ତେଲ ଆଭିଭ: ଇସ୍ରାଏଲ ଉପରେ ହମାସର ଅଚାନକ ଆକ୍ରମଣ ଉପରେ ଏବେ ବିଶ୍ବବାସୀଙ୍କ ନଜର ରହିଛି। ଏହି ଆକ୍ରମଣ ଆମେରିକା ମଧ୍ୟସ୍ଥତାରେ ଅନୁଷ୍ଠିତ ଇସ୍ରାଏଲ-ସାଉଦି ଆରବ ଚୁକ୍ତିନାମାକୁ ଏକ ଶକ୍ତ ଧକ୍କା ବୋଲି ମନେ କରାଯାଉଛି। ଇରାନ ସମର୍ଥିତ ଇସଲାମିକ ଆତଙ୍କବାଦୀ ଗୋଷ୍ଠୀ ହମାସ ଶନିବାର ଇସ୍ରାଏଲ ଉପରେ ହଜାର ହଜାର ରକେଟ୍ ବର୍ଷା କରିବା ସହ ଶହଶହ ଆତଙ୍କବାଦୀଙ୍କୁ ଇସ୍ରାଏଲ ଭିତରେ ଅନୁପ୍ରବେଶ କରାଇଥିଲା। ଇହୁଦୀଙ୍କ ପବିତ୍ର ୟୋମ କିପୁର ଦିବସରେ ଆରବ ରାଷ୍ଟ୍ରର ଆକ୍ରମଣ ପରେ ଇସ୍ରାଏଲ ଉପରେ ଏହା ଥିଲା ସବୁଠାରୁ ବଡ଼ ଆକ୍ରମଣ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଏହା ଏକ ଯୁଦ୍ଧ ଏବଂ ଇସ୍ରାଏଲ ଏହାର କଡ଼ା ଜବାବ ଦେବ। ଏହାର କିଛି ସପ୍ତାହ ପୂର୍ବରୁ ଜାତିସଂଘରେ ଭାଷଣ ଦେବା ବେଳେ ନେତାନ୍ୟାହୁ ତିନି ଆରବ ରାଷ୍ଟ୍ର ସହ ୨୦୨୦ର ଆବ୍ରାହମ ଆକର୍ଡସ (ଇସ୍ରାଏଲ୍-ଆରବ ଦ୍ବାପାକ୍ଷିକ ଚୁକ୍ତିନାମା) ଶାନ୍ତିର ମାର୍ଗ ପ୍ରଶସ୍ତ କରିଛି ବୋଲି କହିବା ପରେ ଏହି ଯୁଦ୍ଧ ଆରମ୍ଭ ହୋଇଛି।
ଆସନ୍ତା ବର୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ କୂଟନୈତିକ ବିଜୟ ଲକ୍ଷ୍ୟରେ ଉକ୍ତ ରାଜିନାମା ପାଇଁ ମଧ୍ୟସ୍ଥତା କରିଥିଲେ। ଆଗାମୀ ସପ୍ତାହଗୁଡ଼ିକରେ ଏ ସମ୍ପର୍କରେ ଅନେକ କଥାବାର୍ତ୍ତା ହେବାର ଥିଲା। ବର୍ତ୍ତମାନ ହମାସର ଆକ୍ରମଣ ଓ ଇସ୍ରାଏଲର ପ୍ରତିଆକ୍ରମଣ ଉକ୍ତ ୨୦୨୦ ଆବ୍ରାହମ୍ ଆକର୍ଡସକୁ ଏକ ଶକ୍ତ ଧକ୍କା ଦେଇଛି। ଏ ପରିସ୍ଥିତିରେ ଉକ୍ତ ଦ୍ବିପାକ୍ଷିକ ଚୁକ୍ତିନାମାର କାର୍ଯ୍ୟକାରିତା ଏକପ୍ରକାର ଅସମ୍ଭବ ମନେ ହେଉଛି ବୋଲି ୱାସିଂଟନସ୍ଥିତ ମିଡ୍ଲ ଇଷ୍ଟ ଇନ୍ଷ୍ଟିଚ୍ୟୁଟ୍ର ନୀତି ଉପାଧ୍ୟକ୍ଷ ବ୍ରାୟାନ କଟୁଲିସ କହିଛନ୍ତି।
ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନ ନିକଟରେ ଇସ୍ରାଏଲ ଉପରେ ଆକ୍ରମଣ ନେଇ ଚିନ୍ତା ପ୍ରକଟ କରିବା ସହ ପାଲେଷ୍ଟିନୀୟ ସ୍ବାର୍ଥ ପାଇଁ ଆନ୍ଦୋଳନକୁ ମଧ୍ୟ ସମର୍ଥନ କରିଛନ୍ତି। କାରଣ ବୃଦ୍ଧ ରାଜା କିଙ୍ଗ ସଲମାନ ଏହା ଉପରେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ସାଉଦି ଆରବର ବୈଦେଶିକ ମନ୍ତ୍ରୀଙ୍କ ମୁହଁରୁ ମଧ୍ୟ ସମାନ ଭାଷା ଶୁଣିବାକୁ ମିଳିଛି। ସେ ଶନିବାର କହିଛନ୍ତି, ପାଲେଷ୍ଟିନୀୟମାନେ ସେମାନଙ୍କ ନ୍ୟାଯ୍ୟ ଅଧିକାର ଓ ସ୍ବାର୍ଥରୁ କ୍ରମାଗତ ବଞ୍ଚିତ ହେବା ହିଁ ଆଜିର ବିସ୍ଫୋରକ ପରିସ୍ଥିତି ପାଇଁ ଦାୟୀ।
ସାଉଦି-ଇସ୍ରାଏଲ ସମ୍ପର୍କର ସାଉଦି ବିଶେଷଜ୍ଞ ଅଜିଜ ଆଲଘାଶିଆନ କହିଛନ୍ତି, ପାଲେଷ୍ଟିନୀୟଙ୍କ ସ୍ବାର୍ଥକୁ ଉପେକ୍ଷା କରି ସାଉଦି ଆରବ କେବେହେଲେ ୨୦୨୦ ଚୁକ୍ତି ଅନୁଯାୟୀ ନର୍ମାଲାଇଜେନ (ସ୍ବାଭାବିକତା)କୁ ପ୍ରାଧାନ୍ୟ ଦେବ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ସାଉଦି ଆରବ ତା’ର ପୂର୍ବ ଭୂମିକାକୁ ଫେରିଯିବ। ‘ସ୍ବାଭାବିକତା’ କଥାବାର୍ତ୍ତାରେ ନେତାନ୍ୟାହୁଙ୍କୁ ବାଧାର ସମ୍ମୁଖୀନ ହେବାକୁ ପଡ଼ିବ କାରଣ ସେ ବର୍ତ୍ତମାନର ପରିସ୍ଥିତିକୁ ଏକ ଯୁଦ୍ଧ ବୋଲି କହିଛନ୍ତି। ଏକ ଯୁଦ୍ଧ ପରିସ୍ଥିତିରେ ‘ସ୍ବାଭାବିକତା’ ସମ୍ଭବ ନୁହେଁ ବୋଲି ଆଲ୍ଘାଶିଆନ କହିଛନ୍ତି। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ‘ସ୍ବାଭାବିକତା’ ଉପରେ ହିଂସାର କ’ଣ ପ୍ରଭାବ ରହିବ ତାହା ଏବେଠାରୁ କହିହେବ ନାହିଁ। ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏହି ସଂଘର୍ଷ ସମ୍ପର୍କରେ ତାଙ୍କ ସାଉଦି ପ୍ରତିପକ୍ଷ ରାଜକୁମାର ଫୈଜଲ ବିନ ଫରହାନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ରାଜକୁମାର ଫେଜଲ କୁଆଡ଼େ କହିଥିଲେ ଯେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣକୁ ତାଙ୍କ ଦେଶ ସମର୍ଥନ କରେ ନାହିଁ ଏବଂ ଅନ୍ତର୍ଜାତୀୟ ମାନବୀୟ ଆଇନକୁ ସମସ୍ତେ ସମ୍ମାନ ଦେବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/dgdddgdg.jpg)