ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାର ଶୁଣାଣି ଶେଷ ହୋଇଛି। ଆଜି ମାମଲ‌ାର ଚୂଡ଼ାନ୍ତ ଶୁଣାଣି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ୍‌ଆର୍‌ ଶାହା ଏବଂ ବିଚାରପତି କ୍ରିଷ୍ଣା ମୁରାରିଙ୍କ ଖଣ୍ଡପୀଠରେ ହୋଇଥିଲା। ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଏବଂ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ଦ୍ବାରା ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଅଧିଗ୍ରହଣକୁ ବି‌ରୋଧ କରାଯାଇ ହାଇକୋର୍ଟରେ ଦାଖଲ କରାଯାଇଥିବା ଦୁଇଟି ଜନସ୍ବାର୍ଥ ମାମଲା ସହିତ ୭ଟି ରିଟ୍‌ ପିଟିସନର ଆଜି ଏକତ୍ର ଶୁଣାଣି ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ଏହି ଶୁଣାଣି ଚାଲିଥିଲା।

Advertisment

ବିରୋଧୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି କିରଥିଲେ ଯେ ରାଜ୍ୟ ସରକାରଙ୍କ ଠାରୁ ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ୧୫ ହଜାର ଏକର ଜମି ଲୋଡ଼ାଯାଇଛି। ଅତୀତରେ ଏହି ଫାଉଣ୍ଡେସନ୍‌ ଗୋଟିଏ ସ୍କୁଲ ମଧ୍ୟ ଖୋଲିନାହିଁ। ଏହା ବାଦ୍‌ ଫାଉଣ୍ଡେସନ୍‌ ଆଜି ପର୍ଯ୍ୟନ୍ତ ପବ୍ଲିକ କଂପାନି ମଧ୍ୟ ହୋଇନାହିଁ। ପରିବାରର ତିନି ଜଣ ସଦସ୍ୟଙ୍କୁ ନେଇ କଂପାନି ଗଠନ କରାଯାଇଥିଲା। ମୋଟ ୧୫ ହଜାର ଟଙ୍କାର ଗ୍ୟାରେଣ୍ଟି ଥିବା କଂପାନିକୁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦେଖାଇ ଜମି ପ୍ରଦାନ କରିଛନ୍ତି। ଯାହାକି ଆଇନ ସମ୍ମତ ନୁହେଁ। ଫାଉଣ୍ଡେସନକୁ କାହିଁକି ଯୁଦ୍ଧକାଳୀନ ଭିତ୍ତିରେ ଜମି ପ୍ରଦାନ କରାଗଲା ତାକୁ ନେଇ ସେ ପ୍ରଶ୍ନ କରିଥିଲେ। ଜମି ଅଧିଗ୍ରହଣ ପ୍ରକ୍ରିୟାରେ କଂପାନି ଆଇନକୁ ସଂପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଇଛି। ଅନିଲ ଅଗ୍ରୱାଲ ଫାଉଣ୍ଡେସନ୍‌ ଶିକ୍ଷା ସଂସ୍ଥାନ ଖୋଲିବା ଅନୁଭୂତି ନଥିବାରୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପ୍ରକୃତ ଉଦ୍ଦେଶ୍ୟ ନଥିବା ଜଣାପଡ଼ୁଛି। ସେ କହିଲେ, ଯେଉଁ କଂପାନି ପ୍ରଥମେ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ୧୫ ହଜାର ଏକର ଜମି ଦାବି କରୁଥିଲା ଆଜି ୩ ହଜାର ଏକର ଜମି ଦେଲେ ମଧ୍ୟ ସନ୍ତୁଷ୍ଟ ବୋଲି କହୁଛି। ତେଣୁ ଏହାର ପ୍ରକୃତ ଉଦ୍ଦେଶ୍ୟ କ’ଣ ବୋଲି ଭୂଷଣ ପ୍ରଶ୍ନ କରିଥିଲେ। ଭୂଷଣଙ୍କୁ ଆଇନଜୀବୀ ଚିନ୍ମୟ ମିଶ୍ର ସହଯୋଗ କରିଥିଲେ।

ବେଦାନ୍ତ ଜମି ଅଧିଗ୍ରହଣ ମାମଲାରେ ଗତକାଲି ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା।
ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କର ଜମି ଅଧିଗ୍ରହଣକୁ ଓଡ଼ିଶା ହାଇକୋର୍ଟ ୨୦୧୦ ନଭେମ୍ବର ୧୬ରେ ବେଆଇନ ବୋଲି ଦର୍ଶାଇଥିଲେ। ଚାଷୀମାନଙ୍କ ଠାରୁ ଅଧିଗ୍ରହଣ କରାଯାଇଥିବା ଜମିକୁ ଫେରାଇ ଦେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟ ୨୦୧୧ ଜାନୁଆରୀ ୨୮ରେ ଜମି ଅଧିଗ୍ରହଣ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।