ଆହ୍ଳାବାଦ ହାଇକୋର୍ଟରେ ହାଥରସ୍‌ ମାମଲାର ଶୁଣାଣି, ଉତ୍ତରପ୍ରଦେଶ ବାହାରକୁ ମାମଲା ସ୍ଥାନାନ୍ତର ପାଇଁ ପୀଡ଼ିତା ପରିବାରର ଅନୁରୋଧ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରାସ୍‌ ଗଣଦୁଷ୍କର୍ମ ମାମଲାରେ ଆଜି ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହୋଇଥିଲା। ହାଥରସ୍‌ ପୀଡ଼ିତା ପରିବାର ସଦସ୍ୟ ଆଜି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠରେ ହାଜର ହୋଇଥିଲେ। ଜଷ୍ଟିସ୍‌ ପଙ୍କଜ ମିଥଲ୍‌ ଏବଂ ରଜନ ରାୟଙ୍କ ଖଣ୍ଡପୀଠଙ୍କ ଆଗରେ ପୀଡ଼ିତା ପରିବାର ସଦସ୍ୟ ସେମାନଙ୍କ ବୟାନ ରେକର୍ଡ କରିଥିଲେ। ଅନ୍ୟପକ୍ଷେ ହାଥରସ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସମେତ ଅତିରିକ୍ତ ମୁଖ୍ୟ ସଚିବ, ଡିଜିପି ଏବଂ ଏଡିଜି କୋର୍ଟରେ ହାଜର ହୋଇଥିଲେ। ଶୁଣାଣି ସମୟରେ ଜିଲ୍ଲାପାଳ କହିଥିଲେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ରାତିରେ ପୀଡ଼ିତାଙ୍କ ଶବଦାହ କରାଯାଇଥିଲା। ରାଜ୍ୟ କର୍ତ୍ତୃପକ୍ଷଙ୍କଠାରୁ ଏନେଇ କୌଣସି ଚାପ ନଥିଲା ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ପୀଡ଼ିତା ପରିବାର ଉକ୍ତ ମାମଲାକୁ ଉତ୍ତରପ୍ରଦେଶ ବାହାରକୁ ସ୍ଥାନାନ୍ତର କରିବାପାଇଁ ଅନୁରୋଧ କରିଛନ୍ତି। ଅନ୍ୟପ‌‌କ୍ଷେ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ ତାରିଖରେ ଅଛି। ଆଜି ଶୁଣାଣି ପାଇଁ ପୀଡ଼ିତାଙ୍କ ବାପା ମା’ ଏବଂ ୩ ଭାଇଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କୋର୍ଟକୁ ନିଆଯାଇଥିଲା। ଆହ୍ଲାବାଦ ହାଇକୋର୍ଟ ହାଥରସ୍‌ ମାମଲାକୁ ଗମ୍ଭୀରତାର ସହ ନେଇ ନିଜଆଡ଼ୁ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ ଏବଂ ଉତ୍ତରପ୍ରଦେଶର ବରିଷ୍ଠ ଅଧିକାରୀମାନଙ୍କୁ ଏହି ମାମଲାରେ ସମନ୍‌ କରିଥିଲେ। ଖଣ୍ଡପୀଠ ଆଜି ଶୁଣାଣି ସମୟରେ ଉତ୍ତରପ୍ରଦେଶ ପୁଲିସ ଉପରେ ବର୍ଷିଥିଲେ। ରାତି ଅଧରେ ପୀଡ଼ିତାଙ୍କ ଶବଦାହ ପ୍ରସଙ୍ଗରେ କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। କୋର୍ଟ ଆଜି ୟୁପି ଏଡିଜି ପ୍ରଶାନ୍ତ କୁମାରଙ୍କୁ ଅତି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ନିଜ ଝିଅ ହୋଇଥିଲେ କ’ଣ ଏଡିଜି ଏଭଳି ଢଙ୍ଗରେ ତାଙ୍କ ଝିଅର ଶବଦାହ କରିଥାନ୍ତେ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ ମଧ୍ୟ କହିଛନ୍ତି, ଯଦି ପୀଡ଼ିତା ଧନୀ ପରିବାରର ହୋଇଥାନ୍ତେ ତେବେ କ’ଣ ପୁଲିସ ଏମିତି ଢଙ୍ଗରେ କାମ କରିଥାନ୍ତା। ପୀଡ଼ିତା ପରିବାରର ଆଇନଜୀବୀ ଆଜି ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର