ରାଞ୍ଚି: ଚଳିତ ବର୍ଷ ପ୍ରାରମ୍ଭରେ ମନିଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତୃତ୍ୱାଧୀନ ମେଣ୍ଟକୁ ଚମତ୍କାର ବିଜୟ ଆଣି ଦେଇଛନ୍ତି। ଏକ୍ଜିଟ୍ ପୋଲ୍ ପୂର୍ବାନୁମାନକୁ ମିଥ୍ୟା ପ୍ରମାଣିତ କରି ହେମନ୍ତ ସୋରେନଙ୍କ ଜେଏମ୍ଏମ୍ ବଡ଼ ବିଜୟ ହାସଲ କରିଛି ଏବଂ କ୍ରମାଗତ ଦ୍ବିତୀୟ ଥର ଲାଗି ଏହା ସରକାର ଗଠନ କରିବାକୁ ଯାଉଛି। ଝାଡ଼ଖଣ୍ଡର ସମସ୍ତ ପ୍ରମୁଖ ଅଞ୍ଚଳ ଛୋଟନାଗପୁର, କୋହ୍ଲଣ, କୋଇଲାଅଂଚଳ, ପାଲାମୁ ଓ ସାନ୍ତାଳ ପ୍ରଗଣାରେ ଜେଏମ୍ଏମ୍-କଂଗ୍ରେସ ମେଣ୍ଟକୁ ବିପୁଳ ସଫଳତା ମିଳିଛି। ୨୦୧୯ ବିଧାନସଭା ନିର୍ବାଚନରେ ଜେଏମ୍ଏମ୍-କଂଗ୍ରେସ-ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ମେଣ୍ଟ ୪୭ଟି ଆସନରେ ବିଜୟୀ ହୋଇଥିଲା। ଜେଏମ୍ଏମ୍ ନିଜେ ୩୦ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୪ରେ ଏହା ୧୯ଟି ଆସନରେ ବିଜୟୀ ହୋଇଥିଲା। ଚଳିତ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ପ୍ରସଙ୍ଗ ଉଠାଇ ସୋରେନ ସରକାରକୁ ଟାର୍ଗେଟ କରିଥିଲା। ଝାଡ଼ଖଣ୍ଡର ମାଟି, ବେଟି ଓ ରୁଟି ବିପଦରେ ପଡ଼ିଛି ବୋଲି ବିଜେପି ବାରମ୍ବାର ନିର୍ବାଚନୀ ରାଲିରେ କହିଥିଲା। ଅନୁପ୍ରବେଶକାରୀମାନେ ଆଦିବାସୀଙ୍କଠାରୁ ଜଳ, ଜମି ଓ ଜଙ୍ଗଲ ହଡ଼ପ କରୁଛନ୍ତି ବୋଲି ଏହା ପ୍ରଚାର କରିଥିଲା।
ତେବେ ଜେଏମ୍ଏମ୍ ନିଜର କଲ୍ୟାଣକାରୀ ଯୋଜନା, ବିଶେଷ କରି ମୁଖ୍ୟମନ୍ତ୍ରୀ ମୈୟା ସମ୍ମାନ ଯୋଜନା ଓ ଆଦିବାସୀ ଅସ୍ମିତାକୁ ନେଇ ପ୍ରଚାରକୁ ଓହ୍ଲାଇଥିଲା। ମୈୟା ସମ୍ମାନ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ମାସିକ ୧୦୦୦ ଟଙ୍କା ମିଳୁଛି। ମହିଳା ଭୋଟରଙ୍କ ଦୃଢ଼ ସମର୍ଥନରେ ଜେଏମ୍ଏମ୍ର ବିଜୟ ସମ୍ଭବ ହୋଇଛି। ବାସ୍ତବରେ ୮୧ଟି ଆସନରୁ ୬୮ଟି ଆସନରେ ମହିଳାଙ୍କ ମତଦାନ ଅଧିକ ରହିଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ତେବେ ନିର୍ବାଚନ ପୂର୍ବ ସମୟ ଜେଏମ୍ଏମ୍ ପାଇଁ ଉତ୍ସାହଜନକ ନ ଥିଲା, ଯେଉଁଥିରେ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଥିଲା। ଜାନୁଆରି ୩୧ତାରିଖରେ ମନିଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ଗିରଫ ହେବାର କିଛି ସମୟ ପୂର୍ବରୁ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ବରିଷ୍ଠ ନେତା ଚମ୍ପାଇ ସୋରେନଙ୍କୁ ରାଜ୍ୟର ନେତୃତ୍ୱ ପାଇଁ ମନୋନୀତ କରାଯାଇଥିଲା। ତେବେ ହାଇକୋର୍ଟରୁ ଜାମିନ ମିଳିବା ପରେ ହେମନ୍ତ ଜୁଲାଇ ମାସରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଚମ୍ପାଇ ସୋରେନ ଏଥିରେ ଅସନ୍ତୁଷ୍ଟ ହୋଇ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/24/6Jph7eUT5aRs9Q67p9Bh.jpg)