ନୂଆଦିଲ୍ଲୀ: ଭାରତରେ ଗ୍ରୀଷ୍ମ ଲହରି ଜାରି ରହିଛି। ଉତ୍ତରପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ହାରାହାରି ସର୍ବାଧିକ ତାପମାତ୍ରା ଯଥାକ୍ରମେ ୩୫.୯ ଓ ୩୭.୭୮ ଡିଗ୍ରି ସେଲ୍‌ସିୟସ୍‌ରେ ପହଞ୍ଚିଛି ଯାହା ଗତ ୧୨୨ ବର୍ଷରେ ସର୍ବାଧିକ ବୋଲି ଶନିବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଉତ୍ତରପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ଭାରତର ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଓ ହରିୟାଣାର କେତେକ ଅଞ୍ଚଳରେ ମେ ମାସରେ ବି ସ୍ବାଭାବିକ ତାପମାତ୍ରା ରହିବ। ମୋଟ ଉପରେ ସମଗ୍ର ଭାରତକୁ ବିଚାରକୁ ନେଲେ ଏପ୍ରିଲ ୨୦୨୨ର ତାପମାତ୍ରା ହେଉଛି ୧୨୨ ବର୍ଷରେ ଚତୁର୍ଥ ବୃହତ୍ତମ। ବର୍ତ୍ତମାନର ଗ୍ରୀଷ୍ମ ଲହରି ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶରେ କୃଷି ଉତ୍ପାଦନକୁ ପ୍ରଭାବିତ କରିପାରେ। ଦକ୍ଷିଣ ଅନ୍ତରୀପୀୟ ଭାରତର କିଛି ଅଞ୍ଚଳକୁ ଛାଡ଼ିଦେଲେ ଦେଶର ଅଧିକାଂଶ ଭାଗରେ ମେ ମାସର ରାତ୍ରିଗୁଡ଼ିକ ଅଧିକ ଉଷ୍ମ ରହିବ। ଏଥିସହ ମହାପାତ୍ର କହିଲେ ଯେ, ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାରେ ଲାଗିଛି। ଏହା ଏକ ବାତ୍ୟାର ରୂପ ନେଇପାରେ। ଏହାର ସ୍ପଷ୍ଟ ରୂପ ମେ ୫ ସୁଦ୍ଧା ଜଣାପଡ଼ିବ। ଏଲ୍‌ ନିନୋ ପ୍ରଭାବରେ ଗ୍ରୀଷ୍ମ ଲହରି ଅଧିକ ହୋଇଥାଏ ମାତ୍ର ଚଳିତ ବର୍ଷର ଗ୍ରୀଷ୍ମ ଲହରି ପାଇଁ ଏଲ୍‌ ନିନୋ ଦାୟୀ ନୁହେଁ ବୋଲି ମହାପାତ୍ର କହିଛନ୍ତି। ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ ମାସରେ କୌଣସି ପଶ୍ଚିମା ପାଣିପାଗ ଗତିବିଧି ଅଭାବରୁ ଅସ୍ବାଭାବିକ ଭାବେ ଉତ୍ତାପ ବୃଦ୍ଧି ପାଇଛି।

Advertisment

ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉତ୍ତରପଶ୍ଚିମ ଭାରତରେ ୮୪ ପ୍ରତିଶତ ଓ କେନ୍ଦ୍ରୀୟ ଭାରତରେ ୫୪ ପ୍ରତିଶତ କମ୍ ବର୍ଷା ହୋଇଛି, କିନ୍ତୁ ପୂର୍ବ ଓ ଉତ୍ତରପୂର୍ବ ଭାରତରେ ୪୦ ପ୍ରତିଶତ ଓ ଦକ୍ଷିଣ ଭାରତରେ ୩୮.୫ ପ୍ରତିଶତ ଅଧିକ ବର୍ଷା ହୋଇଛି। ସାରା ଭାରତରେ ହାରାହାରି ତାପମାତ୍ରା ଏପ୍ରିଲ ମାସରେ ୩୫.୦୫ ଡିଗ୍ରି ସେଲ୍‌ସିୟସ୍ ରହିଛି ଯାହା ୧୨୨ ବର୍ଷରେ ଚତୁର୍ଥ ସର୍ବାଧିକ ବୋଲି ମହାପାତ୍ର କହିଛନ୍ତି। ଏହି ଉତ୍ତାପ ବୃଦ୍ଧିର କାରଣ ଭାବେ ବର୍ଷା ଅଭାବକୁ ଦାୟୀ କରାଯାଉଛି। ତେବେ ଆସନ୍ତା ମେ ମାସରେ ହାରାହାରି ବୃଷ୍ଟିପାତ ସ୍ବାଭାବିକତାଠାରୁ ଅଧିକ ହୋଇପାରେ ବୋଲି ସେ କହିଛନ୍ତି।