ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ର ଉପଦ୍ରବରେ ସାରା ବିଶ୍ବରେ ଏବେ ହାହାକାର ଛାଇଯାଇଛି। ଏହି ଘାତକ ରୋଗର ମୁକାବିଲା ପାଇଁ ଉପାୟମାନ ଖୋଜା ଚାଲିଥିବା ବେଳେ ଦିନକୁ ଦିନ ଏହାର ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଏ ପରିପ୍ରେକ୍ଷୀରେ ଲୋକଙ୍କ ଠାରେ ଏହି ରୋଗର କାରଣ ସାଜିଥିବା ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ ପାଇଁ ଗୋଷ୍ଠୀ ରୋଗ ପ୍ରତିରୋଧ(ହର୍ଡ ଇମ୍ୟୁନିଟି) ଆହରିତ ହୋଇପାରିଲେ ସଂକ୍ରମଣ ହାର ଆଶାନୁରୂପ ଭାବେ ଖସି ଆସିବ ବୋଲି ଅନେକ ବୈଜ୍ଞାନିକ ଆଗରୁ ମତ ଦେଇ ସାରିଛନ୍ତି। ତେବେ ତାହା କେବେ ସଂଘଟିତ ହେବ ସେ ସଂକ୍ରାନ୍ତରେ କୌଣସି ଠୋସ୍ ଭବିଷ୍ୟବାଣୀ ନଥିବା ବେଳେ ଅଦ୍ୟାବଧି କୌଣସି ଠାରେ ବି ଏହି ହର୍ଡ ଇମ୍ୟୁନିଟି ହାସଲ ହୋଇନାହିଁ ବୋଲି ଏକ ସ୍ପେନୀୟ ଗବେଷଣାରୁ ଜଣାଯାଇଛି।
ଏପରିକି ମାତ୍ର ୫ ପ୍ରତିଶତ ଲୋକଙ୍କ ଠାରେ କରୋନାଭୂତାଣୁ ଆଣ୍ଟିବଡି ରହିଥିବା ଏହି ସର୍ବେକ୍ଷଣରୁ ଜଣାପଡ଼ିଛି। ଗତ ତିନି ମାସ ଧରି ଏପରିକି ଦୀର୍ଘ ତିନି ତିନି ଥର ସମଗ୍ର ସ୍ପେନ୍ରେ ପାଖାପାଖି ୭୦ ହଜାର ଲୋକ ସାମିଲ ହୋଇଥିବା ଏହି ସର୍ବେକ୍ଷଣ ଅନୁଯାୟୀ, ଗତ ମେ ମାସରେ ମପାଯାଇଥିବା କରୋନାଭୂତାଣୁ ସଂକ୍ରମଣର ବ୍ୟାପକତାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିନାହିଁ। ସୁତରାଂ ଏଭଳି ସ୍ଥିତି ଗୋଷ୍ଠୀ ରୋଗ ପ୍ରତିରୋଧ ପରିକଳ୍ପନାର ବିରୋଧାଭାସ କରୁଛି। ସେହିପରି ଦେଶବ୍ୟାପୀ କରାଯାଇଥିବା ଆଣ୍ଟିବଡି ଅନୁଧ୍ୟାନରୁ ସମଗ୍ର ସ୍ପେନ୍ର ମାତ୍ର ୫.୨ ପ୍ରତିଶତ ନାଗରିକ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏପରିକି ଆଣ୍ଟିବଡି ନମୁନା ପରୀକ୍ଷାରେ ପ୍ରାଥମିକ ସ୍ତରରେ ପଜିଟିଭ୍ ବାହାରିଥିବା ୧୪ ପ୍ରତିଶତ ଲୋକଙ୍କର ଚୂଡ଼ାନ୍ତ ପରୀକ୍ଷା ବେଳେ ନେଗେଟିଭ୍ ଆସିଛି। ତେଣୁ ଏ ପରିପ୍ରେକ୍ଷୀରେ ଏହି ରୋଗ ପ୍ରତିରୋଧକତାର ପରିଭାଷା ଅସମ୍ପୂର୍ଣ୍ଣ ରହିଛି; ଏହା କ୍ଷଣସ୍ଥାୟୀ ହୋଇପାରେ ଏବଂ କିଛି ସମୟ ପାଇଁ ରହି ପୁଣି ଉଭାନ୍ ହୋଇପାରେ ବୋଲି ଗବେଷକ ତଥା ସ୍ପେନ୍ର କାର୍ଲସ୍ ୩ ହେଲ୍ଥ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ରାକେଲ ୟୋତ୍ତି କହିଛନ୍ତି।