରେ ସନ୍ଦେହର ଆଉ କୌଣସି ଅବକାଶ ନାହିଁ।

ସମ୍ବନ୍ଧିତ ଖବର