ନାବାଳକ ପ୍ରେମିକକୁ ଜଘନ୍ୟ ହତ୍ୟା: ପ୍ରେମିକାର ଘର ଆଗରେ ଅନ୍ତିମ ସଂସ୍କାର

ପାଟନା: ବିହାରର ମୁଜାଫରପୁରରେ ଏକ ଅମାନୁଷିକ ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଛି। ଜଣେ ୧୭ ବର୍ଷର କି‌ଶୋର ନିଜ ପ୍ରେମିକାକୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିବାବେଳେ ପ୍ରେମିକାର ପରିବାର ଲୋକେ ତାକୁ ଅତ୍ୟନ୍ତ ନୃଶଂସ ଭାବେ ଳୁହା ରଡ୍‌ରେ ପିଟିଥିଲେ। ତା’ପରେ ତାର ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତିକରି ତାର ପରିବାର ଲୋକଙ୍କୁ ଖବର ଦେଇଥିଲେ। ଡାକ୍ତରଖାନାରେ କିଶୋରଟିର ମୃତ୍ୟୁ ହେବା ପରେ ପରିବାର ଲୋକେ ତାର ଶବକୁ ନେଇ ପ୍ରେମିକାର ଘର ସମ୍ମୁଖରେ ପୋଡ଼ି ଦେଇଥିଲେ। ଖବର ପାଇ ୬ଟି ଥାନାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛନ୍ତି।

କାଣ୍ଟି ଥାନା ଅଧୀନସ୍ଥ ରେପୁରା ରାମପୁର ଶାହର ସୌରଭ କୁମାର(୧୭) ଶୁକ୍ରବାର ବିଳମ୍ବିତ ରାତିରେ ନିଜ ପ୍ରେମିକାକୁ ଭେଟିବା ପାଇଁ ପଡ଼ୋଶୀ ସୋନବର୍ଷା ଗ୍ରାମକୁ ଯାଇଥିଲେ। ହେଲେ ପ୍ରେମିକାର ପରିବାର ଲୋକଙ୍କ ହାତରେ ଧରାପଡ଼ି ଯାଇଥିଲେ। ସେମାନେ ତାକୁ ଲୁହା ରଡ୍‌ରେ ଅତି ଅମାନୁଷିକ ଭାବେ ପିଟିବା ପରେ ତାର ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରି ସୌରଭର ପରିବାର ଲୋକଙ୍କୁ ଖବର ଦେଇ ଫେରାର ହୋଇଯାଇଥିଲେ। ପରିବାର ଲୋକେ ଡାକ୍ତରଖାନା ଯାଇ ସୌରଭର ମୃତଦେହକୁ ଆଣି ଶନିବାର ଅପରାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରେମିକାର ଘର ଆଗରେ ଅନ୍ତିମସଂସ୍କାର କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ସୌରଭଙ୍କ ବାପା ଅଭିଯୋଗ କରିଛନ୍ତି, ୪ ବର୍ଷ ହେଲା ସେମାନେ ପ୍ରେମ କରୁଥିଲେ। ବର୍ଷେ ପୂର୍ବରୁ ଏହିଭଳି ସୌରଭକୁ ସେମାନେ ନିର୍ମମ ମାଡ଼ ମାରିଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଥିଲା। ଏହାପରେ ସୌରଭ ଓଡ଼ିଶା ପଳାଇଥିଲା। ଗତ ୮ ତାରିଖରେ ଭଉଣୀ ବାହାଘର ପାଇଁ ଆସିଥିଲା। ତାଙ୍କର ଏକମାତ୍ର ପୁଅକୁ ସେମାନେ ଶେଷରେ ମାରିଦେଲେ ବୋଲି ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ସୌରଭବଙ୍କ ବାପା। ପୁଲିସ କେସ୍‌ ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର