ହାଇଦ୍ରାବାଦ: ତେଲେଙ୍ଗାନା ବିଧାୟକ କିଣା ଉଦ୍ୟମ ମାମଲାରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ବିଏଲ୍‌ ସନ୍ତୋଷ ଓ ଆଉ ତିନିଜଣଙ୍କ ନାମ ଅଭିଯୁକ୍ତ ଭାବେ ଏଫ୍‌ଆଇଆର୍‌ରେ ଯୋଡ଼ିବାକୁ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ତନଦ୍ତକାରୀ ଦଳ (ଏସ୍‌ଆଇଟି)ର ଅନୁରୋଧକୁ ରାଜ୍ୟ ଉଚ୍ଚ ନ୍ୟାୟାଳୟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

Advertisment

ଜଷ୍ଟିସ୍ ଡି ନାଗାର୍ଜୁନଙ୍କ ନେତୃତ୍ବାଧୀନ ହାଇକୋର୍ଟ ବେଞ୍ଚ ଡିସେମ୍ବର ୮ରେ ଏହି ଆବେଦନର ଶୁଣାଣି କରି ରାୟ ସ୍ଥଗିତ ରଖିଥିଲେ। କୋର୍ଟ ସୋମବାର ଏହି ରାୟ ଶୁଣାଇଛନ୍ତି। ଏହା ପୂର୍ବରୁ ଡିସେମ୍ବର ୬ରେ ଦୁର୍ନୀତି ବିରୋଧୀ ବ୍ୟୁରୋ (ଏସିବି)ର ସ୍ବତନ୍ତ୍ର କୋର୍ଟ ମଧ୍ୟ ସମାନ ରାୟ ଦେଇଥିଲେ ଯାହାକୁ ଚ୍ୟାଲେଞ୍ଜ କରି ଏସ୍‌ଆଇଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଏସ୍‌ଆଇଟିର କହିବା ଅନୁସାରେ ଉକ୍ତ ବିଧାୟକ କିଣା ଉଦ୍ୟମ ମାମଲାରେ ବିଜେପିର ବିଏଲ୍‌ ସନ୍ତୋଷ, କେରଳର ତୁଷାର ଭେଲାପାଲି ଓ ଜଗୁ ସ୍ବାମୀ ଏବଂ କରିମନଗରର ବି ଶ୍ରୀନିବାସଙ୍କ ସମ୍ପୃକ୍ତି ଥିବା ପରେ ତଦନ୍ତରୁ ଜଣାପଡ଼ିଛି।

ତେଣୁ ମୋଇନାବାଦ ପୁଲିସ ଦ୍ବାରା ଦାଖଲ ମୂଳ ଏଫ୍‌ଆଇଆର୍‌ରେ ସେମାନଙ୍କ ନାମ ଯୋଡ଼ାଯିବା ଉଚିତ। ଜଷ୍ଟିସ ନାଗାର୍ଜୁନ କହିଥିଲେ ଯେ ହାଇକୋର୍ଟର ଆଉ ଏକ ବେଞ୍ଚ ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର କରିବା ସହ ଏସ୍‌ଆଇଟିକୁ ଭାଙ୍ଗିଦେବା ପାଇଁ ଆଦେଶ ଦେଇଥିବା ବେଳେ ଏସ୍‌ଆଇଟିର ଆବେଦନର କୌଣସି ମାନେ ନାହିଁ। ପୂର୍ବ ବେଞ୍ଚର ଆଦେଶ ଅନୁସାରେ ବର୍ତ୍ତମାନ ଯେଉଁ ଏସ୍‌ଆଇଟିର ଅସ୍ତିତ୍ବ ହିଁ ନାହିଁ ସେ ପୁଣି କାହାର ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବ କିପରି? ସେ କହିଥିଲେ ଯେ ରାଜ୍ୟ ସରକାରଙ୍କ ପାଖରେ ବର୍ତ୍ତମାନ କେବଳ ଗୋଟିଏ ବିକଳ୍ପ ଅଛି, ସେମାନେ ହାଇକୋର୍ଟଙ୍କ ମାମଲା ସ୍ଥାନାନ୍ତର ଆଦେଶ ବିରୋଧରେ ରିଭ୍ୟୁ ପିଟିସନ ଦାଏର କରିପାରିବେ।