ନୂଆଦିଲ୍ଲୀ: ବାରଣାସୀ ଜ୍ଞାନବାପୀ ମସଜିଦ ପରିସରରେ ମିଳିଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ସର୍ଭେକୁ ସୁପ୍ରିମକୋର୍ଟ ସ୍ଥଗିତ ରଖି ଦେଇଛନ୍ତି। ବିବାଦୀୟ ଢାଞ୍ଚାର ବୈଜ୍ଞାନିକ ସର୍ଭେ ଏବଂ କାର୍ବନ ଡେଟିଂ ପାଇଁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି, ଆମକୁ ଏହି ମାମଲାରେ ଅତି ଯତ୍ନର ସହ ନିଷ୍ପତ୍ତି ନେବାକୁ ପଡ଼ିବ। ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟ ଯେଉଁ ପ୍ରକ୍ରିୟା କାର୍ଯ୍ୟକାରୀ କରିବା କଥା କହିଛନ୍ତି, ସେହି ପ୍ରକ୍ରିୟା‌ ଉପରେ ଅଧିକ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ପରବର୍ତ୍ତୀ ନିର୍ଦ୍ଦେଶ ହେବା ପର୍ଯ୍ୟନ୍ତ କୋର୍ଟ ବିବାଦୀୟ ଢାଞ୍ଚାର ବୈଜ୍ଞାନିକ ସର୍ଭେକୁ ସ୍ଥଗିତ ରଖି ଦେଇଛନ୍ତି। କୋର୍ଟ ମଧ୍ୟ ଶିବଲିଙ୍ଗର ସାଇଣ୍ଟିଫିକ୍‌ ସର୍ଭେ ସଂକ୍ରାନ୍ତ ହାଇକୋର୍ଟଙ୍କ ରାୟ ବିରୋଧରେ ମୁସଲିମ କମିଟି କରିଥିବା ଆବେଦନ ଉପରେ କେନ୍ଦ୍ର , ଉତ୍ତରପ୍ରଦେଶ ସରକାର ଏବଂ ହିନ୍ଦୁ ଆବେଦନକାରୀଙ୍କୁ ନୋଟିସ କରିଛନ୍ତି।