ନୂଆଦିଲ୍ଲୀ : ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ସଭାପତି ଭାବେ ଏହାର ଦୈନନ୍ଦିନ କାର୍ଯ୍ୟକଳାପରୁ ତୁରନ୍ତ ଦୂରେଇ ଯିବାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଶନିବାର ନରିନ୍ଦର ବାତ୍ରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତା’ ସହ ତାଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି। ବାତ୍ରାଙ୍କ ବିରୋଧରେ ବିଶ୍ବକପ୍ ବିଜୟୀ ହକି ତାରକା ଅସଲମ୍ ଶେର ଖାନ୍ ଦାୟର କରିଥିବା ପିଟିସନ୍ର ବିଚାରକରି ଜଷ୍ଟିସ୍ ଦୀନେଶ ଶର୍ମା ବାତ୍ରାଙ୍କୁ ଆଇଓଏର ସଭାପତି ପଦ ଛାଡ଼ିବାକୁ କହିଥିଲେ। ହେଲେ ବାତ୍ରା ଏହାକୁ ମାନିନଥିଲେ। ବରଂ ପୂର୍ବବତ୍ ଆଇଓଏ ସଭାପତି ଭାବେ ନିଜ କାର୍ଯ୍ୟକଳାପ ଜାରି ରଖିବା ସହ ବିଭିନ୍ନ ବୈଠକରେ ଯୋଗ ଦେଉଥିଲେ। ଏଥିନେଇ ଅସଲମ୍ ତାଙ୍କ ଓକିଲ ବଂଶଦୀପ ଡାଲମିଆଙ୍କ ମାଧ୍ୟମରେ ପୁନର୍ବାର ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।
ଅଦାଲତ ଏହାକୁ ବିଚାରକୁ ନେଇ ପୁନର୍ବାର ଦେଇଥିବା ନିର୍ଦ୍ଦେଶରେ ତୁରନ୍ତ ଆଇଓଏ ସଭାପତି ପଦରୁ ଓହରିଯିବାକୁ ବାତ୍ରାଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସଂଘର ବରିଷ୍ଠ ସଭାପତି ଏଣିକି କାର୍ଯ୍ୟକାରୀ ସଭାପତି ଦାୟିତ୍ବ ତୁଲାଇବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ଏହା ପୂର୍ବରୁ ସେ ୨୫ ତାରିଖରେ ଶୁଣାଇଥିବା ରାୟରେ ବାତ୍ରାଙ୍କୁ ମାନ୍ୟବର ଅଦାଲତ ହକି ଇଣ୍ଡିଆର ଆଜୀବନ ସଦସ୍ୟ ପଦରୁ ହଟାଇ ଦେଇଥିଲେ। ସେତେବେଳେ ଆଇଓଏ ଖାନ୍ନାଙ୍କୁ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଥିଲା। ହେଲେ ବାତ୍ରା ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ବେ ସଭାପତି ପଦରୁ ଇସ୍ତଫା ଦେଉ ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/batra.jpg)