ଜୟପୁର: ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ୍ ଏବଂ ଅନ୍ୟ ୧୮ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦିଆଯାଇଥିବା ନୋଟିସ୍ ମାମଲାରେ ହାଇକୋର୍ଟରେ ଶୁଣାଣି ଜାରି ରହିଛି। ଆଜିର ଶୁଣାଣିରୁ କୌଣସି ନିଷ୍କର୍ସ ବାହାରିପାରିନି। ମଙ୍ଗଳବାର ସକାଳ ସାଢ଼େ ୧୦ଟାରେ ଏହି ମାମଲାର ଶୁଣାଣି ପୁଣି ଆରମ୍ଭ ହେବ। ଆବେଦନରେ ବିଧାନସଭା ବାଚସ୍ପତିଙ୍କ ଦ୍ବାରା ସେମାନଙ୍କୁ ଦିଆଯାଇଥିବା ଅଯୋଗ୍ୟ ଘୋଷଣା ନୋଟିସ୍କୁ ଚ୍ୟାଲେଂଜ କରାଯାଇଛି। ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ ଆଜି ଓକିଲ ଅଭିଷେକ ମନୁ ସିଂହଭି ଦଲିଲ୍ ଉପସ୍ଥାପନ କରିଥିଲେ ଏବଂ ବିଦ୍ରୋହୀ ବିଧାୟକଙ୍କ ଆବେଦନକୁ ଅପରିପକ୍ବ ବୋଲି ଦର୍ଶାଇଥିଲେ।
ବିଧାୟକମାନଙ୍କୁ ବିଧାନସଭାରେ ଅଯୋଗ୍ୟ ଘୋଷଣା କରାଯିବା ନିଷ୍ପତ୍ତି ନିଆଯିବା ପୂର୍ବରୁ ଏଭଳି ଆବେଦନର କିଛି ଯଥାର୍ଥତା ନାହିଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ବିଧାନସଭା ବାଚସ୍ପତି ଯେଉଁ ନୋଟିସ୍ ଜାରି କରିଛନ୍ତି ସେଥିରେ ଅଦାଲତ ହସ୍ତକ୍ଷେପ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ସିଂହଭି କହିଛନ୍ତି। ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି ଏବଂ ବିଚାରପତି ପ୍ରକାଶ ଗୁପ୍ତାଙ୍କ ଖଣ୍ଡପୀଠରେ ଶୁକ୍ରବାର ଦିନ ପ୍ରଥମ ଶୁଣାଣି ହୋଇଥିଲା। ଆସନ୍ତାକାଲି ସାଢ଼େ ୧୦ ରେ ପୁଣି ଏହି ମାମଲାର ଶୁଣାଣି ହେବ ଏବଂ ସନ୍ଧ୍ୟା ସୁଦ୍ଧା ରାୟ ପ୍ରକାଶ ପାଇବ। ପାଇଲଟ୍ ଗୋଷ୍ଠୀ ପକ୍ଷରୁ ତଥ୍ୟ ଉପସ୍ଥାପନ କରି ଆଇନଜୀବୀ ହରିଶ ସାଲ୍ଭେ କହିଥିଲେ ଯେ, ସରକାର ଭାଙ୍ଗିବା ଷଡ଼ଯନ୍ତ୍ର ଏବଂ ମୁଖ୍ୟମନ୍ତ୍ରୀ ବଦଳାଇବା ଭିନ୍ନ ଭିନ୍ନ ପ୍ରସଙ୍ଗ। ବିଧାୟକମାନେ ଦଳର ସଦସ୍ୟତାରୁ ଇସ୍ତଫା ଦେଇନାହାନ୍ତି ଏବଂ କେବଳ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ସେମାନଙ୍କ ମତ ରଖିଛନ୍ତି। ଏଭଳି ପରିସ୍ଥିତିରେ ବିଧାୟକମାନଙ୍କୁ କିଭଳି ଅଯୋଗ୍ୟ ଘୋଷଣା ନୋଟିସ୍ ଦିଆଯାଇପାରିବ ବୋଲି ସାଲ୍ଭେ ଯୁକ୍ତି ରଖିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ କହିଥିଲେ ଯେ, ଆସନ୍ତାକାଲି ମଧ୍ୟ ଏହି ମାମଲାର ଶୁଣାଣି ହେବ। ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ବିଧାନସଭା ବାଚସ୍ପତି ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/ashok-gehlot-and-sachin-pilot.jpg)