ନୂଆଦିଲ୍ଲୀ: ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟରେ ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍‌ଙ୍କ ନାମରେ ଅଣାଯାଇଥିବା ଅଭିଯୋଗ ଉପରେ କଂଗ୍ରେସ ଦଳ ପକ୍ଷରୁ ଗତକାଲି କରାଯାଇଥିବା ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ଦାବିକୁ ବିଜେପି ଆଜି ପ୍ରତ୍ୟାଖ୍ୟାନ କରିଛି। ଜେପିସି ତଦନ୍ତ କାହିଁକି? ଏହାର ମାନେ କ’ଣ ବିଦେଶରେ ବସିଥିବା ଟମ୍‌, ଡିକ୍‌ ଓ ହ୍ୟାରି ଆଦି ଭାରତକୁ ଅସ୍ଥିର କରିବେ ଏବଂ ସେମାନେ ଜେପିସି ତଦନ୍ତ ମାଗିବେ। ସେମାନେ ଭାରତର ନିବେଶକମାନଙ୍କୁ ଏବଂ ଷ୍ଟକ୍‌ ମାର୍କେଟ୍‌କୁ ନ୍ୟୂନ କରିବେ। ଏହା ସେମାନଙ୍କର ଖେଳ। ଜେପିସି ତଦନ୍ତ ଦାବି ଏକ ଲଜ୍ଜା ବୋଲି ଆଜି ବିଜେପି ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ ଏହା କହିଛନ୍ତି।
ଏଥିସହିତ ସେବି ମୁଖ୍ୟଙ୍କ ଇସ୍ତଫା ଦାବିକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ଯାହା କିଛି ହେବ ସେଥିପାଇଁ ସେମାନେ ଜେପିସି ଦାବି କରିବେ। ପ୍ରଥମେ ସତ୍ୟ ସାମ୍ନାକୁ ଆସିବା ଉଚିତ।

Advertisment

ଆମେ ସତ୍ୟକୁ ପ୍ରସାର କରିସାରିଛୁ ଏବଂ ସେମାନଙ୍କ ଷଡ଼୍‌ଯନ୍ତ୍ରକୁ ପଦାରେ ପକାଇଛୁ ବୋଲି ରବିଶଙ୍କର କହିଛନ୍ତି। ଭାରତୀୟ ଅର୍ଥନୀତିକୁ ଅସ୍ଥିର କରିବା ପାଇଁ କଂଗ୍ରେସ ବିଦେଶୀ ଶକ୍ତିଙ୍କ ସହିତ ହାତ ମିଳାଇଛି ବୋଲି କଂଗ୍ରେସ କହିବାର ଦିନକ ପରେ ରବିଶଙ୍କର ମଧ୍ୟ ତାହାକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ମୁଖ୍ୟ ନିବେଶକ ହେଉଛନ୍ତି ଭାରତକୁ ଘୃଣା କରୁଥିବା ଜର୍ଜ ସୋରସ୍‌। ଭାରତର ଷ୍ଟକ୍‌ ମାର୍କେଟ୍‌ ଏବଂ ନିବେଶକୁ କ୍ଷତି ପହଞ୍ଚାଇବା ପାଇଁ ହୋଇଥିବା ଷଡ଼୍‌ଯନ୍ତ୍ର ଗୋଷ୍ଠୀର ଅଂଶ ହେଉଛନ୍ତି କଂଗ୍ରେସ, ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଓ ଟୁଲ୍‌କିଟ୍‌ ଗ୍ୟାଙ୍ଗ ସଦସ୍ୟ। କଂଗ୍ରେସ ଦଳ, ଏହାର ସହଯୋଗୀ ଓ ଟୁଲ୍‌କିଟ୍‌ ଗ୍ୟାଙ୍ଗ୍‌ଙ୍କୁ ଭାରତର ଲୋକ ପ୍ରତ୍ୟାଖ୍ୟାତ କରିବା ପରେ ସେମାନେ ମିଳିମିଶି ଦେଶରେ ଅର୍ଥନୈତିକ ଅରାଜକତା ଓ ଅସ୍ଥିରତା ଚାହୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ପୂର୍ବ ଅଭିଯୋଗ ଉପରେ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ସେବି ଗତ ଜୁଲାଇରେ ତଦନ୍ତ ଶେଷ କରିବା ପରେ ହିଣ୍ଡେନ୍‌ବର୍ଗକୁ ନୋଟିସ ପଠାଇଥିଲା। ନିଜ ପ୍ରତିରକ୍ଷା ସଂପର୍କରେ ହିଣ୍ଡେନ୍‌ବର୍ଗ କୌଣସି ଉତ୍ତର ନଦେଇ ସେମାନେ ଆଉ ଏକ ଭିତ୍ତିହୀନ ଆକ୍ରମଣ କରିଛି ବୋଲି ରବିଶଙ୍କର କହିଛନ୍ତି। ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସର ରହିଥିବା ଅତ୍ୟନ୍ତ ଘୃଣା ଏବେ ଭାରତ ବିରୋଧୀ ଘୃଣାରେ ପରିଣତ ହୋଇଛି। ଯଦି ଭାରତର ଷ୍ଟକ୍‌ ମାର୍କେଟ୍‌ରେ ବିଶୃଙ୍ଖଳା ଦେଖାଦିଏ ତାହେଲେ କ୍ଷୁଦ୍ର ନିବେଶକ ଅସୁବିଧାରେ ପଡ଼ିବେ ନା ନାହିଁ। ସେମାନେ ସମଗ୍ର ଷ୍ଟକ୍‌ ମାର୍କେଟକୁ ତଳିତଳାନ୍ତ କରିବାକୁ ଏବଂ ଭାରତରେ କୌଣସି ନିବେଶ ନେହେବା ଚାହାନ୍ତି ବୋଲି ରବିଶଙ୍କର କହିଛନ୍ତି।