ହଷ୍ଟେଲ୍‌ରେ ୨୨୯ ଛାତ୍ର ସଂକ୍ରମିତ, ଦୈନିକ ସଂକ୍ରମଣ ୧୫ ହଜାର ଟପିଲା

ମହାରାଷ୍ଟ୍ରରେ ଦିନକରେ ୮ ହଜାରରୁ ଅଧିକ ମାମଲା, ‘ଆଗାମୀ ୧୦ ଦିନ ମୁମ୍ବାଇ ପାଇଁ କର ବା ମର ସ୍ଥିତି’

ମୁମ୍ବାଇ : ମହାରାଷ୍ଟ୍ରର ୱାସିମ୍‌ ଜିଲ୍ଲାରେ ଏକ ପବ୍ଲିକ୍‌ ସ୍କୁଲ୍‌ ହ‌ଷ୍ଟେଲ୍‌ରେ ୨୨୯ ଛାତ୍ର ଓ ୪ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ବିଦର୍ଭର ବିଭିନ୍ନ ଜିଲ୍ଲାରୁ ୩୨୭ ଛାତ୍ର ଭାବନା ପବ୍ଲିକ୍‌ ସ୍କୁଲ୍‌ ହଷ୍ଟେଲ୍‌ରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ୨୨୯ ଜଣଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଉକ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ରିସୋଦ ତହସିଲଦାର ଅଜିତ ସେଲାର କହିଛନ୍ତି, ଛାତ୍ରମାନେ ଫେବ୍ରୁଆରି ୧୪ରେ ହଷ୍ଟେଲ୍‌ରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୧ ଜଣ ଛାତ୍ର ମାତ୍ର କିଛି ଦିନ ମଧ୍ୟରେ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ହଷ୍ଟେଲ୍‌ର ସମସ୍ତ ୩୨୭ ଜଣ ଛାତ୍ରଙ୍କ କରୋନା ଟେଷ୍ଟ୍‌ କରାଗଲା। ସେମାନଙ୍କ ମଧ୍ୟରୁ ୨୨୯ ଜଣଙ୍କର ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ପୂର୍ବରୁ ଲାଟୁରରେ ଅନ୍ୟ ଏକ ହଷ୍ଟେଲ୍‌ରେ ୩୯ ଜଣ ଛାତ୍ର ଏବଂ ୫ ଜଣ କର୍ମଚାରୀ ସଂକ୍ରମିତ ହୋଇଥିଲେ। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ଦିନକରେ ୮ ହଜାରରୁ ଅଧିକ ନୂଆ ସଂକ୍ରମଣ ରିପୋର୍ଟ କରାଯାଇଛି। ମୁମ୍ବାଇରେ ସଂକ୍ରମଣ ବଢ଼ିଯାଇଛି। କୋଭିଡ୍‌ ଟାସ୍କ ଫୋର୍ସର ଜଣେ ସଦସ୍ୟ ଡା. ରାହୁଲ ପଣ୍ଡିତ କହିଛନ୍ତି, ସଂକ୍ରମଣ ମାମଲା ବଢ଼ିବା ଖୁବ୍‌ ଚିନ୍ତାଜନକ। ପରବର୍ତ୍ତୀ ୧୦ ଦିନ ମୁମ୍ବାଇ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ୧୦ ଦିନ ମୁମ୍ବାଇ ପାଇଁ କର ବା ମର ସ୍ଥିତି ବୋଲି ଡାକ୍ତର ପଣ୍ଡିତ କହିଛନ୍ତି।

ନୂଆଦିଲ୍ଲୀ: ଜାନୁଆରି ୨୯ ପରେ ‌ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ମାମଲା ୧୫ ହଜାର ଟପିଯାଇଛି।‌ ଦୈନିକ ସଂକ୍ରମଣ ମାମଲା ଆଜି ୧୬,୭୩୮ ରହିଛି ଏବଂ ଏଥିସହ ମୋଟ ସଂକ୍ରମଣ ମାମଲା ୧,୧୦,୪୬,୯୧୪ ରହିଛି। ଗତ ଜାନୁଆରି ୨୯ରେ ଦେଶରେ ସଂକ୍ରମଣ ମାମଲା ୧୮,୮୫୫ ରହିଥିଲା। ଏହାପରଠାରୁ ଦେଶରେ ସକ୍ରିୟ ମାମଲା ୧୫ ହଜାରରୁ କମ୍‌ ରହିଥିଲା। ‌ସେହିପରି ପ୍ରଥମ ଥର ପାଇଁ ଦେଶରେ ଦୈନିକ ଆରୋଗ୍ୟଙ୍କ ତୁଳନାରେ ଦୈନିକ ସଂକ୍ରମଣ ସଂଖ୍ୟା ଟପିଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯ‌ାୟୀ ଦେଶରେ ଅନେକ ଦିନ ପରେ ସକ୍ରିୟ ମାମଲା ୧.୫ ଲକ୍ଷ ଟପିଛି। ମହାରାଷ୍ଟ୍ରରେ ଦିନକରେ ୮,୮୦୭ ନୂଆ ମାମଲା ଚିହ୍ନଟ ହେବା‌ରୁ ସଂକ୍ରମଣ ଏତେ ବୃଦ୍ଧି ହୋଇଛି। ବୁଧବାର ମୁମ୍ବାଇରେ ୧,୧୬୭ ନୂଆ ମାମଲା ଚିହ୍ନଟ ହୋଇଛି। ‌ଦେଶରେ ନୂଆ ମାମଲାର ୮୯.୫୭% ୭ ରାଜ୍ୟରୁ ଚିହ୍ନଟ ହୋଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ସମ୍ବନ୍ଧିତ ଖବର